
ନୂଆଦିଲ୍ଲୀ-ଚୀନରୁ ବ୍ୟାପୁଥିବା କରୋନା ଭାଇରସ ପ୍ରସଙ୍ଗ ମଙ୍ଗଳବାର ଦିନ ଲୋକସଭାରେ ଉଠିଛି । ଏ ସମ୍ପର୍କରେ ସରକାରଙ୍କ ପ କ୍ଷରୁ କଣ ପଦକ୍ଷେପ ନିଆ ଯାଇଛି ସେ ସମ୍ପର୍କରେ ସଂସଦରେ ବକ୍ତବ୍ୟ ଦେବାକୁ ଦାବି କରା ଯାଇଛି । ଲୋକସଭାରେ ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ କଂଗ୍ରେସ ସାଂସଦ ଟିଏନ ପ୍ରତାପନ । ସେ ଏହି ମାମଲା ଉତଥାପନ କରି କହିଥିଲେ ଯେ କେରଳରେ କରୋନା ଭାଇରସରେ ତିନି ଜଣ ସଂକ୍ରମିତ ହୋଇଥିବା ପୁଷ୍ଟି ହୋଇ ସାରିଛି । କେନ୍ଦ୍ର ସରକାର ଏହି ବେମାରୀକୁ ରୋକିବା ପାଇଁ କଣ କଣ ପଦକ୍ଷେପ ନେଇଛନ୍ତି ତାର ସୂଚନା ସଂସଦରେ ଦିଆ ଯିବା ଆବଶ୍ୟକ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ପ୍ରଭାବିତ ଅଂଚଳକୁ ଆବଶ୍ୟକୀୟ ଜାଂଚ ଉପକରଣ ପଠାଇବା ସହ ଚିକିତ୍ସା ଦଳକୁ ସେଠାକୁ ପଠାଇବା ଉଚିତ ।
ରିଭଲ୍ୟୁସନରୀ ସୋସିଆଲିଷ୍ଟ ପାର୍ଟିର ସାଂସଦ ଏନକେ ରାମଚନ୍ଦ୍ରନ ମଧ୍ୟ ଏହି ପ୍ରସଙ୍ଗ ଉଠାଇ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଯାଏ କେରଳକୁ ଉପଯୁକ୍ତ ସୁବିଧା ଉପଲବ୍ଧ କରା ଯାଇ ନାହିଁ । ଏ ସମ୍ପର୍କରେ ସରକାର ଗୃହରେ ବକ୍ତବ୍ୟ ରଖନ୍ତୁ ବୋଲି ସେ ଦାବି କରିଥିଲେ ।