ଧର୍ମଶାଳା– ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଧର୍ମଶାଳା ବ୍ଲକ ଜାରକା ମହୋତ୍ସବ ପଡ଼ିଆରେ ବ୍ଲକ ପ୍ରଶାସନ ପକ୍ଷରୁ ପତାକା ଉତୋଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଧର୍ମଶାଳା ବିଡ଼ିଓଙ୍କ ତତ୍ତ୍ଵାବଧାନରେ ବିଧାୟକ ହିମାଂଶୁ ଶେଖର ସାହୁ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ । ବ୍ଲକ ବିଭିନ୍ନ ସ୍ଥାନରୁ ଆସିଥିବା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦେଶାତ୍ମକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସେମାନଙ୍କର ପ୍ରତିଭା ଦେଖାଇ ଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।
ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ବ୍ରହ୍ମବରଦା ପଞ୍ଚାୟତ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମେଲଣ ପଡ଼ିଆରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ମମତା ଶୁଭ ଦର୍ଶନି ଦେଓଙ୍କ ତତ୍ତ୍ଵାବଧାନରେ ନିଆରା ଢଙ୍ଗରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିଲା । ବରୀ ଯୁବନେତା ଉମେଶ ଚନ୍ଦ୍ର ଜେନା ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରିଥିଲେ । ବରୀ ବ୍ଲକ ଅଧ୍ୟକ୍ଷ, ଯୁବ ସମାଜସେବୀ ଆଲେକଜାଣ୍ଡାର ଦାସ, ୩୬ ନମ୍ବର ଜୋନ ଜିଲ୍ଲା ପରିଷଦ ସଭ୍ୟା ଭାରତୀ ବିଶ୍ଵାଳ, ସମିତି ସଭ୍ୟ ରୁକ୍ସାନା ପର୍ବିନ୍, ଡ଼ିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ମହେଶ୍ୱର ପାଢ଼ୀ, ବ୍ରହ୍ମବରଦା ଥାନା ଅଧିକାରୀ ଜୟନ୍ତୀ ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକ ପକ୍ଷରୁ ବିଭିନ୍ନ କଳା ପ୍ରଦର୍ଶନ କରିଥିଲେ । ବିବେକାନନ୍ଦ ଶିକ୍ଷା କେନ୍ଦ୍ର ପ୍ରଥମ ସ୍ଥାନ ଅଧିକାର କରିଥିଲା । ଅତିଥି ମାନେ ସେମାନଙ୍କୁ ପୁରସ୍କୃତ କରିଥିଲେ । ତା’ ସହିତ ବରିଷ୍ଠ ନାଗରିକ,ପ୍ରାକ୍ତନ ସରପଞ୍ଚ, ସମିତି ସଭ୍ୟମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
