ନୂଆଦିଲ୍ଲୀ– ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ୭୮ତମ ପୁଣ୍ୟତିଥି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସହ ବିଭିନ୍ନ ରାଜନୈତିକ ଦଳ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ରାଜଘାଟସ୍ଥ ମହାତ୍ମା ଗାନ୍ଧୀଙ୍କ ସମାଧି ସ୍ଥଳରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନାରେ ଅଂଶଗ୍ରହଣ କରିଥିଲେ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଘାଟକୁ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ସେ ସର୍ବଧର୍ମ ପ୍ରାର୍ଥନାରେ ମଧ୍ୟ ଅଂଶ ନେଇଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜଘାଟରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କର ଶାଶ୍ୱତ ଆଦର୍ଶକୁ ରାଷ୍ଟ୍ରର ଯାତ୍ରାର ମାର୍ଗଦର୍ଶକ ଭାବେ ଉଲ୍ଲେଖ କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କର ସିଦ୍ଧାନ୍ତ, ନ୍ୟାୟ, ସଦ୍ଭାବ ଓ ମାନବତାର ସେବା ଉପରେ ଆଧାରିତ ଭାରତ ଗଢ଼ିବା ପ୍ରତି ଆମେ ଆମର ପ୍ରତିବଦ୍ଧତାକୁ ପୁନଃନିଶ୍ଚିତ କରୁଛୁ।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ପୁଣ୍ୟତିଥି ଅବସରରେ ତାଙ୍କ ସମାଧି ସ୍ଥଳ ରାଜଘାଟରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଏବଂ ସେଠାରେ ଆୟୋଜିତ ସର୍ବଧର୍ମ ପ୍ରାର୍ଥନା ସଭାରେ ଅଂଶଗ୍ରହଣ କରି ତାଙ୍କର ସତ୍ୟନିଷ୍ଠ ଜୀବନ, ଅଦମ୍ୟ ତ୍ୟାଗ, ନୈତିକ ସାହସ ଓ ଅହିଂସାର ଶ୍ରେଷ୍ଠ ଆଦର୍ଶକୁ ସ୍ମରଣ କରିଥିଲେ। ସେ କହିଥିଲେ ଯେ ବାପୁଙ୍କ ସମଗ୍ର ଜୀବନ ମାନବତା, କରୁଣା ଓ ଆତ୍ମଶୁଦ୍ଧିର ଏକ ଉଜ୍ଜ୍ୱଳ ଦୀପସ୍ତମ୍ଭ, ଯାହାର ଆଲୋକ ଯୁଗେ-ଯୁଗେ ଜାତୀୟ ଚରିତ୍ର, ସାମାଜିକ ସମ୍ବେଦନା ଓ ସାମୁହିକ ବିବେକକୁ ଆଲୋକିତ କରୁଥିବ।
