ବେଙ୍ଗାଲୁରୁ– କେନ୍ଦ୍ର ସରକାରଙ୍କ ମନରେଗା ଯୋଜନାର ନାମ ପରିବର୍ତନ ପ୍ରତିବାଦରେ କର୍ଣ୍ଣାଟକ ସରକାର ଦ୍ୱାରା ଡକାଯାଇଥିବା ସ୍ୱତନ୍ତ୍ର ବିଧାନସଭା ଅଧିବେଶନ ସମୟରେ ଗୁରୁବାର ଏକ ଅସାଧାରଣ ଘଟଣା ଘଟିଥିଲା । ରାଜ୍ୟପାଳ ଥାୱରଚାନ୍ଦ ଗେହଲଟ୍ ସରକାରଙ୍କ ପ୍ରସ୍ତୁତ ଅଭିଭାଷଣ ପଢି ନଥିଲେ ଏବଂ ତାଙ୍କ ନିଜ ଭାଷଣରୁ କିଛି ଧାଡ଼ି ପଢି ଗୃହରୁ ଚାଲିଯାଇଥିଲେ । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳଙ୍କ ପଦକ୍ଷେପ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଏହାକୁ ସମ୍ବିଧାନର ଉଲ୍ଲଂଘନ ବୋଲି କହିଥିଲେ । ଏହା ପରେ ରାଜ୍ୟ ରାଜନୀତି ଉଷ୍ମ ହୋଇ ଅଭିଯୋଗ ଏବଂ ଆରୋପ ପ୍ରତ୍ୟାରୋପର ଝଡ଼ ସୃଷ୍ଟି ହୋଇଛି ।
ରାଜ୍ୟ ସରକାର ମନରେଗା ଯୋଜନାର ନାମ ପରିର୍ତନ ବିରୋଧରେ ଆଜି ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଥିଲେ । ରାଜ୍ୟପାଳ ଗେହଲଟ୍, ଯିଏ ପ୍ରଥମେ ସ୍ୱତନ୍ତ୍ର ଅଧିବେଶନରେ ଯୋଗ ଦେବାକୁ ମନା କରିଥିଲେ, ପରେ ରାଜ୍ୟ ସରକାରଙ୍କ ଅନୁରୋଧରେ ବିଧାନସଭାରେ ପହଂଚିଥିଲେ, କିନ୍ତୁ ଗୃହକୁ ସରକାରଙ୍କ ପ୍ରସ୍ତୁତ ଅଭିଭାଷଣ ପଢ଼ିବାକୁ ମନା କରି ଦେଇଥିଲେ ଏବଂ ତାଙ୍କ ନିଜ ଭାଷଣରୁ କିଛି ଧାଡ଼ି ପଢ଼ିଥିଲେ । ଏହା ଗୃହରେ ପ୍ରବଳ ହଟ୍ଟଗୋଳ ସୃଷ୍ଟି କରିଥିଲା । ରାଜ୍ୟପାଳ ତା’ପରେ ଗୃହ ଛାଡ଼ି ଚାଲିଗଲେ ।
ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ରାଜ୍ୟପାଳ ଗେହଲଟ୍ଙ୍କ ପଦକ୍ଷେପ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, ସରକାରଙ୍କ ପ୍ରସ୍ତୁତ ଅଭିଭାଷଣ ନୁହେଁ, ବରଂ ତାଙ୍କ ନିଜ ଭାଷଣ ପଢ଼ିବା ସମ୍ବିଧାନର ଉଲ୍ଲଂଘନ କରୁଛି । ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ, ଏହା ଜନପ୍ରତିନିଧିଙ୍କ ସଭାର ଅପମାନ । ରାଜ୍ୟ ସରକାର ଏହାକୁ ଦୃଢ଼ ନିନ୍ଦା କରୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟପାଳ କେନ୍ଦ୍ର ସରକାରଙ୍କ ହାତର କଣ୍ଢେଇ ଭଳି ବ୍ୟବହାର କରୁଛନ୍ତି । ମୁଖ୍ୟମନ୍ତ୍ରୀ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏହି ମାମଲାରେ ଆଇନଗତ ଲଢ଼େଇର ବିକଳ୍ପ ଉପରେ ଆଲୋଚନା କରି ନିଷ୍ପତି ନିଆଯିବ ।
