ଭଦ୍ରକ – ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ସୟା ପଂଚାୟତ ବାଂଶବାଗ ଗ୍ରାମରେ ଚୋରା ମଦ ବେପାରକୁ ନେଇ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ଘଟଣାକୁ ନେଇ ଉତେଜନା ପ୍ରକାଶ ପାଇବା ପରେ ପୁଲିସ୍କୁ ମହିଳାମାନେ ଘେରାଉ କରି ରଖିବା ପରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ତାଲା ଭଂଗାଯାଇ ୨ଟି ଘରୁ ୧୦୭ ବୋତଲ ଦେଶୀ ଓ ବିଦେଶୀ ମଦ ଜବତ ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମରେ ଦୀର୍ଘଦିନ ଧରି ଜଣେ ଚୋରା ମଦ ବେପାରୀର କାରବାରକୁ ସ୍ଥାନୀୟ ମହିଳାମାନେ ବିରୋଧ କରିଆସୁଥିଲେ । ମାତ୍ର ତାହାର କୌଣସି ପ୍ରଭାବ ପଡୁନଥିଲା । ଶୁକ୍ରବାର ସନ୍ଧ୍ୟାରେ ଏହି ଗ୍ରାମର ବାବୁରାମ ସେଠୀ ଓ ତାଙ୍କ ପତ୍ନୀ ବନିଆ ଏହି ମଦ କାରବାର କରୁଥିବାବେଳେ ମହିଳାମାନେ ତାହା ଜାଣି ପୁଲିସ୍କୁ ଖବର ଦେଇଥିଲେ । ଫଳରେ ବାବୁରାମ ଖସି ପଳାୟନ କରିଥିବାବେଳେ ବନିଆ ମହିଳାମାନଙ୍କୁ ଘଉଡାଇବାକୁ ଚେଷ୍ଟା କରିଥିଲା । ମାତ୍ର ଶତାଧିକ ମହିଳା ଖବର ପାଇ ଘଟଣାସ୍ଥଳରେ ପହଞ୍ôଚ ସେମାନଙ୍କ ଘରକୁ ଘେରିଯାଇଥିଲେ । ପୁଲିସ୍ ପହଞ୍ôଚବା ପରେ ବାବୁରାମ ସେଠୀ ନିଜ ଘରେ ମଦ ରଖି ବେପାର କରୁଥିବା ସହିତ ସ୍ଥାନୀୟ ଶିବପ୍ରସାଦ ସେଠୀଙ୍କ ଘରକୁ ଭଡାସୂତ୍ରରେ ନେଇ ଏହି କାରବାର ଚଳାଇଆସୁଥିବା ବିଷୟ ମହିଳାମାନେ କହିଥିଲେ । ପୁଲିସ୍ ପହଞ୍ôଚବା ପରେ ଶିବପ୍ରସାଦଙ୍କ ଘର ତାଲା ପଡିଥିବାର ଜାଣିବାକୁ ପାଇଥିଲେ । ଏବଂ ତାଲା ଭାଂଗିବା ପୁଲିସ୍ର କ୍ଷମତା ବାହାରେ ବୋଲି କହିବାରୁ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ଘର ଦୁଇଟିର ତାଲା ଭାଂଗି ଚୋରା ମଦ ଜବତ ନକରିବା ପର୍ଯ୍ୟନ୍ତ ସେମାନେ ପୁଲିସ୍କୁ ଛାଡିବେ ନାହିଁ ବୋଲି ଡାକରା ଦେଇ ଘେରାଉ କରି ରଖିଥିଲେ । ରାତି ପ୍ରାୟ ୯ଟାରେ ତିହିଡି ତହସିଲଦାର ତଥା ମାଜିଷ୍ଟ୍ରେଟ୍ ରମେଶ ଚନ୍ଦ୍ର ପଣ୍ଡା ଓ ଅତିରିକ୍ତ ତହସିଲଦାର ଶ୍ୱେତପଦ୍ମା ଧଳ ଘଟଣାସ୍ଥଳରେ ପହଂଚି ପୁଲିସ୍ ଠାରୁ ସମସ୍ତ ବିଷୟ ଅବଗତ ହୋଇଥିଲେ । ଏବଂ ଶିବପ୍ରସାଦର ଗୋଟିଏ ଘରର ତାଲା ମିଳିଥିବାବେଳେ ଅନ୍ୟ ଘରଟିକୁ ଭାଂଗିଦିଆଯାଇଥିଲା । ଦୁଇଟି ଘରୁ ପ୍ରାୟ ୧୦୭ ବୋତଲ ଦେଶୀ ଓ ବିଦେଶୀ ମଦ ଜବତ ହୋଇଥିଲା । ଏବଂ ବ୍ୟବହୃତ ୱାନସ୍ ୟୁଜ୍ ଗ୍ଲାସ୍ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଥିଲା । ଏହି ଘଟଣାରେ ଅଭିଯୁ୍କ୍ତମାନଙ୍କ ବିରୁଦ୍ଧରେ ବିହିତ ପଦକ୍ଷେପ ନିଆଯିବ ବୋଲି ଉପସ୍ଥିତ ତହସିଲଦାର ତଥା ମାଜିଷ୍ଟ୍ରେଟ୍ ଓ ଅତିରିକ୍ତ ତହସିଲଦାର ପ୍ରତିଶ୍ରୁତି ଦେବାପରେ ଉତେଜନା ପ୍ରଶମିତ ହୋଇଥିଲା ।