-
୧୯୫୧ର ଦୀର୍ଘମିଆଦୀ ଲିଜ୍ର ବୈଧତା ଉପରେ ରାଜସ୍ୱ ପର୍ଷଦଙ୍କ ପ୍ରଶ୍ନ, ହାଲ ରେକର୍ଡ ସଂଶୋଧନ ପାଇଁ ଜଟଣୀ ତହସିଲଦାରଙ୍କୁ ନିର୍ଦ୍ଦେଶ
-
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜମିଜମାର ସୁରକ୍ଷା ସୁନିଶ୍ଚିତ କରିବା ନିମନ୍ତେ ବଦ୍ଧପରିକର ରାଜସ୍ୱ ବିଭାଗ
ଭୁବନେଶ୍ବର, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଏକହରାଜତ ମହଲ ଅନ୍ତର୍ଗତ ଜମି ସମ୍ପର୍କିତ ଦୀର୍ଘଦିନର ବିବାଦରେ ସଦସ୍ୟ, ରାଜସ୍ୱ ପର୍ଷଦ(ବୋର୍ଡ ଅଫ୍ ରେଭେନ୍ୟୁ)ଙ୍କ ନ୍ୟାୟାଳୟ ଏକ ଗୁରୁତ୍ବପୂର୍ଣ୍ଣ ୩୩ ପୃଷ୍ଠାର ଗୁରୁତ୍ବପୂର୍ଣ ରାୟ ପ୍ରଦାନ କରିଛନ୍ତି I ବୋର୍ଡ ଅଫ୍ ରେଭେନ୍ୟୁର ସଦସ୍ୟ ଶ୍ରୀ ସତ୍ୟବ୍ରତ ସାହୁ ଏହି ମାମଲାର ତ୍ବରିତ ଶୁଣାଣି ପରେ ଦାଖଲ ହୋଇଥିବା ଦୁଇଟି ରିଭିଜନ୍ ପିଟିସନ୍କୁ ମଞ୍ଜୁର କରି ଜଟଣୀ ତହସିଲଦାରଙ୍କୁ ବିବାଦୀୟ ଜମିର ହାଲ ରେକର୍ଡ ଅଫ୍ ରାଇଟ୍ସ (ଆର୍.ଓ.ଆର୍.) ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ରେକର୍ଡ କରିବାକୁ ଆଜି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲା ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅଧୀନ କୁଦୀଆରି ମୌଜାର ବିଶାଳ ପରିମାଣର ଜମି ସହ ସମ୍ପୃକ୍ତ । ମନ୍ଦିର ପକ୍ଷରୁ ଦାବି କରାଯାଇଥିଲା ଯେ, ୧୯୫୧ ମସିହାରେ ଏକ ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ପାଇଁ ଦିଆଯାଇଥିବା ଦୀର୍ଘମିଆଦୀ ଲିଜ୍ ଆଇନସମ୍ମତ ନଥିଲା ଏବଂ ସେହି ଲିଜ୍କୁ ଆଧାର କରି ପରବର୍ତ୍ତୀ ସମୟରେ ହାଲ ରେକର୍ଡରେ ବେସରକାରୀ ପକ୍ଷ ତଥା “ନିଳମଣି ଦୁବେ” ଓ ଅନ୍ୟମାନେ ଏବଂ “ଗୋପବନ୍ଧୁ ଗ୍ଲାସ ଏଣ୍ଡ ପଟରି ୱାର୍କସ ଲିମିଟେଡ଼” ନାମକ ଏକ ସଂସ୍ଥା ନାମରେ ରେକର୍ଡ କରାଯାଇଥିଲା I
କୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ, ସେତେବେଳେ ପ୍ରଚଳିତ ଥିବା ଓଡ଼ିଶା ହିନ୍ଦୁ ଧର୍ମୀୟ ଏଣ୍ଡାଉମେଣ୍ଟ ଆଇନ, ୧୯୩୯ର ଧାରା ୫୮ ଅନୁଯାୟୀ ପାଞ୍ଚ ବର୍ଷରୁ ଅଧିକ ସମୟ ପାଇଁ ମନ୍ଦିରର ଅଚଳ ସମ୍ପଭିକୁ ଲିଜ୍ ଦେବାକୁ ହେଲେ କମିଶନର, ଏଣ୍ଡାଉମେଣ୍ଟଙ୍କ ପୂର୍ବ ଅନୁମୋଦନ ବାଧ୍ୟତାମୂଳକ ଥିଲା | କିନ୍ତୁ ଏହି ମାମଲାରେ ଏପରି କୌଣସି ଅନୁମୋଦନ ହାସଲ କରାଯାଇଥିବାର ପ୍ରମାଣ ବିପକ୍ଷ ପକ୍ଷ ଦାଖଲ କରିପାରି ନଥିଲେ | କେବଳ ଲିଜ୍ ଦଲିଲ ପଞ୍ଜୀକୃତ ହୋଇଥିବାରୁ ତାହା ଆଇନସମ୍ମତ ହୋଇଯାଏ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।
ରାୟରେ ଆହୁରି କୁହାଯାଇଛି ଯେ, ଲିଜ୍ ଦେବାର ଉଦ୍ଦେଶ୍ୟ ଥିଲା ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ l କିନ୍ତୁ ମାମଲାରେ ଉପସ୍ଥାପିତ ଦସ୍ତାବିଜରୁ ଏପରି କୌଣସି ଶିଳ୍ପ ପ୍ରତିଷ୍ଠାନ ବାସ୍ତବରେ ସ୍ଥାପିତ ହୋଇଥିବା କିମ୍ବା ମନ୍ଦିର କୌଣସି ଆର୍ଥିକ ଲାଭ ପାଇଥିବାର ପ୍ରମାଣ ମିଳିନାହିଁ I ବରଂ ତହସିଲଦାରଙ୍କ ସଦ୍ୟତମ କ୍ଷେତ୍ର ପରିଦର୍ଶନ ରିପୋର୍ଟରେ ବିବାଦୀୟ ଜମି ଏବେ ମଧ୍ୟ ଖାଲି ପଡ଼ିଥିବା ଉଲ୍ଲେଖ ରହିଛି |
କୋର୍ଟ ଏହା ମଧ୍ୟ ଦର୍ଶାଇଛନ୍ତି ଯେ, ରେକର୍ଡ ଅଫ୍ ରାଇଟ୍ସ୍ କୌଣସି ବ୍ୟକ୍ତିଙ୍କ ସ୍ୱତ୍ବ ସୃଷ୍ଟି କରେ ନାହିଁ ; ଏହା କେବଳ ଦଖଲ ସମ୍ପର୍କିତ ଏକ ପ୍ରାଥମିକ ପ୍ରମାଣ I ଯଦି ରେକର୍ଡର ମୂଳ ଆଧାର ଆଇନବିରୋଧୀ କାରବାର ଉପରେ ଆଧାରିତ ହୋଇଥାଏ,ତେବେ ସେହି ରେକର୍ଡକୁ ସଂଶୋଧନ କରିବା ପାଇଁ ରିଭିଜନାଲ କର୍ତ୍ତୃପକ୍ଷଙ୍କ ପୂର୍ଣ୍ଣ କ୍ଷମତା ରହିଛି I
ରାୟରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଶ୍ରୀଜଗନ୍ନାଥ ଟେମ୍ପଲ୍ ମ୍ୟାନେଜିଂ କମିଟି ବନାମ ସିଦ୍ଧ ମଠ ମାମଲାର ନିଷ୍ପଭିକୁ ମଧ୍ଯ ଉଲ୍ଲେଖ କରାଯାଇଛି। କୋର୍ଟ ମତ ଦେଇଛନ୍ତି ଯେ ମନ୍ଦିର ସମ୍ପଭିର ସୁରକ୍ଷା ପାଇଁ ପ୍ରଚଳିତ ସ୍ୱତନ୍ତ୍ର ଆଇନର ବ୍ୟବସ୍ଥାକୁ ସର୍ବାଧିକ ପ୍ରାଧାନ୍ୟ ଦେବା ଆବଶ୍ୟକ ଏବଂ ସେହି ବ୍ୟବସ୍ଥାର ଉଲ୍ଲଙ୍ଘନ କରି କୌଣସି ଅଧିକାର ସୃଷ୍ଟି ହୋଇପାରିବ ନାହିଁ।
