
ଭୁବନେଶ୍ୱର– ରାଜ୍ୟରେ ରାସାୟନିକ ସାରର ଦୁଷ୍ପ୍ରଭାବକୁ ଆଖି ଆଗରେ ରଖି ଜୈବିକ ପଦ୍ଧତିରେ ଚାଷକୁ ପ୍ରୋତ୍ସାହନ ଦେବାକୁ ଦାବି କରିଛନ୍ତି ବିରୋଧୀ ଦଳର ଉପ ନେତା ପ୍ରସନ୍ନ ଆଚାର୍ଯ୍ୟ । ଏହାର ଉତ୍ତରରେ କୃଷି ମନ୍ତ୍ରୀଙ୍କ ପକ୍ଷରୁ ପ୍ରଶ୍ନକାଳରେ ଉତର ଦେଉଥିବା ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ଜୈବିକ ଚାଷକୁ ପ୍ରୋତ୍ସାହିତ କରିବାକୁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ।
ଆଜି ପ୍ରଶ୍ନକାଳ ସମୟରେ କୃଷି ବିଭାଗ ସମ୍ପର୍କିତ ଏକ ପ୍ରଶ୍ନ ଉପରେ ଆଲୋଚନା ବେଳେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ ଯେ ଫସଲରେ ଅଧିକ କୀଟନାଶକ ବ୍ୟବହାର ବ୍ୟବହାର କରାଯାଉଛି । ଏହା ଦ୍ୱାରା ଜମିର ଗୁଣବତ୍ତା ନଷ୍ଟ ହେଉଛି ଏବଂ କ୍ୟାନ୍ସର ଭଳି ବ୍ୟାଧି ବ୍ୟାପୁଛି । ଅର୍ଗନିକ ବା ଜୈବିକ ଚାଷ ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଉଚିତ । ଏଥି ପାଇଁ ରାଜ୍ୟ ସରକାର କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ବୋଲି ପ୍ରଶ୍ନ କରିଥିଲେ ।
ଏହାର ଉତରରେ ମନ୍ତ୍ରୀ ହରିଚନ୍ଦନ କହିଥିଲେ ଯେ ପ୍ରଥମେ ଚାଷୀଙ୍କୁ କନଭିନ୍ସ କରିବାକୁ ହେବ ଯେ ଜୈବିକ ପଦ୍ଧତିରେ ଚାଷ କଲେ ଅମଳ କମିବ ନାହିଁ।ରାଜ୍ୟ ସରକାର ବଳ ଭଦ୍ର ଜୈବିକ ଚାଷ ମିଶନ ଜରିଆରେ ଜୈବିକ କୃଷିକୁ ପ୍ରୋତ୍ସାହନ ଦେଉଛନ୍ତି । ଏ ଦିଗରେ ସରକାର ପ୍ରୟାସ କରୁଛନ୍ତି। ଜୈବିକ ଚାଷ କ୍ଷେତ୍ରଫଳ ବୃଦ୍ଧି ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି ।