
-
ପ୍ରଧାନମନ୍ତ୍ରୀ ହିସାରରୁ ଅଯୋଧ୍ୟା ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ ଏବଂ ହିସାର ବିମାନବନ୍ଦରର ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ
ନୂଆଦିଲ୍ଲୀ, ଆମ୍ବେଦକର ଜୟନ୍ତୀ ଅବସରରେ ଆଜି ଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ହରିଆନା ଗସ୍ତରେ ଯିବେ । ହରିଆନାରେ ସେ ସର୍ବପ୍ରଥମେ ହିସାର ଯିବେ ଏବଂ ପୂର୍ବାହ୍ନ ପ୍ରାୟ ୧୦ଟା ୧୫ ମିନିଟରେ ହିସାରରୁ ଅଯୋଧ୍ୟା ପର୍ଯ୍ୟନ୍ତ ବାଣିଜ୍ୟିକ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ଏଥିସହ ସେ ହିସାର ବିମାନବନ୍ଦରରେ ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ହିସାରରେ ଏକ ଜନସଭାକୁ ସମ୍ବୋଧିତ କରିବେ ।
ଏହାପରେ ମଧ୍ୟାହ୍ନ ପ୍ରାୟ ୧୨ଟା ୩୦ ମିନିଟରେ ପ୍ରଧାନମନ୍ତ୍ରୀ ଯମୁନାନଗରରେ ବିକାଶ ପରିଯୋଜନାର ଉଦଘାଟନ ଏବଂ ଶିଳାନ୍ୟାସ କରିବେ । ଏହି ଅବସରରେ ଶ୍ରୀ ମୋଦୀ ଉପସ୍ଥିତ ଜନସମାବେଶକୁ ସମ୍ବୋଧିତ କରିବେ ।
ବିମାନ ଉଡ଼ାଣକୁ ସୁରକ୍ଷିତ, ସର୍ବ-ସୁଲଭ ଏବଂ ସାମର୍ଥ୍ୟଯୁକ୍ତ କରିବା ଦିଗରେ ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ହିସାରସ୍ଥିତ ମହାରାଜା ଅଗ୍ରସେନ ବିମାନବନ୍ଦରର ନୂଆ ଟର୍ମିନଲ ଭବନର ଶିଳାନ୍ୟାସ କରିବେ । ଏଥିପାଇଁ ୪୧୦ କୋଟିରୁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇଛି । ଏଥିରେ ଏକ ଅତ୍ୟାଧୁନିକ ଯାତ୍ରୀ ଟର୍ମିନଲ, ଏକ କାର୍ଗୋ ଟର୍ମିନଲ ଏବଂ ଏକ ଏଟିସି ଭବନ ରହିବ । ପ୍ରଧାନମନ୍ତ୍ରୀ ହିସାରରୁ ଅଯୋଧ୍ୟାକୁ ପ୍ରଥମ ବିମାନ ଉଡ଼ାଣର ଶୁଭାରମ୍ଭ କରିବେ । ହିସାରରୁ ଅଯୋଧ୍ୟାକୁ (ସପ୍ତାହକୁ ଦୁଇଥର) ନିର୍ଦ୍ଧାରିତ ଉଡ଼ାଣ ସହ ଜମ୍ମୁ, ଅହମ୍ମଦାବାଦ, ଜୟପୁର ଏବଂ ଚଣ୍ଡିଗଡ଼କୁ ସପ୍ତାହକୁ ତିନି ଥର ଉଡ଼ାଣ ସାମିଲ ହେବ । ଏହାଦ୍ୱାରା ହରିଆନାରେ ଆକାଶ ପଥରେ ସଂଯୋଗକୁ ଏକ ବଡ଼ ଉପଲବ୍ôଧ ମିଳିବ ।
ବିଜୁଳି କ୍ଷେତ୍ରରେ ମୌଳିକ ଢାଂଚାକୁ ବଢ଼ାଇବା ସହ ସର୍ବଶେଷ ସ୍ଥାନରେ ବିଜୁଳି ଉପଲବ୍ଧ କରାଇବା ଦୃଷ୍ଟିକୋଣ ଅନୁସାରେ ପ୍ରଧାନମନ୍ତ୍ରୀ ଯମୁନାନଗରସ୍ଥିତ ଦୀନବନ୍ଧୁ ଛୋଟୁ ରାମ ଥର୍ମାଲ ପାୱାର ପ୍ଲାଂଟରେ ୮୦୦ ମେଗାୱାଟ ଆଧୁନିକ ଥର୍ମାଲ ୟୁନିଟର ଶିଳାନ୍ୟାସ କରିବେ । ୨୩୩ ଏକର ପରିବ୍ୟାପ୍ତ ଏହି ୟୁନିଟରେ ୮୪୭୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏହା ବିଦ୍ୟୁତ କ୍ଷେତ୍ରରେ ହରିଆନାକୁ ଆତ୍ମନିର୍ଭର କରିବା ସହ ରାଜ୍ୟବ୍ୟାପୀ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣରେ ସହାୟକ ହେବ ।
ଗୋବର୍ଦ୍ଧନ ତଥା ଜୈବିକ ଜୈବ-କୃଷି ସମ୍ପଦକୁ ଆଗେଇ ନେବା ଦୃଷ୍ଟିକୋଣରେ ପ୍ରଧାନମନ୍ତ୍ରୀ ଯମୁନାନଗରର ମୁକାରବପୁରଠାରେ ଏକ ବାୟୋଗ୍ୟାସ ପ୍ଲାଂଟର ଶିଳାନ୍ୟାସ କରିବେ । ଏହି ପ୍ଲାଂଟର ବାର୍ଷିକ ଉତ୍ପାଦନ କ୍ଷମତା ୨୬୦୦ ମେଟ୍ରିକ ଟନ୍ ରହିବ ଏବଂ ଜୈବ ବର୍ଜ୍ୟ ପରିଚାଳନାରେ ସହାୟକ ହୋଇପାରିବ । ଏହି ପ୍ଲାଂଟ ସ୍ୱଚ୍ଛଶକ୍ତି ଉତ୍ପାଦନ ଏବଂ ପର୍ଯ୍ୟାବରଣ ଶକ୍ତି ସଂରକ୍ଷଣ ଦିଗରେ ମଧ୍ୟ ସହାୟକ ହେବ ।