ଭୁବନେଶ୍ୱର – ଲୋକ ସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୁରୁବାର ପାନୀୟ ଜଳ ସମ୍ବନ୍ଧିତ ବିଭିନ୍ନ ସମସାମୟିକ ବିଷୟ ଉପରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକ ଗଣମାଧ୍ୟମକୁ ସମ୍ବୋଧନ କରିଥିଲେ। ଏହା ପୂର୍ବରୁ ରାଜ୍ୟର ପାନୀୟ ଜଳ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତି ସମ୍ପର୍କରେ ପାନୀୟ ଜଳ ନିର୍ଦ୍ଦେଶକ ଭିନୀତ ଭରଦ୍ୱାଜଙ୍କ ସହ ଏକ ବିସ୍ତୃତ ସମୀକ୍ଷା ଆଲୋଚନା ଅନୁଷ୍ଠିତ ହୋଇଥିଲା।
ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ସରକାର ୨୦୨୭ ମାର୍ଚ୍ଚ ଶେଷ ସୁଦ୍ଧା ସମସ୍ତ ଗ୍ରାମକୁ ପାଇପ୍ ଜଳ ସୁବିଧା ପହଂଚାଇବାକୁ ପ୍ରତିବଦ୍ଧ ଏବଂ ଏହି ଲକ୍ଷ୍ୟ ପୂରଣ ପାଇଁ ବିଭାଗ ପକ୍ଷରୁ ସମସ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି।
ମୋଟ ୨୦୭ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ୩୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି, ଯାହା ମାଧ୍ୟମରେ ମୋଟ ୨୪୦୨ଟି ଗ୍ରାମକୁ ପାଇପ୍ ଜଳ ସୁବିଧା ଯୋଗାଇ ଦିଆଯାଇଛି।ଅନ୍ୟ ୧୪ଟି ପ୍ରକଳ୍ପ ଚଳିତ ମାସ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ହେବାକୁ ଯାଉଛି, ଯାହା ମାଧ୍ୟମରେ ଆହୁରି ୧୩୩୧ଟି ଗ୍ରାମ ଉପକୃତ ହେବ। ୩୫ଟି ମେଗା ପାଇପ୍ ଜଳ ଯୋଗାଣ ପ୍ରକଳ୍ପର ଆଂଶିକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ, ସେଥିରୁ ୩୨୧୦ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ କରାଯାଉଛି। ଏପର୍ଯ୍ୟନ୍ତ ୧୮୫୫୨ଟି ସିଙ୍ଗଲ୍ ଭିଲେଜ୍ ସ୍କିମ୍ ସମ୍ପୂର୍ଣ୍ଣ ହୋଇ ସୁରକ୍ଷିତ ପାନୀୟ ଜଳ ଯୋଗାଣ କରୁଛି। ମୋଟ ୬୩୬୯ଟି ସୋଲାର ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ୨୦୨୪ ମସିହାରୁ ବିଭିନ୍ନ ଅଞ୍ଚଳରେ ଜଳ ସଂକଟ ଦୂର କରିବା ପାଇଁ ୩୭୮୭୬ଟି ଟ୍ୟୁବୱେଲକୁ ଅନୁମୋଦନ କରାଯାଇଛି। ଚଳିତ ବର୍ଷ ମଧ୍ୟ ଜଳ ସଂକଟପ୍ରବଣ ଅଂଚଳଗୁଡ଼ିକୁ ସୁରକ୍ଷିତ ପାନୀୟ ଜଳ ଯୋଗାଇବା ପାଇଁ ୬୨୯ଟି ଟ୍ୟାଙ୍କର୍ ନିଯୁକ୍ତ କରାଯାଇଛି।ବିଭିନ୍ନ ଗ୍ରାମାଂଚଳରେ ମୋଟ ୮୨୮୧ଟି ଜଳଛତ୍ର ଖୋଲାଯାଇଛି।
ସମୁଦାୟ ଭାବେ ଏପର୍ଯ୍ୟନ୍ତ ୨୦୮୭୫ଟି ଗ୍ରାମକୁ ପାଇପ୍ ଜଳ ଯୋଗାଣ ଅଧୀନରେ ଆଣାଯାଇଛି। ଏହା ସହିତ, ୭୦୪୨ଟି ଗ୍ରାମରେ ଷ୍ଟାଣ୍ଡ ପୋଷ୍ଟ ମାଧ୍ୟମରେ ଜଳ ଯୋଗାଣ କରାଯାଉଛି।
