
ଭୁବନେଶ୍ୱର – ରୁଗ୍ଣ ଅର୍ଥନୀତିର ପୁନରୁଦ୍ଧାର ଓ ଲୋକଙ୍କ ବିପର୍ଯ୍ୟସ୍ତ ଜୀବନ ଜୀବିକାର ପ୍ରତିକାର ପାଇଁ ୨୦୨୦-୨୧ କେନ୍ଦ୍ର ବଜେଟ କୌଣସି ନିଦାନ ପ୍ରଦାନ କରିବାରେ ବ୍ୟର୍ଥ ହୋଇଛି । ଅର୍ଥନୈତିକ ଅଭିବୃଦ୍ଧିର ହାର ସାଢେ ଚାରି ଶତାଂଶକୁ ଖସି ଆସିଥିଲାବେଳେ ତାହା ୨୦୨୧ ବେଳକୁ ଶତକଡା ୧୦ ଭାଗରେ ପହଂଚିବ ବୋଲି ଘୋଷଣା କରିବା କେବଳ ସ୍ୱପ୍ନ ବିକିବା ବ୍ୟତୀତ ଅନ୍ୟ କିଛି ନୁହେଁ ବୋଲି ସିପିଆଇ(ଏମ୍) ପକ୍ଷରୁ କୁହାଯାଇଛି ।
ଋଣର ବୋଝ ଓ ଫସଲର ଅଭାବି ବିକ୍ରି ଯୋଗୁଁ କଲବଲ ହୋଇ ଆତ୍ମହତ୍ୟା କରୁଥିବା ଚାଷୀର ଏହି ମୌଳିକ ସମସ୍ୟାର ପ୍ରତିକାର ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନାହିଁ । ସରକାରୀ ଓ ବେସରକାରୀ ଭାଗିଦାରି ବ୍ୟବସ୍ଥା (ପି.ପି.ପି.) ଜରିଆରେ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ବିକାଶ ପାଇଁ ଯେଉଁ ଯୋଜନା ଘୋଷଣା କରାଯାଇଛି, ତାହା ଏହି ଦୁଇଟି ମୌଳିକ କ୍ଷେତ୍ରର ବ୍ୟବସାୟକରଣକୁ ହିଁ ତ୍ୱରାନ୍ୱିତ କରିବ । ଲାଭାଂଶ ଉପରେ ଲାଗୁ ହେଉଥିବା ଟିକସକୁ ସଂପୂର୍ଣ୍ଣ ଉଚ୍ଛେଦ କରି କମ୍ପାନୀମାନଙ୍କୁ, ବିଶେଷ କରି ବିଦେଶୀ କମ୍ପାନୀମାନଙ୍କ ଲାଭ ବଢାଇବାକୁ ଯୋଜନା ନିଆଯାଇଛି । କମ୍ପାନୀମାନଙ୍କୁ ଟିକସ ଛାଡ କରି ସମ୍ବଳ ହରାଉଥିବା ସରକାର ଏଲ୍.ଆଇ.ସି. ଓ ଆଇ.ଡି.ବି.ଆଇ. ସମେତ ବିଭିନ୍ନ ସଂସ୍ଥାରୁ ସରକାରୀ ଅଂଶଧନ ପ୍ରତ୍ୟାହାର ଜରିଆରେ ସମ୍ବଳ ସଂଗ୍ରହ କରିବାକୁ ବଜେଟରେ ଘୋଷଣା କରିଛନ୍ତି । ୭ ଲକ୍ଷ ୯୬ ହଜାର କୋଟି ଟଙ୍କାର ଏହି ନିଅଂଟିଆ ବଜେଟ୍ କୁ କାର୍ଯ୍ୟକାରୀ କରାଯିବା ସମୟରେ ସମ୍ବଳ ଭରଣା ପାଇଁ ହୁଏତ ପରୋକ୍ଷ ଟିକସ ବୃଦ୍ଧି, ରାଷ୍ଟ୍ରାୟତ ଉଦ୍ୟୋଗରୁ ଅଧିକ ପୁଞ୍ଜି ପ୍ରତ୍ୟାହାର ଓ ଖୋଲା ବଜାରରୁ ଋଣ ସଂଗ୍ରହ କରିବାକୁ ପଡିବ ନଚେତ ଯୋଜନା ଓ ଜନକଲ୍ୟାଣ କାର୍ଯ୍ୟକ୍ରମର ବ୍ୟୟ ହ୍ରାସ କରିବାକୁ ପଡିବ ।
ଏହି ଜନବିରୋଧୀ, ଜାତୀୟ ସ୍ୱାର୍ଥ ବିରୋଧୀ ଓ ଦେଶୀ ତଥା ବିଦେଶୀ ପୁଞ୍ଜିପତିଙ୍କ ସପକ୍ଷବାଦୀ ବଜେଟକୁ ସି.ପି.ଆଇ.(ଏମ୍), ଓଡିଶା ରାଜ୍ୟ କମିଟି ବିରୋଧ କରୁଛି ଓ ରାଜ୍ୟବାସୀ ଏହାର ଦୃଢ ବିରୋଧ କରିବାକୁ ଆହ୍ୱାନ ଜଣାଉଛି ।