
ଗଞାମ– ହୋମିଓପାଥି ଭେଷଜ ବିଜ୍ଞାନର ସ୍ରଷ୍ଟା ଖ୍ରୀଷ୍ଟିଆନ ଫ୍ରେଡ଼ରିକ ସାମୁଏଲ ହ୍ୟାଣ୍ଣିମାନଙ୍କ ଜନ୍ମ ଦିବସ ଅବସରରେ ଡକ୍ଟର୍ସ ଫୋରମ ଓ ବିଜୁ ପଟ୍ଟନାୟକ ହୋମିଓପାଥି ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ମିଳିତ ଆନୁକୂଲ୍ୟରେ ବାବାଜୀତୋଟା ସ୍ଥିତ ହୋଟେଲ ଜେ.ବି. ପ୍ରାଙ୍ଗଣର ସମ୍ମିଳନୀ କକ୍ଷରେ ଗତ ୧୦ ତାରିଖରେ ବିଶ୍ୱ ହୋମିଓପାଥି ଦିବସ ପାଳନ କରାଯାଇଥିଲା | ପୁରାତନ ଛାତ୍ର ସଂସଦର ସଭାପତି ଡାକ୍ତର ରାଜେନ୍ଦ୍ର ପ୍ରସାଦ ପ୍ରଧାନଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅତିଥିମାନେ ପ୍ରଭୁ ଜଗନ୍ନାଥ ଓ ଡାକ୍ତର ହ୍ୟାନିମାନଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉଦଘାଟନ କାରିଥିଲେ | ସଭାପତି ତାଙ୍କ ସ୍ୱାଗତ ଅଭିଭାଷଣରେ ଆଜିର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ କହିଥିଲେ | ଡକ୍ଟର୍ସ ଫୋରମର ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହ୍ୟାନିମାନଙ୍କ ଚମତ୍କାର ଆବିଷ୍କାର ଆଜି ବିଶ୍ୱର କୋଟି କୋଟି ଜନସାଧାରଣଙ୍କ ପାଇଁ ସଂଜୀବନୀ ସ୍ୱରୂପ ସୁସ୍ଥ ଜୀବନ ଜାପନରେ ସହାୟକ ହୋଇଛି ଏବଂ ବିଶ୍ୱର ଅନ୍ୟ ଦେଶମାନଙ୍କ ଅପେକ୍ଷା ଆମ ଦେଶରେ ସର୍ବାଧିକ ହୋମିଓପାଥି ଡାକ୍ତର ଓ ଏହାକୁ ବ୍ୟବହାର କରୁଥିବା ରୋଗୀ ଅଛନ୍ତି ବୋଲି କହିଥିଲେ |
ସମ୍ପାଦକ ଡାକ୍ତର ଇନ୍ଦୁ ଭୂଷଣ ପଟ୍ଟନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ ଓ ଭବିଷ୍ୟତରେ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ | ଉପସଭାପତି ପ୍ରାଧ୍ୟାପକ ଡାକ୍ତର ପ୍ରଶାନ୍ତ କୁମାର ପତି ହୋମିଓପାଥିର ଉତ୍ପତି ଓ ତାର କାର୍ଯ୍ୟକାରିତା ଉପରେ ବିଶେଷ ଆଲୋକପାତ କରିଥିଲେ | ବିଜୁ ପଟ୍ଟନାୟକ ହୋମିଓପାଥି ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ଶ୍ରୀମତୀ ଗୀତା ପଟ୍ଟନାୟକ ହୋମିଓପାଥିର ଗବେଷଣା, ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ବ ଦେଇଥିଲେ |
ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ପ୍ରଶାନ୍ତ କୁମାର ପଣ୍ଡା, ଡାକ୍ତର ସିଦ୍ଧନାଥ କର, ଡାକ୍ତର ଗୌରୀ ଶଙ୍କର ମିଶ୍ର ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ | ଶେଷରେ ଡକ୍ଟର୍ସ ଫୋରମର ସମ୍ପାଦକ ଡାକ୍ତର ଅତୁଲ୍ୟ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ | ଜାତୀୟ ସଂଗୀତ ଗାନ ପରେ ସଭା ସାଙ୍ଗ ହୋଇଥିଲା |