
କନ୍ଧମାଳ -ଆଜି ଫୁଲବାଣୀ ଅତିରିକ୍ତ ଜିଲା ଜର୍ଜ ଏବଂ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସମରବିଳାସ ବେହେରା ଖଜୁରିପଡା ଥାନା ଅଂଚଳର ଏକ ୧୨ ବର୍ଷର ନାବାଳିକାକୁ ରାତିରେ ଉଠାଇନେଇ ଦୁସ୍କର୍ମ କରିଥିବା ମାମଲାର ବିଚାରଣ କରି ଘଟଣାର ୭ ଜଣ ସାଖିଙ୍କ ବୟାନ ଡାକ୍ତରୀ ରିପୋର୍ଟ ଏବଂ ପିଡିତାଙ୍କ ବୟାନକୁ ଆଧାର କରି ଅଭିଯୁକ୍ତ ଖଜୁରିପଡା ଥାନା ଅନ୍ତର୍ଗତ କୁକୁରକୁମ୍ପା ଗ୍ରାମର ଦଶରଥ ସେଠୀ (୨୦) ଓରଫ୍ ବୁଲୁକୁ ବିଭିନ୍ନ ଦଫାରେ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫୦ ହାଜର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ତାକୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି ବିଚାରପତି । ଆଦାୟ ଜରିମାନା ଅର୍ଥକୁ ପିଡିତାଙ୍କୁ କ୍ଷତିପୁରଣ ବାବଦରେ ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଧେଶ ଦେଇଛନ୍ତି । ଘଟଣା ଅନୁସାରେ ଗତ ୨୮/୦୮/୨୦୧୫ ତାରିଖରେ ପିଡିତା ଶୌଚପାଇଁ ନିକଟସ୍ଥ ପଡିଆକୁ ଯାଇଥିବାବେଳେ ଦଶରଥ ତାର ଆଉଜଣେ ବନ୍ଧୁ ସହିତ ସେଠାରେ ପହଂଚି ପିଡିତାକୁ ଜୋରଜବରଦସ୍ତ କରି ଉଠାଇନେଇ ନିକଟରେ ଥିବା ଏକ ତେନ୍ତୁଳି ଗଛ ମୁଳରେ ତାସହିତ ଦୁସ୍କର୍ମ କରିଥିଲା । କିଛି ସମୟପରେ ଝିଅକୁ ଖୋଜିବାକୁ ତାର ମାଆ ଏବଂ ଭଉଣି ସେଠାରେ ପହଂଚବପରେ ତାଙ୍କୁ ଦେଖି ତାର ସାଥି ଜଣକ ସେଠାରୁ ଖସି ପଳାଇଥିଲା ଦଶରଥକୁ ପିଡିତାର ମାଆ ଓ ଭଉଣି ଚିହ୍ନିପାରିଥିଲେ । ପିଡିତା ଭୟଭୀତ ହୋଇଥିବାରୁ ହଠାତ କିଛି କରିନଥିବାବେଳେ ୩୧/୦୮/୧୫ ତାରିଖରେ ଖଜୁରିପଡା ଥାନାରେ ଏ ନେଇ ଏକ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ ଖଜୁରିପଡା ଥାନା ପୋଲିସ ଏକ ମାମଲା ୯୫/୧୫ ରୁଜ୍ଜୁ କରି ଦଶରଥ ଓରଫ ବୁଲୁକୁ ଗିରଫ କରି କୋର୍ଟରେ ହାଜର କରାଇଥିଲା । ଆଜି ଏହି ମାମଲାର ବିଚାରଣ କରି ବିଚାରପତି ଅଭିଯୁକ୍ତକୁ ଉପରୋକ୍ତୋ ଦଣ୍ଡାଦେଶ କରିଛନ୍ତି । ମାମଲାକୁ ପିଡିତାଙ୍କ ତରଫରୁ ପିପି ଅସୀମ ପ୍ରହରାଜ ପରିଚାଳନା କରୁଥିଲେ ।