କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ହିନ୍ଦୁ ଜାଗରଣର ଦିଗକୁ ନୂତନ ଶକ୍ତି ଏବଂ ଚେତନା ପ୍ରଦାନ କରିବା ଲକ୍ଷ୍ୟ ନେଇ ସମଗ୍ର ହିନ୍ଦୁ ସମାଜ ପକ୍ଷରୁ ସନାତନ ସଂସ୍କୃତି,ପରମ୍ପରା ଏବଂ ସାମାଜିକ ଏକତାର ପ୍ରତୀକ ସ୍ୱରୂପ ଏକ ହିନ୍ଦୁ ସମ୍ମିଳନୀ ରବିବାର ଦିନ ଆଖଣ୍ଡଳମଣି ମନ୍ଦିର ତପୋବନ ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ଗୋପୂଜନ ପରେ ହନୁମାନ ଚାଳିଶା, ନାମ ସଂକୀର୍ତନ ଏବଂ ବେଦ ଧ୍ଵନି ମଧ୍ୟରେ ଏହି ସମ୍ମିଳନୀ ଉଦଘାଟିତ ହୋଇ ଥିଲା। ସମ୍ମିଳନୀରେ ଶ୍ରୀ ଚୈତନ୍ୟ ଚନ୍ଦ୍ରାଶ୍ରମ ମଠର ମଠାଧୀଶ ଭକ୍ତି ବିଜ୍ଞାନ ଅକିଞ୍ଚନ ମହାରାଜ ମୁଖ୍ୟ ଅତିଥି, ବିଶିଷ୍ଟ ପ୍ରବଚକ ସୁଶାନ୍ତ କୁମାର ନାୟକ, ମୁକ୍ତି ମଣ୍ଡପ ପଣ୍ଡିତ ସଭାର ପଣ୍ଡିତ ବିଚିତ୍ରାନନ୍ଦ ମିଶ୍ର,ବିଶିଷ୍ଟ ସଂସ୍କୃତବିଶାରଦ ସତ୍ୟ ନାରାୟଣ ଦାଶ ପ୍ରମୁଖ ବରେଣ୍ୟ ଅତିଥି ଭାବେ ମଂଚାସୀନ ଥିଲେ।
ସମ୍ମିଳନୀରେ ବକ୍ତା ମାନେ ସ୍ବଦେଶୀ ଜାଗରଣ, ନାଗରିକ କର୍ତ୍ତଵ୍ୟ ପାଳନ, ହିନ୍ଦୁ ଜାଗରଣର ଆବଶ୍ୟକତା, କୁଟୁମ୍ବ ପ୍ରବନ୍ଧନା, ସାମାଜିକ ସମରସତ୍ତା, ପରିବେଶ ସୁରକ୍ଷା ଉପରେ ଉଦବୋଧନ ଦେଇଥିଲେ।
ବକ୍ତା ମାନେ ମାନବତା ହେଉଛି ହିନ୍ଦୁ ଚିନ୍ତନର ମୂଳମନ୍ତ୍ର ବୋଲି ବର୍ଣ୍ଣନା କରି ହିନ୍ଦୁର ଅନ୍ୟ ନାମ ଭାରତୀୟତା ବୋଲି ମତ ଦେଇଥିଲେ। ତ୍ୟାଗ ଦ୍ୱାରା ଭୋଗ କରିବା ହେଉଛି ହିନ୍ଦୁତ୍ୱ। ହିନ୍ଦୁ ମାନେ ହିଂସାକୁ ସହ୍ୟ କରନ୍ତି ନାହିଁ। ନିଜ ଜନ୍ମମାଟିକୁ ସେମାନେ ପିତୃଭୂମି, ମାତୃଭୂମି ଏବଂ ପୁର୍ଣ୍ୟ ଭୂମି ବୋଲି ବିବେଚନା କରି ମାତୃଭୂମି ଓ ମାତୃଭାଷାର ସେବା କରିବା ପାଇଁ ସର୍ବଦା ତତ୍ପର ଥାନ୍ତି।ସାମ୍ପ୍ରତିକ ସ୍ଥିତିରେ ହିନ୍ଦୁସମାଜ ଏବଂ ସନାତନ ଧର୍ମ ବିପଦରେ ଥିବା ପରିପେକ୍ଷୀରେ ସମଗ୍ର ହିନ୍ଦୁ ସମାଜ ଏକଜୁଟ ହେବାକୁ ସମ୍ମିଳନୀରେ ଆହ୍ୱାନ ଦିଆଯାଇଥିଲା।ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ ସମ୍ମିଳନୀ ସଂଯୋଜକ ଆଦିତ୍ୟ କୁମାର ଜେନା।
ପ୍ରଜ୍ଞା ସାହୁ ମଞ୍ଚ ସଂଯୋଜନା କରିଥିବା ବେଳେ ବେଦ ପାଠ କରିଥିଲେ ସୋନମ ପ୍ରିୟା ସେନାପତି। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପକ ରତ୍ନାକର ସାହୁ।ଏହି ସମ୍ମିଳନୀରେ ଆଖଣ୍ଡଳମଣିଏବଂ ଅଲା ମଚଣ୍ଡୀ ମନ୍ଦିର ବସତି ଅନ୍ତର୍ଗତ କୁମ୍ଭାର ପଡା, ନବ କଳେବର ରୋଡ, ବଡଶଙ୍ଖ, ଟିକରପଡା, ନୁଆସାହି, ଅବକାଶ ଲେନ ଅଂଚଳରୁ ସହସ୍ରାଧିକ ହିନ୍ଦୁ ଯୋଗ ଦେଇ ଥିଲେ। ଅକ୍ଷୟ ଦାଶ, ସର୍ବେଶ୍ୱର ବିଶୋଇ, ଲକ୍ଷ୍ମୀଧର ମାଝୀ, ବିକ୍ରମ ବରାଳ, ମହେନ୍ଦ୍ର ବିଶୋଇ, ସତ୍ୟ ନାରାୟଣ ଦାସ, ଦୁର୍ଗା ପ୍ରସାଦ ବିଶୋଇ,ପ୍ରସନ୍ନ କୁମାର ନାୟକ, ସବିତା ବିଶୋଇ, ଅଜୟ କୁମାର ଦାସ, ସ୍ନେହାଶିଷ ସାହୁ, ଦିଗମ୍ବର ପ୍ରଧାନ, ପ୍ରଶାନ୍ତ କୁମାର ପୃଷ୍ଟି, ଦେବୀ ପ୍ରସାଦ ଖଟେଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
