
-
ବିଜୁଙ୍କ କୀର୍ତ୍ତିକୁ ମଳିନ କରିବା ପାଇଁ ବିଧିବଦ୍ଧ ଯୋଜନା
-
ବରପୁତ୍ରଙ୍କୁ ଅସମ୍ମାନ ଓଡ଼ିଆ ଅସ୍ମିତା କି ?
-
ଓଡିଶାବାସୀଙ୍କ ସ୍ମୃତିରେ ବିଜୁ ବାବୁ ଚିରକାଳ ଅମର ରହିବେ
ଭୁବନେଶ୍ୱର , ପାଟଣାଗଡ଼ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପୋଡା ଘଟଣାକୁ ବିଜୁ ଜନତା ଦଳ ତରଫରୁ ତୀବ୍ର ନିନ୍ଦା କରା ଯିବା ସହିତ ଏହା ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରା ଯାଇଛି।
ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ଦଳର ବରିଷ୍ଠ ମିଡ଼ିଆ ସଂଯୋଜକ ଶ୍ରୀ ପ୍ରତାପ ଜେନା, ବିଧାୟକ ଶ୍ରୀ ଅରୁଣ ସାହୁ, ବିଧାୟକ ଧ୍ରୁବ ଚରଣ ସାହୁ ବିଧାୟକ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ପ୍ରଣବ ବଳବନ୍ତରାୟ ଘଟଣାର ନିନ୍ଦା କରିବା ସହିତ ବିଜୁଙ୍କ ସ୍ମୃତିକୁ ଜନ ମାନସରୁ ଲିଭାଇ ଦେବା ପାଇଁ ରାଜ୍ୟ ସରକାର ଏକ ଷଡ଼ଯନ୍ତ୍ର କରିଛନ୍ତି। ଘଟଣାକୁ ଦୃଢ଼ ନିନ୍ଦା କରିବା ସହିତ ଶ୍ରୀ ଦେବୀ ପ୍ରସାଦ ମିଶ୍ର କହିଥିଲେ ଏହା ଅସହନୀୟ ଓ ଅକ୍ଷମଣୀୟ। ଯେଉଁମାନେ ଏହି କାର୍ୟ୍ୟରେ ଲିପ୍ତ ଅଛନ୍ତି, ସେମାନଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉ ବୋଲି ଶ୍ରୀ ମିଶ୍ର ଦାବୀ କରିଥିଲେ।
ଶ୍ରୀ ପ୍ରତାପ ଜେନା କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜଣେ ସ୍ୱାଭିମାନି ଓଡ଼ିଆ, ଯାହାଙ୍କ ମର ଶରୀରରେ ତିନୋଟି ରାଷ୍ଟ୍ରର ଜାତୀୟ ପତାକା ଶୋଭା ପାଇଥିଲା। ଆଧୁନିକ ଓଡ଼ିଶା ନିର୍ମାଣରେ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ। ଓଡିଶାବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ପାଇଥିବା ବିଜୁଙ୍କ କୀର୍ତ୍ତିକୁ ମଳିନ କରିବାକୁ ଓ ତାଙ୍କ ସ୍ମୃତିକୁ ଜନ ମାନସରୁ ଲିଭାଇ ଦେବା ପାଇଁ ରାଜ୍ୟ ସରକାର କ୍ଷମତାକୁ ଆସିବା ଦିନଠାରୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ପ୍ରଥମେ ତାଙ୍କ ନାମରେ ଥିବା ଯୋଜନା ଗୁଡିକର ନାମ ପରିବର୍ତ୍ତନ କରା ଯାଇଥିଲା। ବିଜୁଙ୍କ ଜନ୍ମତିଥିରେ ରାଜ୍ୟରେ ପାଳିତ ହେଉଥିବା ପଞ୍ଚାୟତରାଜ ଦିବସ ପାଳନକୁ ବନ୍ଦ କରିବା ସହିତ ସେହି ଦିନରେ ଥିବା ସରକାରୀ ଛୁଟିକୁ ମଧ୍ୟ ବନ୍ଦ କାରି ଦେଇଥିଲେ। ଆଉ ଏବେ ବିଜୁଙ୍କ ପ୍ରତିମୂର୍ତ୍ତିକୁ ପୋଡି ଦିଆଯାଇଛି। କିନ୍ତୁ, ବିଜୁଙ୍କ କୀର୍ତ୍ତିକୁ ମଳିନ କରିବା ବିଜୁଙ୍କ ସ୍ମୃତିକୁ ଜନ ମାନସରୁ ଲିଭାଇ ଦେବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ସଫଳ ହେବ ନାହିଁ। ରାଜ୍ୟବାସୀଙ୍କ ପାଖରେ ବିଜୁ ଚିରଦିନ ପାଇଁ ଅମର ରହିବେ ବୋଲି ଶ୍ରୀ ଜେନା କହିଥିଲେ।
ଶ୍ରୀ ଅରୁଣ ସାହୁ କହିଥିଲେ, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରେ ଦୁର୍ବୁତ୍ତ ମାନଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଏହି ବୃଦ୍ଧିର କାରଣ ହେଉଛି ରାଜ୍ୟରେ ଏକ ଦୁର୍ବଳ ସରକାରର ଉପସ୍ଥିତି। ସରକାର ଅପରାଧୀ ମାନଙ୍କୁ ଧରୁଥିବା ଦାବୀ କରୁଥିଲେ ମଧ୍ୟ ବାସ୍ତବରେ ଅପରାଧ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ ବିଫଳ ହୋଇଛନ୍ତି। ବିଜୁଙ୍କ ମୂର୍ତ୍ତି ପୋଡି ଘଟଣା ସରକାରଙ୍କ ପ୍ରରୋଚନାରେ ଘଟିଛି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ। ବିଜୁଙ୍କ ପ୍ରତିମୂର୍ତ୍ତି ପ୍ରତି ଅସମ୍ମାନ ଓଡ଼ିଆ ଅସ୍ମିତା କି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ। ଏହା କିଭଳି ଭାବେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରିବ ସରକାର ସ୍ପଷ୍ଟ କରନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ।