ନୂଆଦିଲ୍ଲୀ– ହିନ୍ଦୁସ୍ଥାନ ଏୟାରୋନଟିକ୍ସ ଲିମିଟେଡ୍ (ଏଚଏଏଲ) ଗୁରୁବାର ଭାରତୀୟ ବାୟୁସେନାକୁ ସମୟରେ ଏଲ୍ସିଏ ମାର୍କ-୧ଏ ଯୁଦ୍ଧବିମାନ ଯୋଗାଇଦେବାକୁ ଆଶ୍ୱାସନା ଦେଇଛି। ଯୋଗାଣ ପାଇଁ ପାଞ୍ଚଟି ତେଜସ୍ ମାର୍କ-୧ଏ ଯୁଦ୍ଧବିମାନ ପ୍ରସ୍ତୁତ ଅଛି, ଯାହାର ଫାୟରିଂ ଓ ମିସାଇଲ୍ ଟ୍ରାୟାଲ୍ଗୁଡ଼ିକ ସମ୍ପୂର୍ଣ୍ଣ ହୋଇସାରିଛି। ବାୟୁସେନା ଏହି ଯୁଦ୍ଧବିମାନଗୁଡ଼ିକର ଯୋଗାଣ ଗ୍ରହଣ କରିବା ପୂର୍ବରୁ ଚଳିତ ବର୍ଷ ମେ’ ମାସରେ ‘କମ୍ବାଟ୍ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ’ର ସମୀକ୍ଷା କରିବ।
ଭାରତୀୟ ବାୟୁସେନା ଏଚଏଏଲକୁ ଦୁଇ କିସ୍ତିରେ ମୋଟ ୧୮୦ଟି ତେଜସ୍ ମାର୍କ-୧ଏ ଯୁଦ୍ଧବିମାନର ଅର୍ଡର ଦେଇଛି। ପ୍ରଥମ ଅର୍ଡର ଫେବୃଆରୀ ୨୦୨୧ରେ ୮୩ଟି ଯୁଦ୍ଧବିମାନ ପାଇଁ ଦିଆଯାଇଥିଲା ଏବଂ ଦ୍ୱିତୀୟ ଅର୍ଡର ଗତ ବର୍ଷ ସେପ୍ଟେମ୍ବରରେ ୯୭ଟି ବିମାନ ପାଇଁ ଦିଆଯାଇଥିଲା। ଏହି ଦୁଇଟି ସମ୍ମତି ଅନୁଯାୟୀ ଏଚଏଏଲରୁ ବାୟୁସେନାକୁ ୧୪୧ଟି ଯୁଦ୍ଧବିମାନ ଏବଂ ୩୯ଟି ଟ୍ରେନର ବିମାନ ମିଳିବା କଥା।
ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ବିମାନ ଯୋଗାଇ ନଦେବାକୁ ନେଇ ବାୟୁସେନା ପ୍ରମୁଖ ଅନେକ ସମୟରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ମଧ୍ୟରେ, ମେ’ ମାସରେ ପାକିସ୍ତାନ ସହ ‘ଅପରେସନ୍ ସିନ୍ଦୂର’ ସମୟରେ ମଧ୍ୟ ସ୍ୱଦେଶୀ ଯୁଦ୍ଧବିମାନର ଆବଶ୍ୟକତା ଗଭୀରଭାବେ ଅନୁଭୂତ ହୋଇଥିଲା।
