ଭଦ୍ରକ – ଜଗତସିଂହପୁର ଅଂଚଳର ଜଣେ ଯୁବକ ଏକ ମୋବାଇଲ୍ରେ ରିହାତି ପାଇବା ପାଇଁ ଭଦ୍ରକରେ ଠକାମୀର ଶୀକାର ହୋଇଛନ୍ତି । ସେ ୧୪ ହଜାର ୯୯୯ ଟଙ୍କାର ଏକ ମୋବାଇଲ୍କୁ ୪ ହଜାର ୯୯୯ ଟଙ୍କାରେ ପାଇବା ଲୋଭରେ ପଡି ଶେଷରେ ପ୍ୟାକେଟ୍ରୁ ପାଇଛନ୍ତି ଏକ ମାଟି ପିଣ୍ଡୁଳା । ଏ ସଂପର୍କରେ ସେ ଭଦ୍ରକ ସହରାଞ୍ଚଳ ଥାନାରେ ଅଭିଯୋଗ କରିଛନ୍ତି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ସଂପୃକ୍ତ ଯୁବକ ଜଣକର ଘର ଜଗତସିଂହପୁର ହୋଇଥିବାବେଳେ ଭଦ୍ରକ ଜିଲାରେ ରହି କାର୍ଯ୍ୟ କରନ୍ତି । କିଛିଦିନ ତଳେ ସେ ଭଦ୍ରକ ସହରରେ ଏକ ମଲକୁ ସପିଂ କରିବା ପାଇଁ ଯାଇଥିଲେ । ସେଠାରେ ତାଙ୍କୁ ଜଣେ ଯୁବକ କିଛି ନାମ ନଥିବା ଏକ କୁପନ ଦେଇ ତାଙ୍କ ନାମ ଓ ଫୋନ୍ ନଂ ନେଇଥିଲେ । ପରେ ତାଙ୍କୁ କଲ୍ ଆସିଥିଲା ଯେ ତାଙ୍କର ଲଟେରୀ ଲାଗିଛି । ଯେଉଁଥିରେ ୧୪ ହଜାର ୯୯୯ ଟଙ୍କାର ମୋବାଇଲ୍ ମାତ୍ର ୪ ହଜାର ୯୯୯ ଟଙ୍କା ଅଫରରେ ମିଳିବ । ଅଫର ପସନ୍ଦ ହେଲେ ତାହା ପୋଷ୍ଟାଲରେ ପଠାଇ ଦିଆଯିବ ବୋଲି ତାଙ୍କୁ କୁହାଯାଇଥିଲା । ଏହାପରେ ସଂପୃକ୍ତ ଯୁବକ ଜଣକ ଲୋଭରେ ପଡି ନିଜର ଠିକଣା କହିବା ପରେ ପୁଣି କଲ୍ ଆସିଥିଲାକି ପୋଷ୍ଟାଲରେ ତାଙ୍କ ମୋବାଇଲ୍ ଆସିଛି । ତାହା ଟଙ୍କା ଜମା କରି ନେଇଯାଆନ୍ତୁ । ଯୁବକ ଜଣକ ପୋଷ୍ଟାଲରେ ଟଙ୍କା ଜମା କରି ପାଇଥିବା ପ୍ୟାକେଟ୍ ଖୋଲିବା ପରେ ସେଥିରେ ମୋବାଇଲ୍ ନଥିଲା । ପ୍ୟାକେଟ୍ ଭିତରେ ଲକ୍ଷ୍ମୀଙ୍କର ଏକ ଛୋଟ ମୂର୍ତି ସହ ମାଟି ପିଣ୍ଡୁଳା ଓ ଛିଣ୍ଡା କପଡା ରହିଥିଲା । ଏଥିନେଇ ସେ ପୋଷ୍ଟାଲ କର୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ । କିନ୍ତୁ କିଛି ଫଳ ନମିଳିବାରୁ କଲ୍ ଆସିଥିବା ନମ୍ବରରେ ଯୋଗାଯୋଗ କରିବାରୁ ‘ଆମ କର୍ମଚାରୀ ଯିବେ, ସମସ୍ତ କଥା ବୁଝିବେ’ ବୋଲି ଶୁଣିବାକୁ ମିଳୁଛି । ଏଣୁ ଯୁବକ ଜଣକ ଏ ନେଇ ଥାନାର ଦ୍ୱାରସ୍ଥ ହେଉଥିବା ବିଷୟ ଜଣାପଡିଛି ।