
ଗଞ୍ଜାମ- ପତ୍ନୀକୁ ହତ୍ୟା ମାମଲାରେ ଫେରାର୍ ଥିବା ଅଭିଯୁକ୍ତ ସ୍ୱାମୀକୁ ଖଲ୍ଲିକୋଟ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି ।
ଗତ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପଥରା ଗ୍ରାମପଂଚାୟତ ଅନ୍ତର୍ଗତ କଣ୍ଡରାପଡ଼ା ସାହିର ଭିକାରୀ ବେହେରା ତାଙ୍କ ପତ୍ନୀ ସେରନ୍ତା ବେହେରାଙ୍କୁ ଏକ ଧାରୁଆ ଅସ୍ତ୍ର ଦ୍ୱାରା ଶରୀରର ବିଭିନ୍ନ ଅଙ୍ଗକୁ ଆଘାତ କରିବାରୁ ସେ ଜୀବନ ବିକଳରେ ଚିତ୍କାର କରିଥିଲେ । ମହିଳାଙ୍କ ଚିତ୍କାର ଶୁଣି ସାଇ ପଡ଼ିଶା ଲୋକେ ଘଟଣାସ୍ଥଳରେ ପହଂଚି ଥିଲେ । ଲୋକଙ୍କୁ ଦେଖି ଅଭିଯୁକ୍ତ ସ୍ୱାମୀ ଭିକାରୀ ସେଠାରୁ ଫେରାର୍ ହୋଇଯାଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ସେରନ୍ତାଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଓ ଭେଜିପୁଟ ଫାଣ୍ଡି ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଥିଲେ । ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ । ଶବ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏ ସଂକ୍ରାନ୍ତରେ ଥାନା କେସ୍ ନଂ ୩୦/୨୦ ଭାରତୀୟ ପିଙ୍ଗଳ କୋଡ଼୍ ର ଦଫା ୩୦୨ ବଳରେ ପୋଲିସ ମୋକଦ୍ଦମା ରୁଜ୍ଜୁ କରି ତଦନ୍ତ ଜାରୀ ରଖିଥିଲା । ପୋଲିସର ଏକ ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିବା ପରେ ଗତକାଲି ରାତିରେ ରମ୍ଭା ଅଂଚଳରୁ ଅଭିଯୁକ୍ତ ସ୍ୱାମୀ ଭିକାରୀକୁ ଗିରଫ କରିଛି । ଆଜି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିବା ନେଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।