ନୂଆଦିଲ୍ଲୀ- ରାଜ୍ୟସଭାରେ ବିରୋଧୀ ଦଳ ମହାକୁମ୍ଭରେ ଗତ ସପ୍ତାହରେ ହୋଇଥିବା ଦଳାଚକଟା ଘଟଣାକୁ ନେଇ ସୋମବାର ତତ୍କାଳ ଆଲୋଚନା ଦାବିକୁ ସ୍ୱୀକାର ନ କରାଯିବାରୁ ଗୃହରୁ ୱାକଆଉଟ କରିଛନ୍ତି । ମହାକୁମ୍ଭରେ ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ।
ସୋମବାର ସକାଳେ ଗୃହର କାର୍ଯ୍ୟ ଆରମ୍ଭ ହେବା ପରେ ସଭାପତି ଜଗଦୀପ ଧନଖଡ କହିଛନ୍ତି ଯେ, ତାଙ୍କୁ ନିୟମ 267 ଅଧୀନ ଦିନର ସୂଚୀବଦ୍ଧ କାର୍ଯ୍ୟକୁ ସ୍ଥଗିତ କରିବା ଓ ନୋଟିସରେ ଉଲ୍ଲେଖିତ ପ୍ରସଙ୍ଗକୁ ଉଠାଇବା ପାଇଁ 9ଟି ନୋଟିସ ମିଳିଛି, ଯେଉଁଥିରେ ମହାକୁମ୍ଭ ମାମଲାରେ ଆଲୋଚନା ବି ସାମିଲ ରହିଛି । ସେ କହିଛନ୍ତି ଯେ, କଂଗ୍ରେସ ପାର୍ଟିର ପ୍ରମୋଦ ତିୱାରୀ ଓ ଦିଗବିଜୟ ସିଂହ, ତୃଣମୂଳ କଂଗ୍ରେସର ସାଗରିକା ଘୋଷ, ସମାଜବାଦୀ ପାର୍ଟିର ଜାଭେଦ ଅଲି ଓ ରାମଜୀ ଲାଲ ସୁମନ ଓ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜନ ବ୍ରିଟାସ ମହାକୁମ୍ଭ ପ୍ରସଙ୍ଗ ଉପରେ ଆଲୋଚନ ପାଇଁ ଦାବି କରି ନୋଟିସ ଦେଇଥିଲେ । ଅନ୍ୟ ନୋଟିସ ସଂବିଧାନ ଓ ଡ.ଭୀମରାଓ ଆମ୍ବେଦକରଙ୍କ ପ୍ରତି ଅନାଦରର ଘଟଣାରେ ବୃଦ୍ଧି ଓ କେନ୍ଦ୍ରୀୟ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ଭେଦଭବପୂର୍ଣ୍ଣ ଓ ଜାତିବାଦୀ ବୟାନ ସହିତ ସଂପର୍କିତ ଅଟେ ।
ସଭାପତି ଧନଖଡ ନିୟମ 267 ଅଧୀନ ନୋଟିସ ସଂପର୍କରେ ତାଙ୍କ ପ୍ରଥମ ନିଷ୍ପତି କଥା କହି ଏହି ନୋଟିସକୁ ମଂଜୁରୀ ଦେଇନଥିଲେ ଏବଂ ନିର୍ଦ୍ଧାରିତ ଶୂନ୍ୟକାଳ ସହିତ କାର୍ଯ୍ୟକୁ ଆଗକୁ ବଢାଇଥିଲେ । ଏହାପରେ ବିରୋଧୀମାନେ ଏହାକୁ ଜୋରଦାର ବିରୋଧ କରିବା ସହ ଗୃହତ୍ୟାଗ କରିଥିଲେ ।