
ଭୁବନେଶ୍ୱର– ବିରୋଧୀ ଦଳ ନେତା ଏବଂ ବିଜେଡିର ବରିଷ୍ଠ ନେତା ନବୀନ ପଟ୍ଟନାୟକ ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍ରେ ସର୍ଭାଇକାଲ୍ ଆର୍ଥରାଇଟିସ୍ର ସଫଳ ସର୍ଜରୀ କରାଇଛନ୍ତି। ଏହି ଅପରେସନ୍ ଦେଶର ପ୍ରସିଦ୍ଧ ହୃଦରୋଗ ବିଶେଷଜ୍ଞ ଏବଂ ପଟ୍ଟନାୟକଙ୍କ ବ୍ୟକ୍ତିଗତ ଚିକିତ୍ସକ ଡ଼ା. ରମାକାନ୍ତ ପଣ୍ଡାଙ୍କ ତଦାରଖରେ ହୋଇଥିଲା।
ଡ. ପଣ୍ଡା ସୂଚନା ଦେଇ କହିଛନ୍ତି ଯେ, ଅପରେସନ୍ ସମୟ ଚାରି ଘଣ୍ଟା ଲାଗିଥିଲା, ଯାହାର ପ୍ରଥମ ଦୁଇ ଘଣ୍ଟା ପୂର୍ବ ପ୍ରକ୍ରିୟା ପାଇଁ ଓ ଶେଷ ଦୁଇ ଘଣ୍ଟା ମୁଖ୍ୟ ଶଲ୍ୟଚିକିତ୍ସା ପାଇଁ ଲାଗିଛି। ସେ କହିଛନ୍ତି ଯେ ଭଗବାନ ଜଗନ୍ନାଥଙ୍କ କୃପାରେ ଅପରେସନ୍ ସଫଳ ହୋଇଛି। ଏହି ସର୍ଜରୀ ପାଇଁ ବିଶେଷ ଭାବରେ କୋଏମ୍ବାଟୁର୍ରୁ ଜଣେ ପ୍ରସିଦ୍ଧ ମେରୁଦଣ୍ଡ ଚିକିତ୍ସକଙ୍କୁ ଆଣାଯାଇଥିଲା।
ସର୍ଜରୀ ପରେ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ରିକଭରୀ ରୁମକୁ ସ୍ଥାନାନ୍ତର କରାଯାଇଛି, ଯେଉଁଠାରେ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ସେ ଚିକିତ୍ସାଗତ ନିରୀକ୍ଷଣ ଅଧୀନରେ ରହିବେ। ଡ଼ା. ରମାକାନ୍ତ ପଣ୍ଡା କହିଛନ୍ତି ଯେ ଶ୍ରୀ ପଟ୍ଟନାୟକଙ୍କ ଅବସ୍ଥା ସ୍ଥିର ଅଛି ଓ ସେ ଦ୍ରୁତ ଭାବରେ ସୁସ୍ଥ ହେଉଛନ୍ତି। ବର୍ତ୍ତମାନ ପରିସ୍ଥିତିରେ କୌଣସି ଚିନ୍ତାର କଥା ନାହିଁ। ଶ୍ରୀ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର ସାମ୍ନାକୁ ଆସିବା ସାରା ଓଡ଼ିଶଶରେ ତାଙ୍କ ସମର୍ଥକ ଓ ଦଳର କାର୍ଯ୍ୟକର୍ତ୍ତାମାନେ ତାଙ୍କ ଶୀଘ୍ର ସୁସ୍ଥତା ପାଇଁ କାମନା କରିବା ଆରମ୍ଭ କରିଦେଇଛନ୍ତି। ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର, ବାଲେଶ୍ୱରର ବାବା ଝାଡେଶ୍ୱର ମନ୍ଦିର ସହିତ ଅନ୍ୟାନ୍ୟ ସ୍ଥାନରେ ଦୀପଦାନ ଓ ବିଶେଷ ପୂଜାର ଆୟୋଜନ ହୋଇଛି। ଡ଼ା. ପଣ୍ଡା ଆଗାମୀ ଦିନରେ ମଧ୍ୟ ଶ୍ରୀ ପଟ୍ଟନାୟକଙ୍କ ଚିକିତ୍ସା ଦେଖାଶୁଣା କରିବେ। ଦଳର ନେତାମାନେ ମଧ୍ୟ ତାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା କରି ଶୁଭେଚ୍ଛା ଜଣାଇଛନ୍ତି।