
ନୂଆଦିଲ୍ଲୀ- ପଶ୍ଚିମ ବଙ୍ଗରେ ବିଗୁଡୁଥିବା ଆଇନ ବ୍ୟବସ୍ଥାକୁ ନେଇ ବିଜେପି ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ରାଷ୍ଟ୍ରପତିଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ପରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ ଶ୍ରୀ ବିଜୟବର୍ଗୀୟ କହିଛନ୍ତି ଯେ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେ ଧୀରେ ଖରାପ ହେବାରେ ଲାଗିଛି । ରାଜ୍ୟରେ ରାଜନୈତିକ ହତ୍ୟା ହେଉଛି । ଅରାଜକତାର ସ୍ଥିତି ଆସିବା ସହ ମହିଳା ମାନଙ୍କ ଉପରେ ଆକ୍ରମଣ ହେଉଛି । ତେଣୁ ଏ ବାବଦରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସ୍ମାରକ ପତ୍ରରେ ଦାବି କରା ଯାଇଛି । ଏହା ବାଦ ରାଜ୍ୟପାଳଙ୍କ ସୁରକ୍ଷା ସମ୍ପର୍କରେ ମଧ୍ୟ ସ୍ମାରକ ପତ୍ରରେ ଉଲ୍ଲେଖ କରା ଯାଇଛି ।
ଏହି ପ୍ରତିନିଧି ଦଳରେ କୈଳାଶ ବିଜୟବର୍ଗୀୟ ବ୍ୟତୀତ ରାଜ୍ୟ ସଭାପତି ଦିଲ୍ଲୀପ ଘୋଷ ଓ ଏସଏସ ଆହଲୁବାଲିୟା ସମେତ ଅନ୍ୟ ବରିଷ୍ଠ ନେତା ମାନେ ସାମିଲ ଥିଲେ ।