ଦୀର୍ଘ ଶୁଣାଣି ପରେ କୋର୍ଟ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛନ୍ତି ଯେ ୧୯୬୫ ମସିହାରେ ପ୍ରସ୍ତୁତ ହୋଇଥିବା ହାଲ ରେକର୍ଡ ଆଇନଗତ ତ୍ରୁଟିରେ ପରିପୂର୍ଣ୍ଣ ଏବଂ ତାହାକୁ ଅବ୍ୟାହତ ରଖାଯାଇପାରିବ ନାହିଁ । ଫଳରେ ରିଭିଜନ୍ ପିଟିସନ୍କୁ ମଞ୍ଜୁର କରାଯାଇ ଜଟଣୀ ତହସିଲଦାରଙ୍କୁ ତୁରନ୍ତ ହାଲ ରେକର୍ଡ ସଂଶୋଧନ କରି ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫିତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟିଙ୍କ ନାମରେ ‘ଅନାବାଦୀ-ପୁରାତନ ପତିତ’ କିସମରେ ରେକର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଇନ ବିଶେଷଜ୍ଞଙ୍କ ମତରେ, ମନ୍ଦିର ଏବଂ ଧାର୍ମିକ ଅନୁଷ୍ଠାନର ସମ୍ପତ୍ତି ସୁରକ୍ଷା ସମ୍ପର୍କିତ ବିବାଦରେ ଏହି ରାୟ ଭବିଷ୍ୟତରେ ଏକ ଗୁରୁତ୍ଵପୂର୍ଣ୍ଣ ନଜିର ସୃଷ୍ଟି କରିବ। ପ୍ରକାଶ ଥାଉ କି, ମହାପ୍ରଭୁଙ୍କର ବିଭିନ୍ନ ଜିଲ୍ଲାରେ ଥିବା ସ୍ଥାବର ସମ୍ପତ୍ତିକୁ ନ୍ୟାୟସଙ୍ଗତ ଭାବେ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ରାଜସ୍ୱ ପ୍ରଶାସନ ବର୍ଭମାନ ସକ୍ରିୟ ଭାବେ ପଦକ୍ଷେପ ଗ୍ରହଣ କରୁଛି। ଏଥିନିମନ୍ତେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଶ୍ରୀଜଗନ୍ନାଥ ମହାପ୍ରଭୁ ଜମି ଉପବିଭାଗ (ଶ୍ରୀଜଗନ୍ନାଥ ମହାପ୍ରଭୁ ଲ୍ୟାଣ୍ଡ ସେଲ୍) ନାମରେ ନୂତନ ଉପବିଭାଗ ମଧ୍ଯ ଅବସ୍ଥାପିତ ହୋଇଛି ; ଯାହା ଅଧୀନରେ ମହାପ୍ରଭୁଙ୍କ ନାମରେ ଥିବା ସମସ୍ତ ଜମିଜମାର ସୁରକ୍ଷା ଏବଂ ସୁପରିଚାଳନା ସୁନିଶ୍ଚିତ କରାଯାଇଛି l
ଏହି ରାୟକୁ ନେଇ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀ ମାର୍ଫତ ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ଆନନ୍ଦ ବ୍ୟକ୍ତ କରିଛନ୍ତି | ଶ୍ରୀ ମନ୍ଦିର ପ୍ରଶାସନ ଆଗାମୀ ଦିନରେ ମହାପ୍ରଭୁଙ୍କ ଜମିର ପୁନରୁଦ୍ଧାର ପାଇଁ ଆବଶ୍ୟକ ପଦକ୍ଷେପ ନେବାପାଇଁ ସଂକଳ୍ପବଦ୍ଧ ବୋଲି ସେ ମତ ଦେଇଛନ୍ତି | ସେହିପରି, ଏହି ରାୟ ଜଗନ୍ନାଥପ୍ରେମୀ ଜନସାଧାରଣଙ୍କ ମନରେ ଉତ୍ସାହ ଓ ଆନନ୍ଦ ସଞ୍ଚାର କରିଛି |
