ହରିଦ୍ୱାର– ଉତ୍ତରାଖଣ୍ଡକୁ ଦୁଇଦିନିଆ ଗସ୍ତରେ ଆସିଥିବା କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ସନ୍ଧ୍ୟାରେ ହରିଦ୍ୱାର ପହଞ୍ଚିଛନ୍ତି। ସେ ରାତିରେ ପତଞ୍ଜଳି ଯୋଗପୀଠରେ ରହିଥିଲେ। ଆଜି ଅମିତ ଶାହ ସାରାଦିନ ହରିଦ୍ୱାରରେ ରହିବେ।
ପତଞ୍ଜଳି ଯୋଗପୀଠରେ ସ୍ୱାମୀ ରାମଦେବ ଓ ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଉପସ୍ଥିତିରେ ଆଚାର୍ଯ୍ୟକୁଳମର ଛାତ୍ରଛାତ୍ରୀମାନେ ଅମିତ ଶାହଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।
ସେ ସକାଳ ୧୦ଟାରେ ମହର୍ଷି ଦୟାନନ୍ଦ ଗ୍ରାମରେ ଅବସ୍ଥିତ ପତଞ୍ଜଳି ଇମର୍ଜେନ୍ସି ଏବଂ କ୍ରିଟିକାଲ କେୟାର ହସ୍ପିଟାଲର ଉଦ୍ଘାଟନ କରିବେ। ଏହା ପରେ ସେ ଗାୟତ୍ରୀ ତୀର୍ଥ ଶାନ୍ତିକୁଞ୍ଜକୁ ଯାଇ ‘ଅଖଣ୍ଡ ଜ୍ୟୋତି’ର ଦର୍ଶନ କରିବେ।
ପୂର୍ବାହ୍ନ ୧୧ଟା ୧୫ ମିନିଟରେ ସେ ବୈରାଗୀ ଦ୍ୱୀପକୁ ପହଞ୍ଚି ଗାୟତ୍ରୀ ପରିବାର ଦ୍ୱାରା ଆୟୋଜିତ ଶତାବ୍ଦୀ ବର୍ଷ ସମାରୋହରେ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରିବେ।
ଉଲ୍ଲେଖନୀୟ ଯେ, ଶାନ୍ତିକୁଞ୍ଜର ସଂସ୍ଥାପିକା ମାତା ଭଗବତୀ ଦେବୀ ଶର୍ମାଙ୍କ ଜନ୍ମ ଶତାବ୍ଦୀ ଏବଂ ଅଖଣ୍ଡ ଦୀପ ଶତାବ୍ଦୀ ବର୍ଷ ଉପଲକ୍ଷେ ଗାୟତ୍ରୀ ପରିବାରର ତତ୍ତ୍ୱାବଧାନରେ ହରିଦ୍ୱାରର ବୈରାଗୀ କ୍ୟାମ୍ପରେ ‘ଶତାବ୍ଦୀ ବର୍ଷ ସମାରୋହ ୨୦୨୬’ ନାମରେ ପଞ୍ଚଦିନିଆ କାର୍ଯ୍ୟକ୍ରମ ଚାଲିଛି। ଏହି ଆୟୋଜନରେ ଦେଶ ଓ ବିଦେଶରୁ ଆସିଥିବା ଗାୟତ୍ରୀ ପରିବାରର ହଜାର ହଜାର କାର୍ଯ୍ୟକର୍ତ୍ତା ଓ ଅନୁୟାୟୀ ଅଂଶଗ୍ରହଣ କରୁଛନ୍ତି।
