
ଭୁବନେଶ୍ୱର -ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଓଡ଼ିଶା ନାଗରିକ ମହାମଂଚ ଓ ନମାମି ମନ୍ଦାକିନୀ ପରିଷଦ ପକ୍ଷରୁ ନବବର୍ଷ, ପବିତ୍ର ମହାବିିଷୁବ ସଂକ୍ରାନ୍ତି ଅବସରରେ ପ୍ରାତଃ ସମୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ, ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ସହିତ ରାଜଧାନୀରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଗୋପବନ୍ଧୁଙ୍କ ପ୍ରତିମୂର୍ତିଠାରେ ନଡ଼ିଆ ବାଡ଼େଇବା ସହିତ ଉତ୍କଳର ମହାନ କଳା, ସଂସ୍କୃତି, ପରମ୍ପରା ସଂକୀର୍ତନ ଦ୍ୱାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଅଭିଯାନର ଅଧ୍ୟକ୍ଷ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀଙ୍କ ସଂଯୋଜନା ଓ ସଂସ୍କୃତି ପୁରୁଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ସଭାପତିତ୍ୱରେ ନିଖିଳ ଉତ୍କଳ ଆଂଚଳିକ ସଂକୀର୍ତନ ହଟକେଶ୍ୱର ଖୋର୍ଦ୍ଧା ମଣ୍ଡଳ ପକ୍ଷରୁ ସଭାପତି ମାଧବ ବେହେରା ପ୍ରମୁଖ ପଦଯାତ୍ରା କରି ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଅଧ୍ୟକ୍ଷ ଶ୍ରୀ ଶତପଥୀ ନବବର୍ଷର ଶୁଭେଚ୍ଛା ପ୍ରଦାନ କରିବା ସହିତ ଉତ୍କଳ ମହାନ ସଂସ୍କୃତି, ଐତିହ୍ୟ, ବୀରତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଆଗାମୀ ପିଢିକୁ ଆମର ମହାନ ପରମ୍ପରା ସମ୍ପର୍କରେ ଅବଗତ କରାଇବା ସହିତ ମହାପୁରୁଷ ଓ ଶହୀଦଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ମତବ୍ୟକ୍ତ କରିଥିଲେ।ଏହାପରେ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ‘ନମାମି ମନ୍ଦାକିନୀ’ ପକ୍ଷରୁ ସଂକୀର୍ତ୍ତନ, ସାହିତ୍ୟ ପରିବେଷଣ କରାଯାଇଥିଲା।