-
ପୁଅ ସମ୍ପାଦକ, ବାପା ପିଅନ-ନିଯୁକ୍ତି ନେଇ ପ୍ରଶ୍ନ,
-
ତଦନ୍ତ ଦାବି କଲେ ଚାଷୀ ନେତା ପ୍ରଶାନ୍ତ,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ଜିଲ୍ଲାର ଗୋପ୍ ବ୍ଲକ୍ ଅନ୍ତର୍ଗତ ବଣିଆଶାହି ଗ୍ରାମ ପଞ୍ଚାୟତରେ ଅବସ୍ଥିତ ସାମନ୍ତରାପୁର ପ୍ରାଇମାରୀ ଏଗ୍ରିକଲ୍ଚରାଲ୍ କୋଅପରେଟିଭ୍ ସୋସାଇଟି ମଣ୍ଡିରେ ଧାନ କିଣା ଓ ଉଠା ପ୍ରକ୍ରିୟାରେ ଗମ୍ଭୀର ଅନିୟମିତତା ଘଟୁଥିବା ଅଭିଯୋଗ ସାମ୍ନାକୁ ଆସିଛି।ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ଓଡ଼ିଶାର ରାଜ୍ୟ ସମ୍ପାଦକ ତଥା ପୁରୀ ଜିଲ୍ଲା ଧାନ କ୍ରୟ କମିଟି ର ସଦସ୍ୟ ଥିବା ଚାଷୀ ପ୍ରତିନିଧି ପ୍ରଶାନ୍ତ ସ୍ୱାଇଁ(ଲୁଲୁ) ଓଡ଼ିଶା ସରକାରଙ୍କ ସମବାୟ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ମୁଖ୍ୟ ସଚିବଙ୍କୁ ଏକ ଲିଖିତ ଅଭିଯୋଗପତ୍ର ପ୍ରେରଣ କରିଛନ୍ତି। ଅଭିଯୋଗ ଅନୁସାରେ, ଫେବୃଆରୀ ୧୬, ୨୦୨୬ ରାତି ପ୍ରାୟ ୧୦ଟା ୪୫ରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ସମନ୍ତରପୁର ମଣ୍ଡି ପ୍ରାଙ୍ଗଣରେ ତରବରିଆ ଧାନ ଉଠା କାର୍ଯ୍ୟ ଚାଲିଥିଲା। ଏ ସମ୍ବନ୍ଧୀୟ ଫଟୋ ଓ ଭିଡିଓ ପ୍ରମାଣ ମଧ୍ୟ ଦାଖଲ କରାଯାଇଥିବା ସେ ଦାବି କରିଛନ୍ତି।
ଅଭିଯୋଗ ଅନୁଯାୟୀ, ରାତି ସମୟରେ କମ୍ ଗୁଣବତ୍ତାର ଧାନ ଗୁପ୍ତ ଭାବେ ମିଲରଙ୍କୁ ଉଠାଯାଉଥିବା ସହ ଏଥିପାଇଁ ଅନଧିକୃତ ଅର୍ଥ ନେଣଡଦେଣ ହେଉଥିବା ଆରୋପ ହୋଇଛି। ଏହି ସମୟରେ ମଣ୍ଡିର ସମ୍ପାଦକ ଓ ଅଧ୍ୟକ୍ଷ ଉପସ୍ଥିତ ନଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ଅଛି।ଜିଓଟ୍ୟାଗ୍ ତଥ୍ୟରେ ଡିଜିଟାଲ୍ ସ୍କେଲ୍ରେ ଧାନ ଓଜନ କରାଯାଉଥିବା ଦୃଶ୍ୟରେ କିଛି ଅନଧିକୃତ ବ୍ୟକ୍ତି ଥିବା କଥା କୁହାଯାଇଛି।
ପ୍ରଶାନ୍ତ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ଏହି କାର୍ଯ୍ୟ ଓଡ଼ିଶା ଷ୍ଟେଟ୍ ସିଭିଲ୍ ସପ୍ଲାଇଜ୍ କର୍ପୋରେସନ୍ ର ଅପରେସନାଲ୍ ଗାଇଡଲାଇନ୍, ଫିଫୋ ନିୟମ, ଗୁଣବତ୍ତା ଯାଞ୍ଚ ଓ ସ୍ୱଚ୍ଛତା ନିର୍ଦ୍ଦେଶାବଳୀଙ୍କ ଉଲ୍ଲଂଘନ ହୋଇପାରେ। ବିରୋଧ କରିଥିବା କୃଷକମାନଙ୍କୁ ସମ୍ପାଦକଙ୍କ ପିତା, ଯିଏ ମଣ୍ଡିରେ ପିଅନ୍ ଭାବେ କାର୍ଯ୍ୟରତ ବୋଲି କୁହାଯାଉଛି, ଓ ଅନ୍ୟ କିଛି ବ୍ୟକ୍ତି ଗାଳିଗୁଲଜ ଓ ଧମକ ଦେଇଥିବା ଅଭିଯୋଗ ମଧ୍ୟ ରହିଛି।
