ମୁମ୍ବାଇ– ଗୁରୁବାର ଦିନ ବାରାମତୀର ବିଦ୍ୟା ପ୍ରତିଷ୍ଠାନ ଗ୍ରାଉଣ୍ଡରେ ପୂର୍ଣ୍ଣ ରାଜ୍ୟ ସମ୍ମାନ ସହିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାର (୬୬)ଙ୍କ ଅନ୍ତିମ ସଂସ୍କାର କରାଯାଇଛି । ପୁଅ ପାର୍ଥ ପାୱାର ଏବଂ ଜୟ ପାୱାର ମୁଖାଗ୍ନି ଦେଇଥିଲେ ।
ଏହା ପୂର୍ବରୁ, କେନ୍ଦ୍ର ମନ୍ତ୍ରୀ ଅମିତ ଶାହ, ନୀତିନ ଗଡକରୀ, ରାମଦାସ ଅଠାୱଲେ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ନେତାମାନେ ପୁଷ୍ପମାଲ୍ୟ ଅର୍ପଣ କରି ଅଜିତ ପାୱାରଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପତ୍ନୀ ସୁନେତ୍ରା ପାୱାର, ପୁଅ ପାର୍ଥ ପାୱାର, ଜୟ ପାୱାର ଏବଂ ପାୱାର ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେମାନଙ୍କ ନେତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ସମର୍ଥକଙ୍କ ଏକ ବିଶାଳ ଭିଡ଼ ଏକତ୍ର ହୋଇଥିଲା । ଲୋକମାନେ ଅଜିତ ପାୱାରଙ୍କୁ ଅଶ୍ରୁଳ ବିଦାୟ ଦେଇଥିଲେ ।
ବୁଧବାର ଦିନ ବାରାମତୀରେ ଏକ ବିମାନ ଦୁର୍ଘଟଣାରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଥିଲା । ବିମାନଟି ଅବତରଣ କରିବାକୁ ଚେଷ୍ଟା କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାରେ ତାଙ୍କର ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ, ଜଣେ ସହାୟକ ଏବଂ ଦୁଇ ଜଣ କ୍ରୁ ସଦସ୍ୟଙ୍କ ମଧ୍ୟ ମୃତ୍ୟୁ ହୋଇଥିଲା । ମହାରାଷ୍ଟ୍ର ସରକାର ତିନି ଦିନର ରାଜ୍ୟ ଶୋକ ଘୋଷଣା କରିଛନ୍ତି । ବୁଧବାର ସନ୍ଧ୍ୟାରେ ଅଜିତ ପାୱାରଙ୍କ ପାର୍ôଥବ ଶରୀରକୁ ବିଦ୍ୟା ପ୍ରତିଷ୍ଠାନକୁ ଅଣାଯାଇଥିଲା । ଏହା ପରେ, ଆଜି ସକାଳେ ପାର୍ଥିବ ଶରୀରକୁ ବାରାମତୀର କାଠେୱାଡିକୁ ଅଣାଯାଇଥିଲା । କାଠେୱାଡିରୁ ଅଜିତ ପାୱାରଙ୍କ ଅନ୍ତିମ ଯାତ୍ରା ଆରମ୍ଭ ହୋଇଥିଲା । ସମଗ୍ର ବାରାମତୀରେ “ଦାଦା, ଫେରି ଆସନ୍ତୁ” ଧ୍ୱନିରେ ବାୟୁମଣ୍ଡଳ ପ୍ରକମ୍ପିତ ହୋଇଥିଲା । ସମର୍ଥକମାନେ “ଏକ ବାଦା ଅଜିତ ଦାଦା” ଧ୍ୱନି ଦେଇ ତାଙ୍କୁ ଶେଷ ବିଦାୟ ଦେଇଥିଲେ ।
