
ଭଦ୍ରକ – ଭଦ୍ରକରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପ୍ରାୟୋଜିତ ରାଜ୍ୟ ସ୍ତରିୟ ମେଘ ଉତ୍ସବକୁ ଆସିଲେନି ବହୁ କଳାକାର । କାର୍ଯ୍ୟକ୍ରମରେ ଯୋଗ ଦେବା ଦୁରକୁ ଥାଉ କାର୍ଯ୍ୟକ୍ରମ ସଂର୍ପକରେ ଜାଣିପାରିଲେ ନାହିଁ ଅଧିକାଂଶ କଳାକାର । କଳାକାରଙ୍କ ଅନୁପସ୍ଥିତିରେ ରାଜନୈତିକ ଉତ୍ସବ ଭଳି ପାଳିତ ହେଲା ରାଜ୍ୟ ସ୍ତରିୟ ମେଘ ଉତ୍ସବ । ଯାହାକୁ ନେଇ ଜିଲ୍ଲାବ୍ୟାପି ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ପ୍ରକାଶ ପାଇଛି ତିବ୍ର ପ୍ରତିକ୍ରିୟା । କଳାର ପ୍ରଚାର ପ୍ରସାର ସହିତ ଆଂଚଳିକ କଳାକାର ମାନଙ୍କୁ ପ୍ରୋତ୍ସାହିତ କରିବା ସକାସେ ରାଜ୍ୟ ସରକାରଙ୍କ ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ପ୍ରଥମ ଥରପାଇଁ ଭଦ୍ରକ ଜିଲ୍ଳାରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା । ଭଦ୍ରକ ଶହିଦ ସ୍ମୃତି ଭବନ ଠାରେ ଗତ ଶୁକ୍ରବାର ଏବଂ ଶନିବାର ଦୁଇଦିନ ଧରି ଏହି ଉତ୍ସବ ପାଳିତ ହୋଇଛି । ଉତ୍ସବକୁ ରାଜ୍ୟ ପର୍ଯ୍ୟଟନ,ଓଡିଆଭାଷା,ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦଘାଟନ କରିଥିଲେ । ଏଥିରେ ବିଭାଗିୟ ସଚିବ ବିଜୟ ନାୟକ, ସ୍ୱତନ୍ତ୍ର ସଚିବ ରାମକୃଷ୍ଣ ସାହୁଙ୍କ ସହିତ ଶାସକ ଦଳର ବିଭିନ୍ନ ଜନ ପ୍ରତିନିଧି ଏବଂ ଜିଲ୍ଲା ସଂସ୍କୃତି ବିଭାଗର ବରିଷ୍ଟ ପଦାଧିକାରୀ ମାନେ ଯୋଗ ଦେଇଥିଲେ । କୁହାଯାଇଛି ଜିଲ୍ଲା ସ୍ତରରେ ଅନୁଷ୍ଟିତ ଏହି ଦୁଇଦିନିଆ ଉତ୍ସବ ଆୟୋଜନରେ ଏକାଡେମୀ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଖର୍ଚ କରାଯାଇଥିଲା । ତେବେ ଜିଲ୍ଲା ସ୍ତରରେ ଅନୁଷ୍ଟିତ ହୋଇଥିବା ଏହି ଉତ୍ସବ ସକାସେ ବିଭାଗ ପକ୍ଷରୁ ଅନୁରୁପ ପ୍ରଚାର ପ୍ରସାର କରାଯାଇନଥିବା ଯୋଗୁ ଏଥିରେ କଳା ଏବଂ ସଂସ୍କୃତି ସହ ସଂପୃକ୍ତ ବହୁ କଳାକାର ଯୋଗ ଦେଇପାରିନଥିଲେ । ଭଦ୍ରକ ଜିଲ୍ଲାରେ ସରକାରୀଭାବେ ପ୍ରାୟ ୧୩ ଶହ ଲୋକଙ୍କୁ ସଂସ୍କୃତି ବିଭାଗ ପକ୍ଷରୁ କଳାକାର ଭତା ଯୋଗାଇ ଦିଆଯାଇଥିବା ବେଳେ ଉତ୍ସବରେ ୫୦ ଜଣ କଳାକାର ମଧ୍ୟ ଯୋଗ ଦେଇନଥିଲେ । ଜିଲ୍ଳାରେ ପଞୀକୃତ କଳାକାରଙ୍କ ସଂଖ୍ୟା ୧୩ ଶହରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ମାତ୍ର ୨ ଶହ କଳାକାରଙ୍କ ଉଦେ୍ଧଶ୍ୟରେ ସଂସ୍କୃତିବିଭାଗ ଦ୍ୱାରା ପ୍ରସ୍ତୁତ ନିମନ୍ତ୍ରଣପତ୍ର ବଂଟନ କରାଯାଇଥିଲା । ଏହାକୁ ଜିଲ୍ଲା ସଂସ୍କୃତି ବିଭାଗ ନିଜେ ବଂଟନ ନକରି ଜିଲ୍ଲାର ଜଣେ ରାଜ୍ୟ ସ୍ତରିୟ କଳାକାରଙ୍କ ଜରିଆରେ ବଂଟନ କରାଯାଇଥିଲା । ଫଳରେ ଏକାଡେମୀ ପକ୍ଷରୁ ବଂଟନ କରାଯାଇଥିବା ଏହି ନିମନ୍ତ୍ରପତ୍ର ପ୍ରକୃତପକ୍ଷେ କଳାକାରଙ୍କ ପାଖରେ ପହଁଚିଥିଲା ଅଥବା ନାହିଁ ତାହାର କୈାଣସି ସ୍ପଷ୍ଟ ସୁଚନା ବିଭାଗ ପାଖରେ ନାହିଁ । ସେହିଭଳି ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଉତ୍ସବ ପାଳିତ ହେଉଥିଲେ ମଧ୍ୟ ଏଥିନେଇ ଜିଲ୍ଲା ସଂସ୍କୃତିବିଭାଗ ପକ୍ଷରୁ ବିଜ୍ଞାପନ ଦିଆଯିବା ଦୁରକୁ ଥାଉ ଜିଲ୍ଲା ସ୍ତରରେ ସାମ୍ବାଦିକ ସମ୍ମିଳନୀ ଟିଏ ମଧ୍ୟ କରାଯାଇନଥିଲା । ଫଳରେ ଜିଲ୍ଲା ସ୍ତରରେ ଅନୁଷ୍ଟିତ ଏହି ଉତ୍ସବ ଆୟୋଜନ ନେଇ ଜିଲ୍ଲାର ୮୦ ଭାଗ କଳାକାର ଅନ୍ଧାରରେ ରହି ଯାଇଥିଲେ । କଳାକାରଙ୍କ ଅନୁପସ୍ଥିତିରେ ଉତ୍ସବରେ ଯୋଗ ଦେଇଥିବା ନେତାଙ୍କ ସମର୍ଥକଙ୍କ ଗହଣରେ ଏହି ଉତ୍ସବ ପାଳିତ ହୋଇଥିବା ଅଭିଯୋଗ ହୋଇଛି । ସବୁଠାରୁ ବଡ କଥା ହେଲା ଜିଲ୍ଲା ସ୍ତରରେ ଅନୁଷ୍ଟିତ ହୋଇଥିବା ଏହି ଉତ୍ସବର ଖର୍ଚ ଏବଂ ରୁପରେଖ ସଂର୍ପକରେ ଜିଲ୍ଲା ସଂସ୍କୁତି ଅଧିକାରୀ ଙ୍କ ପାଖରେ କୋ÷ଣସି ସୁଚନା ନଥିବା କଥା ଜିଲ୍ଲା ସଂସ୍କୃତି ଅଧିକାରୀ ଗୋଲକ ବେହେରା ପ୍ରକାଶ କରିଛନ୍ତି । ଫଳରେ ଜିଲ୍ଲା ସ୍ତରରେ ଅନୁଷ୍ଟିତ ଏହି ରାଜ୍ୟସ୍ତରୀୟ ଉତ୍ସବର ସଫଳତା ନେଇ ସାଧାରଣ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।