ଝାରସୁଗୁଡା– ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଝାରସୁଗୁଡା ପୁଲିସକୁ ଆଉ ଏକ ବଡ଼ ସଫଳତା ମିଳିଛି। ରେଙ୍ଗାଲି ଥାନା ପୁଲିସ ୧୧୯.୮୬୦ କେଜି ବ୍ୟବସାୟିକ ପରିମାଣର ଗଞ୍ଜେଇ ଜବତ କରିବା ସହ ଚାଲାଣରେ ବ୍ୟବହୃତ ଏକ ମାରୁତି ଏର୍ଟିଗା କାରକୁ ଜବତ କରିଛି। ତେବେ ଗାଡ଼ି ଚାଳକ ପୁଲିସକୁ ଚକମା ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର୍ ଜୁଲାଇ ମଧ୍ୟରାତ୍ରିରେ ରେଙ୍ଗାଲି ଥାନାର ଏସ୍ଆଇ ପୁଷ୍ପା ଖମାରୀଙ୍କ ନେତୃତ୍ୱରେ ପୁଲିସ ଟିମ୍ ଗୋବିନ୍ଦପୁର ଟୋଲଗେଟ୍ ନିକଟରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ। ପ୍ରାୟ ରାତି ୩ଟା ୫୦ ମିନିଟ୍ ସମୟରେ ଲଖନପୁର ପଟରୁ କନକତୋରା ଅଭିମୁଖେ ଯାଉଥିବା ଓଡି-୦୫-ପିଡି-୮୪୧୭ ନମ୍ବର ବିଶିଷ୍ଟ ଏକ ସନ୍ଦେହଜନକ ଧଳା ରଙ୍ଗର ମାରୁତି ଏର୍ଟିଗାକୁ ଅଟକାଇବାକୁ ପୁଲିସ ସଙ୍କେତ ଦେଇଥିଲା। କିନ୍ତୁ ଚାଳକ ଗାଡ଼ି ନଅଟକାଇ ଦ୍ରୁତ ଗତିରେ ଫେରାର ହେବାକୁ ଚେଷ୍ଟା କରିଥିଲା।ପୁଲିସ ତୁରନ୍ତ ଗାଡ଼ିକୁ ପିଛା କରି କତରବଗା ଆରଆଇ କାର୍ଯ୍ୟାଳୟ ନିକଟ ଦରିଡିପା ରାସ୍ତାରେ ପହଞ୍ଚିଥିଲା। ସେଠାରେ ଚାଳକ ଗାଡ଼ି ଛାଡ଼ି ଅନ୍ଧାରର ସୁଯୋଗ ନେଇ ନିକଟସ୍ଥ ଜଙ୍ଗଲକୁ ପଳାଇଯାଇଥିଲା।
ପରେ ମାଜିଷ୍ଟ୍ରେଟ ଓ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଗାଡ଼ିର ଆଇନସମ୍ମତ ତଲାସି କରାଯାଇଥିଲା। ତଲାସି ବେଳେ ଗାଡ଼ି ଭିତରୁ ତିନୋଟି ପ୍ଲାଷ୍ଟିକ ବସ୍ତାରେ ରଖାଯାଇଥିବା ୧୧୯.୮୬୦ କେଜି ଗଞ୍ଜେଇ ଜବତ କରାଯାଇଥିଲା। ସେହିପରି ଏମପି-୧୮-ଜେଡ୍ଜେ-୩୫୭୦ ନମ୍ବର ବିଶିଷ୍ଟ ଦୁଇଟି ନମ୍ବର ପ୍ଲେଟ ମଧ୍ୟ ଜବତ ହୋଇଛି। ଗାଡ଼ିର ପ୍ରକୃତ ପରିଚୟ ଲୁଚାଇବା ପାଇଁ ଏହି ନମ୍ବର ପ୍ଲେଟ ବ୍ୟବହାର କରାଯାଉଥିବା ସନ୍ଦେହ କରାଯାଉଛି।ଏହି ଘଟଣାରେ ରେଙ୍ଗାଲି ଥାନା କେସ୍ ନଂ-୧୮୪, ତାରିଖ ୦୮.୦୭.୨୦୨୬ରେ ଏନଡିପିଏସ୍ ଆଇନର ଧାରା ୨୦(ବି)(୨)(ସି) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଫେରାର ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏହି ଆନ୍ତର୍ରାଜ୍ୟ ନିଶା କାରବାର ଚକ୍ରର ଲିଙ୍କ୍ ନେଇ ପୁଲିସ ତଦନ୍ତ ଜାରି ରଖିଛି।
ଝାରସୁଗୁଡା ପୁଲିସ ପକ୍ଷରୁ କୁହାଯାଇଛି ଯେ, ନିଶାମୁକ୍ତ ଓଡ଼ିଶା ଅଭିଯାନ ଅନ୍ତର୍ଗତ ଅବୈଧ ନିଶା କାରବାର ବିରୋଧରେ ଆଗାମୀ ଦିନରେ ମଧ୍ୟ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିବ। ନିଶାଦ୍ରବ୍ୟ ସମ୍ପର୍କିତ କୌଣସି ସୂଚନା ଥିଲେ ସାଧାରଣ ଲୋକଙ୍କୁ ତୁରନ୍ତ ପୁଲିସକୁ ଜଣାଇବା ପାଇଁ ଅନୁରୋଧ କରାଯାଇଛି।
