-
ଗୃହ ବାରମ୍ବାର ମୁଲତବୀ
ଭୁବନେଶ୍ୱର– ବିରୋଧୀ ଦଳ ପକ୍ଷରୁ ଦିଆଯାଉଥିବା ପ୍ରଶ୍ନ ଗୁଡିକର ଲଟେରି ନହେବା ନେଇ ସୋମବାର ବିଧାନସଭାରେ ବିଜେପି ପକ୍ଷରୁ ପ୍ରବଳ ହଟ୍ଟଗୋଳ କରାଯାଇଥିଲା । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏହାକୁ ଏଡାଇବା ପାଇଁ ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ବାଚସ୍ପତି ଏସମ୍ପର୍କରେ ରୁଲିଂ ଦେବା ପରେ ହଟ୍ଟଗୋଳର ଅବସାନ ହୋଇଥିଲା । ହଟ୍ଟଗୋଳ ଯୋଗୁଁ ପ୍ରଶ୍ନୋତର କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା । ଅନ୍ୟପକ୍ଷରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଥିବାରୁ ମୁଲତବୀ ପ୍ରସ୍ତାବ ଆସିନଥିଲା । କେବଳ ଶୂନ୍ୟକାଳ କାର୍ଯ୍ୟକ୍ରମ ହୋଇପାରିଥିଲା ।
ନିର୍ଦ୍ଧାରିତ କାର୍ଯ୍ୟସୂଜୀ ଅନୁଯାୟୀ ବାଚସ୍ପତି ଶ୍ରୀ ପାତ୍ର ସୋମାବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହ କାର୍ଯ୍ୟ
ଆରମ୍ଭ କରିବାକୁ ଗଲାବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ନିଜ ଆସନରେ ଠିଆ ହୋଇ ଅଭିଯୋଗ କରିଥିଲେ ଯେ ସେ ଦେଇଥିବା କେତକ ନିର୍ଦ୍ଦିଷ୍ଟ ପ୍ରଶ୍ନ ତାରକା ଚିହ୍ନିତ ପ୍ରଶ୍ନରେ ସ୍ଥାନିତ କରାଯାଇ ନାହିଁ । ଜାଣିଶୁଣି ଏହା କରାଯାଇଛି । ମନ୍ତ୍ରୀମାନଙ୍କ କଥାରେ ଏହା କରାଯାଇଛି । ଏସମ୍ପର୍କରେବିରୋଧୀ ଦଳ ନେତା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି ବାଚସ୍ପତି ଜଣାଇଥିଲେ । ତା ସତ୍ୱେ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଗଲା ନାହିଁ । ଯେ ପର୍ଯ୍ୟନ୍ତ ଏହା ଉପରେ କୌଣସି ନିର୍ଦ୍ଦଷ୍ଟ ରୁଲିଂ ରଖିବେ ନାହିଁ ସେପର୍ଯ୍ୟନ୍ତ ଗୃହକୁ ଚଳାଇ ଦିଆଯିବ ନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିଭାଗ ସମ୍ପର୍କରେ କରିଥିବା ପ୍ରଶ୍ନ ମଧ୍ୟ ସ୍ଥାନ ପାଇନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଥିଲେ ।
ବାଚସ୍ପତି ଏହା ଉପରେ କୌଣସି ରୁଲିଂ ନରଖିବାରୁ ବିଜେପି ସଦସ୍ୟମାନେ ଗୃହର ମଧ୍ୟ ଭାଗକୁ ପଳାଇ ଆସି ପାଟିତୁଣ୍ଡ କରିଥିଲେ । ଫଳରେ ବାଚସ୍ପତି ୧୦ଟା ୩୨ ରୁ ୧୧ ଟା ୩୦ ଏବଂ ୧୧ ଟା ୩୦ ରୁ ୧୧ ଟା ୪୦ , ୧୧ ଟା ୪୦ରୁ ୧୧ ଟା ୪୫ ଗୃହକୁ ମୁଲତବୀ ରଖିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା ଏବଂ ବାଚସ୍ପତି ତାଙ୍କ ନିଷ୍ପତି ଶୁଣାଇବା ପରେ ଗୃହ ସ୍ୱାଭାବିକ ଚାଲିଥିଲା ।