
ବେଲଗୁଣ୍ଠା-ସୁରତ ସୁତାକଳରେ କାର୍ଯ୍ୟ ରତ ସମୟରେ ବିଦ୍ୟୁତ୍ ଆଘାତର ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖାଦେଇଛି ।କାରଖାନା ମାଲିକ କ୍ଷତିପୂରଣ ଦେବା ପାଇଁ ରାଜି ନ ହେବାରୁ ସୁରତରେ ଥିବା ପ୍ରବାସୀ ଓଡ଼ିଆ ସଂଘ ଉତ୍ତେଜିତ ହୋଇ ଦୁଇ ଦିନ ହେଲା ଶବ ରଖି ଆନ୍ଦୋଳନ ଜାରି ରଖିଛନ୍ତି ।ଏହି ଖବର ରାଜ୍ୟ ସରକାରଙ୍କ ପାଖରେ ପରଞ୍ଚିବା ପରେ ପୋଲସରା ବିଧାୟକ ଓ ତାଙ୍କ ସହ ଏକ ପ୍ରତିନିଧି ଦଳ ସୁରତରେ ପହଞ୍ଚିବା ପରେ ମୃତ ବ୍ୟକ୍ତିଙ୍କ ଶବକୁ ଆଜି ବ୍ୟବଛେଦ କରାଯାଇଛି ।୧୦ ଦଫା ଦାବି ସହ ୧୦ ଲକ୍ଷ ଟଙ୍କା ତାଙ୍କ ପରିବାରକୁ କ୍ଷତିପୁରଣ ନ ଦେଲେ ପରେ ଶବ ରଖି ଆନ୍ଦୋଳନ ଜାରି ରଖାଯିବ ଵୋଲି ସୁରତରେ ଥିବା ପ୍ରବାସୀ ଓଡ଼ିଆ ସଂଘ ର ପ୍ରମୁଖ ପ୍ରଦୀପ କୁମାର ସାହୁ ଜଣାଇଛନ୍ତି ।ଖବର ନେବାରୁ ଜଣା ପଡିଛି ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଭାବରଡା ଗ୍ରାମର ପାଣୁ ସେଠୀଙ୍କ ପୁଅ ପ୍ରଫୁଲ ସୈଠୀ (୫୦) ପ୍ରାୟ ୨୫ ବର୍ଷ ତଳୁ ପରିବାର ପ୍ରତିପୋଷଣ ପାଇଁ ଗୁଜରାଟର ସୁରତ ସହରର ଡାଇମଣ୍ଡ ନଗର ଅନ୍ତର୍ଗତ ଥିବା ଲଛଣା ବିପିଏଲ ନଗର ପ୍ଲଟ୍ ନଂ ୩୦୬-୩୦୯ ଯୟୁର ଭାଇ ଖାତା ସୂତାକଳରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ ।ଶୁକ୍ରବାର ରାତ୍ର ୯ ଘଣ୍ଟା ସମୟରେ କମ୍ପାନୀ ରେ କାର୍ଯ୍ୟ କରୁଥିବା ସମୟରେ କମ୍ପାନୀର ଏକ ଛିଡିଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ ।ସେଠାରେ କାର୍ଯ୍ୟ କରୁଥିବା ଅନ୍ୟ ଓଡ଼ିଆ ଶ୍ରମିକ ମାନେ ସଂଗେ ସଂଗ ଶିମର ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।ସେଠାରେ ପ୍ରଫୁଲଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଖବର ପ୍ରଚାରିତ ହେବା ପରେ ବହୁ ଓଡ଼ିଆ ଶ୍ରମିକ ଏକତ୍ରିତ ହୋଇ ମୟୁର ଖାତାର ମାଲିକକୁ ପ୍ରଫୁଲଙ୍କ ପରିବାରକୁ କ୍ଷତି ପୁରଣ ଦେବା ପାଇଁ ଦାବି କରିଥିଲେ ।ମାଲିକ କ୍ଷତିପୂରଣ ଦେବା ପାଇଁ ମନା କରିବା ପରେ ଉତ୍ତେଜନା ବଢ଼ିଥିଲା ।