ଭୁବନେଶ୍ଵର,ଗୋଳନ୍ଥରା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ରାଜନୈତିକ ତାତି ବଢ଼ିଛି। ଗୋପାଳପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ଶନିବାର ସ୍ଥାନୀୟ ଏକ ହୋଟେଲରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘଟଣାର ନିରପେକ୍ଷ ତଦନ୍ତ ସହ ଅଭିଯୁକ୍ତ ବିଶ୍ୱଜିତ ଜେନାଙ୍କ ତୁରନ୍ତ ଗିରଫ ଦାବି କରାଯାଇଛି। ରାଜନୈତିକ ପ୍ରଭାବ କାରଣରୁ ପୁଲିସ ତଦନ୍ତ ପ୍ରଭାବିତ ହେଉଥିବା ଅଭିଯୋଗ କରି ଦଳ ପକ୍ଷରୁ ବିଚାରବିଭାଗୀୟ ତଦନ୍ତ ଦାବି କରାଯାଇଛି।
ବିଜେଡ଼ିର ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ କହିଥିଲେ ଯେ, ମୃତ ଛାତ୍ରୀ ଓ ବିଶ୍ୱଜିତ ଜେନାଙ୍କ ମଧ୍ୟରେ ଦୀର୍ଘ ଚାରି ବର୍ଷ ଧରି ସମ୍ପର୍କ ରହିଥିଲା। ଘଟଣା ସମୟରେ ଛାତ୍ରୀ ଦୁଇ ମାସର ଗର୍ଭବତୀ ଥିବା ନେଇ ପରିବାର ପକ୍ଷରୁ ଦାବି କରାଯାଇଛି। ଏପରି ସ୍ଥିତିରେ ପରିବାର ଅଭିଯୋଗ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନଥିବା ଘଟଣା ପୁଲିସ ତଦନ୍ତର ସ୍ୱଚ୍ଛତା ଉପରେ ପ୍ରଶ୍ନ ଉଠାଉଛି। ଅଭିଯୁକ୍ତ ଜଣେ ମନ୍ତ୍ରୀଙ୍କ ପୁତୁରା ହୋଇଥିବାରୁ ତଦନ୍ତ ଉପରେ ବାହ୍ୟ ଚାପ ଥିବା ସନ୍ଦେହ ସୃଷ୍ଟି ହୋଇଛି ବୋଲି ସେ କହିଥିଲେ।
ସେ ଆହୁରି କହିଥିଲେ ଯେ, ରାଜ୍ୟରେ ମହିଳା ଓ ଯୁବତୀଙ୍କ ପ୍ରତି ହିଂସା ଓ ଅପରାଧ ବୃଦ୍ଧି ପାଉଥିବା ବେଳେ ପୀଡ଼ିତ ପରିବାରକୁ ନ୍ୟାୟ ଦେବାରେ ସରକାର ବିଫଳ ହେଉଛନ୍ତି। ପରିବାର ବର୍ଗ ବାରମ୍ବାର ଦାବି ଉଠାଉଥିଲେ ମଧ୍ୟ ତଦନ୍ତରେ ଆଖିଦୃଶିଆ ଅଗ୍ରଗତି ଦେଖାଯାଉନଥିବା ଦୁର୍ଭାଗ୍ୟଜନକ ବୋଲି ସେ ମତ ପ୍ରକାଶ କରିଥିଲେ।
ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ କହିଥିଲେ ଯେ, ବୁଗୁଡ଼ା ଥାନା ଅନ୍ତର୍ଗତ ଘୋଡ଼ାପଡ଼ା ଅଞ୍ଚଳର ଏହି ଛାତ୍ରୀ ଗୋଳନ୍ଥରା ସ୍ଥିତ ଏକ ଘରୋଇ କଲେଜରେ ଅଧ୍ୟୟନ କରୁଥିଲେ। ଘଟଣା ପରେ ପରିବାର ସଦସ୍ୟମାନେ ଗଭୀର ମାନସିକ ଚାପ ଓ ଆଶଙ୍କା ମଧ୍ୟରେ ରହିଛନ୍ତି। ଯଦି ସେମାନଙ୍କୁ ନ୍ୟାୟ ନମିଳେ, ତେବେ ବିଜେଡ଼ି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ସେ ଚେତାବନୀ ଦେଇଥିଲେ।
ବରିଷ୍ଠ ନେତା ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ଘଟଣାର ବିଚାରବିଭାଗୀୟ ତଦନ୍ତ ଦାବି କରିବା ସହ ମୃତ ଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଥିଲେ। ଶାସକ ଦଳ ସହ ଜଡ଼ିତ ବ୍ୟକ୍ତିଙ୍କ ନାମ ଘଟଣାରେ ଆସୁଥିବାରୁ ନିରପେକ୍ଷ ତଦନ୍ତ ଆବଶ୍ୟକ ବୋଲି ସେ କହିଥିଲେ।
ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା କହିଥିଲେ ଯେ, ଘଟଣାର ଅନେକ ଦିଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଛାତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ପ୍ରରୋଚିତ କରାଯାଇଥିଲା କିମ୍ବା ଅନ୍ୟ କୌଣସି ଷଡ଼ଯନ୍ତ୍ର ରହିଛି, ତାହାର ଗଭୀର ତଦନ୍ତ ଆବଶ୍ୟକ। ସେହିପରି ବ୍ୟବଚ୍ଛେଦ ପ୍ରକ୍ରିୟା ଓ ସେଥିରେ ଜଣେ ଅଧିକାରୀଙ୍କ ଭୂମିକାକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଥିଲେ।
ସାମ୍ବାଦିକ ସମ୍ମିଳନୀରେ ଗଞ୍ଜାମ ଜିଲ୍ଲା ବିଜେଡ଼ି କାର୍ଯ୍ୟକାରୀ ସଭାପତି ଭଗବାନ ଗନ୍ତାୟତ, ସୁବାସ ମହାରଣା, ଅଜିତ ଦାସ, ଦୀପକ କୁମାର ସାମନ୍ତ, ଭାରତୀ ନାୟକ, ତପୋଇ ଦାସ, ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ୍, ପ୍ରତାପ ଚନ୍ଦ୍ର କୋଠିଆ, ଦଣ୍ଡପାଣି ସାହୁ, ଛାତ୍ର ବିଜେଡ଼ି ଜିଲ୍ଲା ସଭାପତି ଶୋଭନ ନାୟକ, ଜ୍ୟୋତି ରଞ୍ଜନ ସାହୁଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।
