
0କେନ୍ଦ୍ରାପଡ଼ା- କେନ୍ଦ୍ରାପଡାର ଜଣାଶୁଣା ସୂଚନା ଅଧିକାର କର୍ମୀ ରଂଜନ କୁମାର ଦାସ (୪୨) ଙ୍କ ମୃତ ଦେହ ମାର୍ଶାଘାଇ ଥାନା ଅଧିନ ଭଗବାନପୁର – ବେରୁହାଁ ରାସ୍ତା କଡରୁ ଶନିବାର ସକାଳୁ ଉଦ୍ଧାର କରାଯାଇଛି । ରଂଜନଙ୍କ ମୃତ ଦେହ ରାସ୍ତା କଡରେ ପଡିଥିବା ସହ ତାଙ୍କ ବାଇକ୍ , ଏକ ଏୟାର ବ୍ୟାଗ , ହେଲମେଟ୍, ମୋବାଇଲ ଓ କିଛି କାଗଜ ପତ୍ର ତାଙ୍କ ମୃତଦେହ ନିକଟରୁ ଉଦ୍ଧାର କରାଯାଇଛି । ରଂଜନଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାଣିକପୁର ଗ୍ରାମରେ ବୋଲି ଜଣାପଡିଛି । ତେବେ ଏକ ନିଛାଟିଆ ରାସ୍ତା କଡ ବିଲ ଭିତରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରାଯାଇଥିବାରୁ ରଂଜନଙ୍କୁ ମାରି ଦିଆଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି । ଜଣେ ସୁଚନା ଅଧିକାର କର୍ମୀ ଭାବେ ସକ୍ରିୟ ରହି ନିୟମିତ ଭାବେ ସେ ଜିଲ୍ଲାର ବିଭିନ୍ନ ଦୃର୍ନିତୀ କାର୍ଯ୍ୟକଳାପକୁ ବିରୋଧ କରିବାସହ ସୁଚନା ଅଧିକାର ଆଇନ ବଳରେ ତଥ୍ୟ ମାଗି ଲୋକ ଲୋଚନକୁ ଆଣୁଥିଲେ । ଅନେକ ସମୟରେ ସକ୍ରିୟ ଥିବା ଚିଙ୍ଗୁଡି ମାଫିଆ , ଚୋରା ମଦ ବ୍ୟବସାୟୀ, ନିମ୍ନମାନର କାମ କରୁଥିବା ଠିକାଦାର, ବାଲି ମାଫିଆ, ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ତଥ୍ୟ ଉନ୍ମୋଚନ କରୁଥିବାରୁ ସେମାନଙ୍କ ଆକ୍ରୋଶର ଶିକାର ହେଉଥିବା ଓ ଧମକ ଚମକ ମିଳୁଥିବା ବେଳେ ଶୁକ୍ରବାର ରାତିରେ ହିଁ ତାଙ୍କୁ ମାରି ଦିଆଯାଇଛି ବୋଲି ରଂଜନଙ୍କ ଭିଣୋଇ ବଳରାମ ଦାସ ମାର୍ଶାଘାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ନୀତି ଶେଖର , ଏସଡିପିଓ ରାଜୀବ ଲୋଚନ ପଣ୍ଡା , ମାର୍ଶାଘାଇ ଥାନା ଅଧିକାରୀ କାଳିନ୍ଦୀ ବେହେରା , ସ୍ପେଶାଲ ସ୍ୱାଡ୍ ସବ୍ ଇନିସପେକ୍ଟର ପି କେ କାନୁନଗୋ ପ୍ରମୁଖ ପହଂଚିବା ସହ ସନ୍ଧାନୀ କୁକୁର ଓ ସାଇଂଟିଫିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଁଚି ତଦନ୍ତ କରିଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ- ଶନିବାର ସକାଳ ମାର୍ଶାଘାଇ ଥାନା ଭଗବାନପୁର – ବେରୁହାଁ ରାସ୍ତା କଡରେ ଜଣେ ଯୁବକ ତଳ ମୁହାଁ ହୋଇ ପଡିଥିବା ନେଇ ସ୍ଥାନୀୟ ଲୋକେ ଦେଖିଥିଲେ । ଯୁବକଙ୍କ ଉପରେ ଏକ ବଜାଜ୍ ଡିସ୍କଭର ମଟର ସାଇକେଲ ଗାଡି ନମ୍ବର (ଓଆର-୦୪ ଜି-୧୩୦୪) ପାଖରେ ଏକ ବ୍ୟାଗ୍ ସହ ହେଲମେଟ୍ ମଧ୍ୟ ପଡିଥିବା ଦେଖିବାକୁ ମିଳିଥିଲା । ଏ ଖବର ପ୍ରଚାର ହେବା ପରେ ଘଟଣାସ୍ଥଳକୁ ଲୋକମାନଙ୍କର ସୁଅ ଛୁଟିଥିଲା । ତେବେ ପରବର୍ତୀ ସମୟରେ ଏହା ସୂଚନା ଅଧିକାର କର୍ମି ରଂଜନ କୁମାର ଦାସଙ୍କ ବୋଲି ତାଙ୍କ ପରିବାର ଓ ସମ୍ପର୍କିୟ ଚିହ୍ନଟ କରିଥିଲେ । ରଂଜନଙ୍କ ମୃତୁ୍ୟ ଖବର ମିଳିବା ପରେ ତାଙ୍କ ପରିବାର, ସମ୍ପର୍କିୟମାନେ ନ୍ୟାୟ ଦାବି କରି ଚଣ୍ଡିଖୋଲ – ପାରାଦ୍ୱୀପ ୫(କ) ଜାତୀୟ ରାଜପଥର ହଳଦିଆଗୋଡାଠାରେ ରାସ୍ତାଜାମ୍ କରି ଧାରଣାରେ ବସିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷିକ ନୀତି ଶେଖର ଘଟଣାସ୍ଥଳରେ ପହଁଚି ବୁଝାସୁଝା କରିବା ପରେ ଧାରଣା ପତ୍ୟାହାର କରାଯାଇଥିଲା । ସୂଚନା ଅଧିକାର ଅଭିଯାନର ରାଜ୍ୟ ଆବାହକ ପ୍ରଦିପ କୁମାର ପ୍ରଧାନଙ୍କ ସମେତ ରାଜ୍ୟ ତଥା ବିଭିନ୍ନ ଜିଲ୍ଲାର ସୂଚନା ଅଧିକାର କର୍ମିମାନେ ଘଟଣାସ୍ଥଳରେ ପହଞ୍ଚଥିଲେ । ରଂଜନଙ୍କ ହତ୍ୟାକାରିଙ୍କୁ ଧରାଯିବା ସହ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନ କରିବାକୁ ଦାବି କରାଯାଇଛି । ଏନେ ମାର୍ଶାଘାଇ ଥାନା କେଶ ନମ୍ବର ୨୪/୨୦୨୦ ଏକ ମାମଲା ରୁଜ କରାଯାଇ ରଂଜନଙ୍କ ମୃତ ଦେହ ବ୍ୟବଛେଦ ପାଇଁ କଟକ ବଡ ଡାକ୍ତରଖାନା ପଠାଇଥିବା ଜଣାପଡିଛି ।