
କଣାସ- ଦୟାନଦୀ କଣାସ ଅଂଚଳର ଏକ ପ୍ରମୁଖ ନଦୀ । କଣାସ ଅଂଚଳବାସୀଙ୍କ ପାଇଁ ଏହି ନଦୀ ପ୍ରଳୟଙ୍କାରୀ ବନ୍ୟା ସୃଷ୍ଟି କରି କେବେ କେବେ ଦୁଃଖର କାରଣ ହୋଇଛି ତ ଗ୍ରୀଷ୍ମ ଋତୁରେ ତଟଦେଶରେ ପନିପରିବା ଓ ନାନାପ୍ରକାର ଫସଲ ଭରିଦେଇ ଜୀବନ ଧାରର ଭୂମିକା ଗ୍ରହଣ କରିଆସିଛି । ଦୟାନଦୀ ବାଳକାଟି ସରଦେଇପୁରଠାରୁ ଭାର୍ଗବୀ ନଦୀରୁ ବାହାରି ଧଉଳୀ ପାଦଦେଶରେ ପ୍ରବାହିତ ହୋଇ ତିରିମଲ, ଘୋରଡିଆ, ତ୍ରିଲୋଚନପୁର, କଣାସ, ଗଡବଳଭଦ୍ରପୁର ଦେଇ ଚିଲିକା ହ୍ରଦରେ ସ୍କୃତି ହଜାଇଦେଇଛି । ହେଲେ ଏହି ଦୟାନଦୀ କଣାସ ଅଂଚଳବାସୀଙ୍କ ପାଇଁ ଜୀବନଧାରା ହୋଇଥିଲେ ମଧ୍ୟ ପ୍ରକୃତିର କୃର ଦୃଷ୍ଟିରେ ପଡି କ୍ରମଶଃ ନିଜର ସତା ହରାଇବାକୁ ବସିଲାଣି । ତିରିମଲ ଠାରୁ ଗଡବଳଭଦ୍ରପୁର ପର୍ଯ୍ୟନ୍ତ ଦୟାନଦୀ ୨୫ କି.ମି. ଅତିକ୍ରମ କଲାପରେ ସେଠାରେ ସେ ୧୮କି.ମି ଅତିକ୍ରମ କରି ଚିଲିକା ସହିତ ବଡଗୋଠ ଠାରେ ନିଜକୁ ହଜାଇଦେଇଛି । ଏହି ଦୟାନଦୀ କାହିଁ କେଉଁ ଆବହମାନ କାଳରୁ କଣାସ ଅଂଚଳବାସୀଙ୍କୁ ଖାଦ୍ୟ ଯୋଗାଇଆସୁଛି । କିନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ ଦୟାନଦୀର ରକ୍ଷଣାବେକ୍ଷଣା ଦିଗରେ କୈାଣସି ପଦକ୍ଷପ ଗ୍ରହଣ କରାଯାଉନଥିବାରୁ ଅଧୁନା ଦୟାନଦୀର ଶଯ୍ୟା ପୋତିହୋଇ ସ୍ଥିତି ହଜିବାକୁ ବସିଲାଣି । ସମ୍ପ୍ରତି ନଦୀରେ ଜଳଟୋପାଏ ଦେଖିବାକୁ ମିଳୁନାହିଁ । ସମୟ ଥିଲା ପନିପରିବା ଓ ବିଭିନ୍ନ ଶସ୍ୟ ସମ୍ଭାରରେ ହସି ଉଠୁଥିଲା ନଦୀପଠା । ଏଠାରେ ଉପୁଜୁଥିବା ଫସଲରେ ତଟବାସୀ ଜୀବିକାନିର୍ବାହ କରୁଥିଲେ । ଏହି ପଠାରେ ବ୍ୟାପକ ଭାବେ କଲରା, ପୋଟଳ, ବାଇଗଣ, ମୂଳା, ପୋଇଖାଡି, କଖାରୁ ଚିନାବାଦାମ ଫସଲ ଅମଦାନି ହୋଇ ରାଜ୍ୟର ବିଭିନ୍ନ ସହରକୁ ପଶ୍ଚିମବଙ୍ଗର କଲିକତା, ବିହାରର ଟାଟା ଓ ଜମ୍ମସେଦପୁର ସହରମାନଙ୍କୁ ଟ୍ରକ୍ ଯୋଗେ ଦୈନଦିନ ଯାଉଥିଲା । ଦୟାନଦୀ ଜଳଶୂନ୍ୟ ହେବା ଫଳରେ ତଟବାସୀ ସମ୍ପ୍ରତି ସେସବୁରୁ ବଂଚିତ । ତେଣୁ ଦୟାନଦୀର ପୁନଃଉଦ୍ଧାର ଦିଗରେ ବିହିତ ପଦକ୍ଷପ ଗ୍ରହଣ କରି କଣାସ ଅଂଚଳବାସୀଙ୍କୁ ଜଳକଷ୍ଟରୁ ଉଦ୍ଧାର କରିବା ସଙ୍ଗେସଙ୍ଗେ ପ୍ରଶାସନ ଚାଷୀଙ୍କ ସମସ୍ୟା ଦିଗରେ ଧ୍ୟାନ ଦେବାକୁ ଚାଷୀମାନଙ୍କ ପକ୍ଷରୁ ଦାବୀ ହେଉଛି ।