ଭୁବନେଶ୍ୱର – ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଭୁବନେଶ୍ୱର ଠାରେ “ଛାତ୍ରୋଂକି ଗୁଞ୍ଜ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଉଦୟଭାନୁ ଚିବ୍ ଯୋଗଦେଇ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ କିପିରି ଅତ୍ୟାଚାରିତ ଓ ଶୋଷିତ ହେଉଛନ୍ତି ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଭୁବନେଶ୍ୱରର ବିଭିନ୍ନ କଲେଜ ଓ ୟୁନିର୍ଭସିଟିର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ମୁଖ୍ୟତଃ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଭବିଷ୍ୟତକୁ ଦୃଷ୍ଟିରେ ରଖି ଯୁବ କଂଗ୍ରେସ ପକ୍ଷରୁ ୩ଟି ଦାବି ଉପସ୍ଥାପନ କରାଯାଇଥିଲା । ପ୍ରଶ୍ନପତ୍ର ପ୍ରଘଟ ମୁକ୍ତ ପରୀକ୍ଷା ଆୟୋଜନ ଏବଂ ପରିଚାଳନା ବ୍ୟବସ୍ଥାକୁ ଉତ୍ତରଦାୟୀ ଓ ସଶକ୍ତ କ୍ରିୟାବିଧି ଯୁକ୍ତ ସୁନିଶ୍ଚିତ କରିବା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ସହିତ ମନ୍ତ୍ରୀଙ୍କ ସହ ପ୍ରଶ୍ନପତ୍ର ପ୍ରଘଟ ମାଫିଆଙ୍କ ସହ ସମ୍ବନ୍ଧର ତଦନ୍ତ ଦାବି । ସମସ୍ତ ପରୀକ୍ଷା ଏବଂ ନିଯୁକ୍ତି ପ୍ରକ୍ରିୟା ଗୁଡ଼ିକ ପାଇଁ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଉ ।
ଶ୍ରୀ ଉଦୟଭାନୁ ଚିବ୍ କହିଲେ ଯେ ଜଣେ ଅଭିଭାବକ କେତେ କଷ୍ଟ ସ୍ୱୀକାର କରି କୋଚିଂ ଫିସ, ହଷ୍ଟେଲ ଫିସ ଏବଂ ଅନ୍ୟାନ୍ୟ ଫିସ ନିଜର ପିଲାମାନଙ୍କ ପାଇଁ ଅତି କମରେ ବର୍ଷକୁ ୪ରୁ ଓ ୫ଲକ୍ଷ ପର୍ଯ୍ୟନ୍ତ ଯୋଗାଡ଼ କରନ୍ତି ଏବଂ ପୁନଃ ପରୀକ୍ଷା ହେଲେ ଏହାର ପ୍ରଭାବ ଅଭିଭାବ ଓ ଛାତ୍ରଛାତ୍ରୀ ମାନଙ୍କ ଉପରେ କେତେ ସାଂଘାତିକ ଭାବରେ ପଡ଼େ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅକ୍ଷମ । ପୁନଃ ପରିକ୍ଷା ଯୋଗୁଁ କେତେକ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ସହ ବହୁ ଛାତ୍ରଛାତ୍ରୀ ମାନସିକ ଭାରସାମ୍ୟ ହରାଇ ବସିଲେ । ଏବେବି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ସରକାର ଘଂଟ ଘୋଡାଇ ବସିଛନ୍ତି । ସୁତରାଂ ଏ ସରକାର ଏକ ଛାତ୍ରହତ୍ୟାକାରୀ ସରକାର ।୨୨ ଲକ୍ଷ ଛାତ୍ର ଛାତ୍ରୀ ୨୦୨୬ ନିଟ୍ ପେପର ଲିକ୍ ପାଇଁ ପ୍ରଭାବିତ ହୋଇଥିବାବେଳେ ୨୦୨୪ ନିଟ୍ ପେପର ଲିକ୍ ରୁ ମୋଦୀ ସରକାର କିଛି ଶିକ୍ଷା କଲେ ନାହିଁ ।
ସେହିଭଳି ଓଡ଼ିଶାରେ ଶିକ୍ଷାବ୍ୟବସ୍ଥା ମଧ୍ୟ ଭୁଷୁଡି ପଡିଛି । ଓଡ଼ିଆ ପାଠ୍ୟ ପୁସ୍ତକରେ ଭୁଲ ଘଟଣାରେ ଓଡ଼ିଆ ଜାତିର ସ୍ୱାଭିମାନ, ସମ୍ମାନ ଓ ଓଡ଼ିଆ ଅସ୍ମିତା ଭୁଲୁଣ୍ଠିତ ହୋଇଛି । ଓଡ଼ିଶାର ଅଭିଭାବକ ଏବଂ ଛାତ୍ରଛାତ୍ରୀମାନଙ୍କ ପ୍ରତି ମୋହନ ସରକାର ବିଶ୍ୱାସଘାତକତା କରିଛନ୍ତି । ସୁତରାଂ ଛାତ୍ର ଛାତ୍ରୀଙ୍କ ପ୍ରତି ଖାମଖିଆଲ ମନୋଭାବ ପୋଷଣ କରିଥିବା ମୋହନ ସରକାରଙ୍କ ବିରୋଧରେ ବ୍ୟାପକ ଛାତ୍ର ଅନ୍ଦୋଳନରେ ଆବଶ୍ୟକତା ରହିଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ଯୁବ କଂଗ୍ରେସ ପ୍ରଭାରୀ ମହେଶ ଦେଶମୁଖ୍, ରିୟାନା ରାଜୁ, ପୁର୍ଣ୍ଣଚନ୍ଦ୍ର ପାଢୀ, ସ୍ମୃତି ରଞ୍ଜନ ଲେଙ୍କା, ୟାସିର ନୱାଜ, ସୁଦିପ ସାମଲ, ସମ୍ରାଟ ଜେନା, କେଦାର ଦଳାଇ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