ଏହା ସହ କିଛି ବୋର୍ଡ ଅଫ୍ ଡିରେକ୍ଟର୍ସ ସଦସ୍ୟମାନେ କୃଷକମାନଙ୍କୁ ପ୍ରଶାସନଙ୍କ ନିକଟରେ ଅଭିଯୋଗ ନ କରିବାକୁ ଚାପ ସୃଷ୍ଟି କରୁଥିବା ଏବଂ ଅଭିଯୋଗ କଲେ ବାକି ଧାନ ମିଲର ଉଠାଇବେ ନାହିଁ ବୋଲି ଭୟ ଦେଖାଉଥିବା କଥା ସ୍ଥାନୀୟ ଲୋକେ କହିଛନ୍ତି।
ଧାନ କିଣା ପ୍ରକ୍ରିୟା ସରକାରୀ ନିର୍ଦ୍ଦେଶାବଳୀ ଓ ନିର୍ଦ୍ଧାରିତ ମାନକ ପ୍ରକ୍ରିୟା ଅନୁସାରେ ସ୍ୱଚ୍ଛତା ଓ ରେକର୍ଡ ରକ୍ଷା ସହ କରାଯିବା ଆବଶ୍ୟକ। ରାତି ସମୟରେ ଅନଧିକୃତ ଭାବେ ଷ୍ଟକ୍ ଉଠା ହେଲେ, ଷ୍ଟକ୍ ରେଜିଷ୍ଟର, ଗେଟ୍ ପାସ୍, ଅନଲାଇନ୍ ଏଣ୍ଟ୍ରି ଓ ସିସିଟିଭି ରେକର୍ଡ ଯାଞ୍ଚ ମାଧ୍ୟମରେ ପ୍ରମାଣ ସଂଗ୍ରହ ହୋଇପାରେ। ଅଭିଯୋଗ ସତ୍ୟ ପ୍ରମାଣିତ ହେଲେ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ ବିଭାଗୀୟ ତଦନ୍ତ ସହ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇପାରେ।
ପ୍ରଶାନ୍ତ ସ୍ୱାଇଁ ଙ୍କ ଦାବୀ ଅନୁଯାୟୀ ପୁରୀ ଜିଲ୍ଲାପାଳଙ୍କ ଦ୍ୱାରା ତୁରନ୍ତ ମଣ୍ଡି ପରିଦର୍ଶନ ହେବା ସହ ଷ୍ଟକ୍ ରେଜିଷ୍ଟର, ଗେଟ୍ ପାସ୍, ଅନଲାଇନ୍ ଏଣ୍ଟ୍ରି ଓ ସିସିଟିଭି ଫୁଟେଜ୍ର ସଂପୂର୍ଣ୍ଣ ଯାଞ୍ଚ ଏବଂ ସମ୍ପୃକ୍ତ ମିଲର, ସମ୍ପାଦକ, ଅଧ୍ୟକ୍ଷ ଓ ଅନ୍ୟମାନଙ୍କ ଭୂମିକାର ନିଷ୍ପକ୍ଷ ତଦନ୍ତ ହେଉ ।ଦୋଷ ପ୍ରମାଣିତ ହେଲେ ବିଭାଗୀୟ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ସହ ୭ରୁ ୧୦ ଦିନ ମଧ୍ୟରେ ତଦନ୍ତ ରିପୋର୍ଟ ପ୍ରକାଶ କରାଯାଉ। ଏହି ଘଟଣା ସର୍ବନିମ୍ନ ସହାୟକ ମୂଲ୍ୟ ରେ ଧାନ ବିକ୍ରୟ କରୁଥିବା କୃଷକମାନଙ୍କ ସ୍ୱାର୍ଥକୁ ପ୍ରଭାବିତ କରୁଥିବା ସହ ସରକାରୀ ଧାନ କ୍ରୟ ପ୍ରକ୍ରିୟାର ସ୍ୱଚ୍ଛତାକୁ ପ୍ରଶ୍ନରେ ରଖୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ କିଣା ବିଳମ୍ବ ଓ ଗୁଣବତ୍ତା କଟଣୀ ନେଇ ଅଭିଯୋଗ ଆସୁଥିବା ପରିପ୍ରେକ୍ଷିରେ ଏହି ମାମଲାକୁ ଗୁରୁତ୍ୱ ସହ ତଦନ୍ତ କରିବାକୁ କୃଷକ ମହଲରେ ଦାବି ଉଠିଛି।
