
ଘଟଗାଁ– ପଥର ଖଣି ଖନନ ପ୍ରସ୍ତାବକୁ ମିଳିତ ଭାବରେ ବିରୋଧ କରିଛନ୍ତି ଗ୍ରାମବାସୀ। ଅନୁସନ୍ଧାନରୁ ଜଣାପଡିଛି, ଖଣିଜ ସମ୍ପଦ ଅଧିକାରୀ ତଥା କ୍ଷମତା ପ୍ରଦ ଅଧିକାରୀ କେନ୍ଦୁଝର ପତ୍ର ସଂଖ୍ୟା 1210 ଅନୁଯାୟୀ ତା 12/09/024 ରିଖ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଭୋଳବେଡା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ଆମ୍ବୁଆପଡା ଗ୍ରାମରେ ଏକ ପଥର ଖଣି କରିବାକୁ ଜଣାଇଥିଲେ। ଉକ୍ତ ଗ୍ରାମରେ ଥିବା ଦଶ ଏକରରୁ ଉର୍ଦ୍ଧ ପଥର ଖଣି ପର୍ବତ ଯାହାର ଖାତା ନମ୍ବର 151, ପ୍ଲଟ ନମ୍ବର 2117କିସମ ପାହାଡ ଏବଂ ପ୍ଲଟ ନମ୍ବର 1914 କିସମ ପଥର ଖଣି ଅଟେ। ଉକ୍ତ ଦୁଇ ପ୍ଲଟ ଉପରେ ପଥର ଖଣି ପ୍ରସ୍ତାବକୁ ଗ୍ରାମବାସୀଙ୍କ ମତାମତ ଲୋଡିବା ଉଦେଶ୍ୟରେ ତତ୍କାଳୀନ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭଗବତ ପ୍ରସାଦ ମହାପାତ୍ର ତା 02/01/025ରିଖ ଭୋଳବେଡା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା 1787 ଦ୍ଵାରା ପଲ୍ଲୀସଭା କରାଇ ଅବଗତ କରାଇବାକୁ ନିର୍ଦେଶ ଦେଇଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ ଗ୍ରାମରେ ପଲ୍ଲୀ ସଭା ହୋଇଥିଲା ସତ ଗ୍ରାମର ଏକ ତୃତୀୟାଂଶ ଲୋକ ବିରୋଧ କରିଛନ୍ତି। ତେବେ ଉକ୍ତ ପ୍ଲଟ ଚତୁର୍ପାଶ୍ୱ ପ୍ଲଟ ଗୁଡିକ ଚାଷ ଜମି ହୋଇଥିବାରୁ ଗ୍ରାମର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ପରିବାର ପୋଷଣ କରିଛନ୍ତି। ପ୍ରସ୍ତାବ ଅନୁସାରେ ଯଦିଓ ଉକ୍ତ ଖାତା ନମ୍ବରେ ପଥର ଖଣି ହୁଏ ଆଗାମୀ ଦିନରେ ଗାଈ, ଗୋରୁ ଚରାବୁଲା କରିବା ସହିତ ଚାଷ ଉପରେ ସୁନିଶ୍ଚିତ ପ୍ରଭାବ ପକାଇବ ବୋଲି ଗ୍ରାମବାସୀ ମତ ରଖି ବିରୋଧ କରିଛନ୍ତି। ତେବେ ଆଗକୁ ସମୟ କହିବ ସରକାର ଏଥିପ୍ରତି କିଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି।