

ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଧାମନଗର ବ୍ଲକ କଲ୍ୟାଣୀ ପଂଚାୟତ ଝାରଡିଆ ଗ୍ରାମର ସରୋଜ ପ୍ରଧାନଙ୍କ ପୁଅ ଶୁଭମ (୧୬)ଙ୍କ ଝୁଲନ୍ତା ଶବ ଗତକାଲି ସ୍ଥାନୀୟ କାକୁଡିଗଡିଆ ନିକଟସ୍ଥ ଏକ ନାଳ ନିକଟ ଗଛରୁ ଉଦ୍ଧାର ହୋଇଥିଲା । ତେବେ ଶୁଭମ ଗତ ୨୭ ତାରିଖରୁ ଟିଉସନକୁ ଯାଇ ଆଉ ଘରକୁ ଫେରିନଥିବା ବେଳେ ଏନେଇ ଗତ ଦୁଇଦିନ ତଳେ ଧୂଷୁରୀ ଥାନାରେ ଶୁଭମଙ୍କ ବାପା ସରୋଜ ଅଭିଯୋଗ କରିଥିଲେ । ହେଲେ ଗତକାଲି ସକାଳେ ତାଙ୍କ ଶବ ମିଳିବା ପରେ ତାଙ୍କୁ କେହିଁ ଅପହରଣ ପରେ ହତ୍ୟା କରିଥିବା ସନ୍ଦେହ ହୋଇଥିଲା । ଧୂଷୁରୀ ପୁଲିସ ଓ ଭଦ୍ରକରୁ ସାଇଟିଂଫିକ ଟିମ ଏକ ଅପମୃତ୍ୟୁ ମାମଲା ମୂଳେ ଘଟଣାସ୍ଥଳେ ପହଂଚି ତଦନ୍ତ ଆରମ୍ଭ କରି ଶବ ଜବତ ପରେ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଇଥିଲେ । ସେହିପରି ଗତ ଦୁଇଦିନ ତଳେ ନିଖୋଜ ଘଟଣାରେ ପୁଲିସ ଥାନାରେ କେଶ ନଂ-୨୪/୨୦ରେ ଏକ ନିଖୋଜ ମାମଲା ମଧ୍ୟ ରୁଜୁ ହୋଇଥିଲା । ତେବେ ଶୁଭମଙ୍କ ପାଠ ଖାତାରୁ ମିଳିଥିବା ଏକ ସୁଇସାଇଟ ନୋଟ ମିଳିଥିଲା । ସେହି ନୋଟରେ ତାଙ୍କୁ କେହି ଜଣେ ଦୁବୃର୍ତ ବିଭିନ୍ନ ସମୟରେ ହତ୍ୟାର ଧମକ ଦେଇ ଆସୁଥିବାର ସୂଚନା ରହିଛି । ଯେଉଁ ଦିନ ଶୁଭମ ନିଖୋଜ ହୋଇଥିଲା ସେଦିନ ଶୁଭମ ସଂପୃକ୍ତ ଅସାମାଜିକ ବ୍ୟକ୍ତିଙ୍କ ନିକଟକୁ ଯାଉଛି ବୋଲି ଉଲ୍ଲେଖ କରିଛି । ଏହିସବୁ ଘଟଣାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । ତେବେ ନିଜ ମାମୁଁଘର କାକୁଡିଗଡିଆ ଗାଁରେ ରହି ପାଠ ପଢୁଥିବା ଶୁଭମ୍ ଯେଉଁଦିନ ସେ ନିଖୋଜ ହେଲା ସେଦିନ ତାର ପିତା ସରୋଜ ତାକୁ ଆଣି ମାମୁଁଘରେ ଛାଡିଥିଲେ । ହେଲେ ସନ୍ଧ୍ୟାରେ ଶୁଭମକୁ ମାମୁଁଘର ଲୋକେ ଖୋଜାଖୋଜି କରି ପାଇନଥିଲେ । ମାତ୍ର ତାର ଖାତାରେ ସେ ଲେଖିଥିବା ଏକ ଚିଠିକୁ ନେଇ ଥାନାରେ ଅଭିଯୋଗ କରିଥିଲେ । ସେହି ଚିଠିରେ ଶୁଭମ୍ ଚାରିଜଣ ବ୍ୟକ୍ତିଙ୍କ କଥା ଲେଖିଛି । ଯେଉଁମାନେ ତାକୁ ବାରମ୍ବାର ଧମକ ଦେଉଥିବାର ଲେଖାଯାଇଛି । ଏପରିକି ସେମାନେ ଶୁଭମ୍କୁ ଫୋନ୍ କରି ତାହା ଡିଲିଟ୍ କରିବାକୁ କହିଥିବା ବିଷୟ ଲେଖାଯାଇଛି । ତେଣୁ ଶୁଭମର ମାମୁଁଙ୍କ ମୋବାଇଲ୍ର କଲ୍ ଡିଟେଲସ୍ ଯାଂଚ କରାଗଲେ ଦୃବୁର୍ତଙ୍କ ପରିଚୟ ମିଳିପାରିବ ବୋଲି ଅନୁମାନ କରାଯାଉଛି ଏବଂ ଶୁଭମ୍ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରାଯାଇଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ ବୋଲି ପୁଲିସ୍ କହିଛି ।