ସୁରତରେ ଥିବା ପ୍ରବାସୀ ଓଡ଼ିଆ ସଂଘ ର ନେତା ପ୍ରଦୀପ ସାହୁଙ୍କ ପାଖରେ ଖବର ପହଞ୍ଚିବା ପରେ ତାଙ୍କ ନେତୃତ୍ୱରେ ଶତାଧିକ ଶ୍ରମିକ ମୃତ ବ୍ୟକ୍ତି ଙ୍କ ପରିବାରକୁ କ୍ଷତିପୁରଣ ନ ମିଳିବା ପର୍ଯ୍ୟନ୍ତ ଶବ ବ୍ୟବଛେଦକୁ ବିରୋଧ କରି ଆନ୍ଦୋଳନ କୁ ଓହ୍ଲାଇ ଥିଲେ ।ଶନିବାର ସକାଳ ୯ ଘଣ୍ଟ ଠାରୁ ଶହ ଶହ ଶ୍ରମିକ ଏକତ୍ରିତ ହୋଇ ସମସ୍ତ ଓଡ଼ିଆ ଶ୍ରମିକଙ୍କ ପଞ୍ଜିକରଣ କରାଇବା, ବ୍ୟାଙ୍କ ଜରିଆରେ ମାସିକ ଦରମା ପୈଠ କରିବା,ବାର ଘଣ୍ଟା କାର୍ଯ୍ୟ କରିବା ବଦଳରେ ଆଠ ଘଣ୍ଟା କାର୍ଯ୍ୟ କରିବା,ଇଏସ୍ଆଇ ଓ ପିଏଫ୍ ସୁବିଧା କରାଇବା,ଶ୍ରମିକ ମାନଙ୍କୁ କାର୍ଯ୍ୟରତ ସମୟରେ ସେଫ୍ଟି ଜ୍ୟାକେଟ୍ ଯୋଗାଇ ଦେବା, ବୀମା ଭୁକ୍ତ କରିବା ସହ ମୃତ ବ୍ୟକ୍ତିଙ୍କ ପରିବାରକୁ ଦଶ ଲକ୍ଷ ଟଙ୍କା କ୍ଷତିପୂରଣ ନ ଦେଲେ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ଚେତାବନୀ ଦେଇଥିଲା ।ସୁରତ ପୋଲିସ ଓ ପ୍ରଶାସନ ସହ ଓଡ଼ିଆ ସଂଘ ର ଆଲୋଚନା ବିଫଳ ହେବା ପରେ ସଂଘ ଓଡିଶା ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଥିଲା ।ସରକାର ସ୍ଥାନୀୟ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ,ଭାବରଡା ସରପଞ୍ଚଙ୍କ ସହ ଏକ ପାଞ୍ଚ ଜଣିଆ ପ୍ରତିନିଧି ଦଲ ଆଜି ସୁରତରେ ପହଞ୍ଚିବା ପରେ ୪୧ ଘଣ୍ଟା ପରେ ଶ୍ରମିକ ମାନଙ୍କୁ ବିଧାୟକ ବୁଝାସୁଝା କରାଈ ପ୍ରଫୁଲଙ୍କ ଶବକୁ ଶିମର ଡାକ୍ତରଖାନାରେ ବ୍ୟବଛେଦ କରାଯାଇଥିଲା ।ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଶବ ସଂସ୍କାର ହୋଇପାରିନଥିବା ବେଳେ ସୁରତ ପ୍ରଶାସନ ସହ ବିଧାୟକ ଶ୍ରୀ ସାହୁ ଓ ସୁରତର ଓଡ଼ିଆ ସଂଘ କର୍ମକର୍ତ୍ତା ମାନେ ଆଲୋଚନା ଜାରି ରଖିଥିବା ଜଣାପଡିଛି ।ବିଭିନ୍ନ ସମୟରେ ଓଡ଼ିଆ ଶ୍ରମିକ ମାନଙ୍କୁ କମ୍ପାନୀ ମାଲିକ ମାନେ ନିର୍ଯାତନା ଦେଇ ଆସୁଥିବା ବେଳେ ଆଗାମୀ ଦିନରେ ଏହା ସହ୍ୟ କରାଯିବନି ବୋଲି ପ୍ରବାସୀ ଓଡ଼ିଆ ସଂଘ ର ପ୍ରମୁଖ ପ୍ରଦୀପ ସାହୁ ପ୍ରକାଶ କରିଛନ୍ତି ।
ଫଟୋ

Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO