ଭୁବନେଶ୍ୱର, ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି। କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ନାମଲେଖା ନେଇ ସରକାରଙ୍କ ଘୋଷଣା ପରେ ଏହି ପରିବର୍ତ୍ତିତ ସୂଚୀ ପ୍ରକାଶ ପାଇଛି।
ସଂଶୋଧିତ ସୂଚୀ ଅନୁସାରେ, ଯେଉଁ ଛାତ୍ରଛାତ୍ରୀମାନେ ଯୁକ୍ତ-୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇଥିଲେ, ସେମାନଙ୍କୁ ପୁଣିଥରେ ଚଏସ୍ ଫିଲିଂ କରିବାର ସୁଯୋଗ ଦିଆଯାଇଛି। ଏହି ସୁଯୋଗ ଆଜିଠାରୁ ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ।
ଛାତ୍ରଛାତ୍ରୀମାନେ ଓଟିପି ଭେରିଫିକେସନ୍ ମାଧ୍ୟମରେ ସଂଶୋଧିତ ଚଏସ୍ ଫିଲିଂ ସୁବିଧାର ବ୍ୟବହାର କରିପାରିବେ। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ଯେ, ନାମଲେଖା ସମ୍ପର୍କିତ ସମସ୍ତ ସୂଚନା ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ମାଧ୍ୟମରେ ପାଇପାରିବେ।
ବିଭାଗ ପକ୍ଷରୁ ଜାରି ସୂଚନା ଅନୁଯାୟୀ, କେବଳ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଆବେଦନ କରିଥିଲେ, ସେମାନେ ଏହି ସଂଶୋଧିତ ସୁଯୋଗର ଲାଭ ନେଇପାରିବେ।
ଏହା ପରେ ଯୁକ୍ତ-୩ ନାମଲେଖାର ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ ଜୁଲାଇ ୨୦ ତାରିଖରେ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନଙ୍କୁ ସମୟସୀମା ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।
