-
୧୧୮ଟି ମହିଳା ସ୍ୱାର୍ଥଗୋଷ୍ଠୀ ୪୫ଟି ପାଣି ପଞ୍ଚାୟତ ସହ ସଂଯୁକ୍ତ; ଜଳ ବଣ୍ଟନ ଓ କେନାଲ ପରିଚାଳନାରେ ବଢୁଛି ମହିଳାଙ୍କ ଭାଗିଦାରୀ
ଭୁବନେଶ୍ୱର, ରାଜ୍ୟର ରେଙ୍ଗାଳି ଜଳସେଚନ ପ୍ରକଳ୍ପ ଅଞ୍ଚଳରେ ମହିଳା କୃଷକମାନେ ଏବେ ଜଳ ପରିଚାଳନା ଓ କୃଷି କ୍ଷେତ୍ରରେ ନେତୃତ୍ୱ ଗ୍ରହଣ କରୁଛନ୍ତି। ଜାଇକା ସହାୟତାପ୍ରାପ୍ତ ରେଙ୍ଗାଳି ଜଳସେଚନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ ଅଧୀନରେ ମହିଳାମାନେ ମହିଳା ସ୍ୱାର୍ଥଗୋଷ୍ଠୀର ନେତୃତ୍ୱ ନେବା ସହ ଚକ୍ କମିଟି ଓ ପାଣି ପଞ୍ଚାୟତରେ ସାମିଲ ହୋଇ ଜଳ ବଣ୍ଟନ, କେନାଲ ପରିଚାଳନା ଓ ଜଳ ବିବାଦର ସମାଧାନରେ ସକ୍ରିୟ ଭୂମିକା ନେଉଛନ୍ତି।
ଜଳ ସମ୍ପଦ ବିଭାଗ ଦ୍ୱାରା କାର୍ଯ୍ୟକାରୀ ଏହି ପ୍ରକଳ୍ପର ଜଳସେଚନ ଲକ୍ଷ୍ୟଭୁକ୍ତ ଅଞ୍ଚଳ ୩୯,୪୧୬ ହେକ୍ଟର। ଢେଙ୍କାନାଳ, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ପରିବ୍ୟାପ୍ତ ଏହି ପ୍ରକଳ୍ପ ଅଞ୍ଚଳର ଭୁବନ ଓ ସୁକିନ୍ଦା ବ୍ଲକରେ ୧୧୮ଟି ମହିଳା ସ୍ୱାର୍ଥଗୋଷ୍ଠୀ ଗଠନ କରାଯାଇ ୪୫ଟି ପାଣି ପଞ୍ଚାୟତ ସହ ସଂଯୁକ୍ତ କରାଯାଇଛି। ଏହା ମାଧ୍ୟମରେ ମହିଳା କୃଷକମାନେ ଜଳସେଚନ ସମ୍ପର୍କିତ ସମସ୍ୟା ଉପସ୍ଥାପନ ସହ ନିଷ୍ପତ୍ତି ଗ୍ରହଣରେ ଭାଗ ନେଉଛନ୍ତି।
ମହିଳାଙ୍କ ନେତୃତ୍ୱ ଓ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ବିଭାଗ ଅଧୀନସ୍ଥ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ (ୱାଲମି), ପ୍ରକଳ୍ପର କୃଷି ପରିଚାଳନା ୟୁନିଟ୍ (ଏଗ୍ରି-ପିଏମ୍ୟୁ) ସହଯୋଗରେ ଅଂଶଗ୍ରହଣମୂଳକ ଜଳସେଚନ ପରିଚାଳନା, ଉନ୍ନତ କୃଷି ପଦ୍ଧତି ଓ ଜୀବିକା ବିକାଶ ସମ୍ପର୍କିତ ପ୍ରଶିକ୍ଷଣ ଆୟୋଜନ କରୁଛି।
ଏହି ପ୍ରଶିକ୍ଷଣରେ ପାଣି ପଞ୍ଚାୟତର କାର୍ଯ୍ୟ ଓ ଦାୟିତ୍ୱ, କେନାଲ ପରିଚାଳନା ଓ ରକ୍ଷଣାବେକ୍ଷଣ, ହିସାବ ସଂରକ୍ଷଣ, ଜଳ ବଣ୍ଟନ ଏବଂ ବିବାଦର ସମାଧାନ ଉପରେ ଗୁରୁତ୍ୱ ଦିଆଯାଉଛି। ପାଣି ପଞ୍ଚାୟତ ଆଇନ, ୨୦୦୨ ଓ ନିୟମାବଳୀ, ୨୦୦୩ ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। ଜଳସେଚନ ମାନଚିତ୍ର ଅଧ୍ୟୟନ, କେନାଲ ପରିଦର୍ଶନ ଓ କ୍ଷେତ୍ରସ୍ତରୀୟ ପ୍ରଦର୍ଶନ ମାଧ୍ୟମରେ ଏହାକୁ ବ୍ୟବହାରିକ କରାଯାଉଛି।
୨୦୨୬ ଠାରୁ ୱାଲମି ପକ୍ଷରୁ ୪୩ରୁ ଅଧିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏଥିରେ ପ୍ରାୟ ୧,୦୦୦ ମହିଳା କୃଷକଙ୍କ ସମେତ ଅନ୍ୟ ୧,୩୦୦ କୃଷକ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ଧାନ ଚାଷର ଉନ୍ନତ ପଦ୍ଧତି, ବିହନ ବିଶୋଧନ, ଜୈବିକ ଓ ଜଳବାୟୁ ସହନଶୀଳ କୃଷି ସହ ଧାନ ନଡ଼ାରୁ ଛତୁ ଚାଷ, ଡାଲିଜାତୀୟ ଫସଲ, ତୈଳବୀଜ ଓ ଅଣଧାନ ଫସଲ ଚାଷ ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି। କୃଷି ଓ ଉଦ୍ୟାନ କୃଷି ବିଭାଗର ବିଶେଷଜ୍ଞମାନେ ଫସଲ ଚୟନ, ଉନ୍ନତ ଚାଷ ପଦ୍ଧତି, ସରକାରୀ ଯୋଜନା ଓ ବଜାର ସଂଯୋଗ ସମ୍ପର୍କରେ ପରାମର୍ଶ ଦେଉଛନ୍ତି।
ଜାଇକା ସହାୟତାପ୍ରାପ୍ତ ଏହି ପ୍ରକଳ୍ପ ମାଧ୍ୟମରେ ମହିଳା କୃଷକଙ୍କ ଦକ୍ଷତା ଓ ନିଷ୍ପତ୍ତି ଗ୍ରହଣ କ୍ଷମତା ବୃଦ୍ଧି ସହ ଜଳ ପରିଚାଳନାରେ ସେମାନଙ୍କ ସକ୍ରିୟ ଭାଗିଦାରୀ ସୁଦୃଢ଼ ହେଉଛି। ଏହା ସମାବେଶୀ ଜଳ ପରିଚାଳନା, ସୁଦୃଢ଼ ଗ୍ରାମୀଣ ଅନୁଷ୍ଠାନ ଓ ସ୍ଥାୟୀ କୃଷି ଜୀବିକା ବିକାଶରେ ସହାୟକ ହେଉଛି।
