ନୂଆପଡ଼ା– ନୂଆପଡ଼ା ଜିଲ୍ଲା ନ୍ୟାୟାଳୟ ପରିସର ମଧ୍ୟରେ ଥିବା ଜିଲ୍ଲା ଓକିଲ ସଂଘ ସଭାଗୃହରେ ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠିତ ହେବାକୁ ଯାଉଥିବା ‘ଦେଶ ପାଇଁ ମଧ୍ୟସ୍ଥତା ୨.୦’ କାର୍ଯ୍ୟକ୍ରମକୁ ସଫଳ ରୂପେ ସମ୍ପାଦନ କରିବା ଉଦ୍ଦେଶ୍ଯରେ ଆଜି ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଜିଲ୍ଲା କୋର୍ଟର ନିବନ୍ଧକ ସୌଭାଗ୍ଯ ରଞ୍ଜନ ପ୍ରଧାନ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତିଶ ଅଶୋକ ବୋଧନକର, ଉପ-ସଭାପତି ପ୍ରକାଶ ସ୍ୱାଇଁ, ସଚିବ ପ୍ୟାରିଲାଲ ଦେୱାଙ୍ଗନ୍, ବରିଷ୍ଠ ଆଇନଜୀବିଗଣ ପ୍ରମୁଖ ଉପସ୍ଥିତ ହୋଇ ମଧ୍ୟସ୍ଥତା ମାଧ୍ୟମରେ କିପରି ଅଧିକରୁ ଅଧିକ ମାମଲାର ସମାଧାନ ହୋଇ ପାରିବ ତା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାଶ ପ୍ୟାନେଲ ଓକିଲ, ଅଧିକାର ମିତ୍ରଗଣ ଏବଂ ଗଣମାଧ୍ୟମ ପ୍ରତିନିଧିମାନଂକୁ ମଧ୍ୟସ୍ଥତା କାର୍ଯ୍ୟକ୍ରମର ବୃହତ୍ ପ୍ରଚାର କରିବା ପାଇଁ ଅନୁରୋଧ କରିଥିଲେ । ମଧ୍ୟସ୍ଥତା ମାଧ୍ୟମରେ ନିଜର ବହୁଦିନର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ ତଥା ଫୌଜଦାରୀ (ସାଲିସ ଯୋଗ୍ୟ), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବୈବାହିକ ମାମଲା, ଜମି ଅଧିଗ୍ରହଣ, ଚେକ୍ ବାଉନ୍ସ ମାମଲା, ଖାଉଟି କଲ୍ୟାଣ ମାମଲା ଇତ୍ୟାଦିର ଆପୋଷ ସହମତିରେ କମ ଖର୍ଚ୍ଚରେ ଏବଂ ସରଳ ଉପାୟରେ ସମାଧାନ କରିବାକୁ ଜନସାଧାରଣଙ୍କୁ ଆହ୍ବାନ କରିଥିଲେ ଓ ନିକଟସ୍ଥ ନ୍ୟାୟାଳୟରେ ନିଜର ବିଚାର ଅପେକ୍ଷାରେ ଥିବା ମାମଲାରେ ମଧ୍ୟସ୍ଥତା ପାଇଁ ଆବେଦନ କରିବାକୁ ଅନୁରୋଧ କରିଥିଲେ ।
