ବୌଦ୍ଧ- ଜିଲା ଫୁଟବଲ୍୍ ଆସୋସିଏସନ ଦ୍ୱାରା ଆୟୋଜିତ ସର୍ବଭାରତୀୟ ଡିଏସ୍୍ କପ୍୍ ଫୁଟବଲ୍୍ ଟୁର୍ଣ୍ଣାମେଂଟର ଆଜି ଗ୍ରୁପ “ବି’ର ତୃତୀୟ ଦିବସରେ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଅଛି । ଆଜି ଗୃପ ‘ବି’ର ସେମିଫାଇନାଲ ଖେଳରେ କଲିକତାର ଚାନ୍ଦନୀ କ୍ଲବ ଓ କଟକର ଓଡିଶା ପୋଲିସ ଟିମ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଅଛି । ଅଲ ଇଣ୍ଡିଆ ଫୁଟବଲ ଫେଡରେସନ ନୂଆଦିଲ୍ଲୀ ଓ ଫୁଟବଲ ଆସୋସିଏସନ ଓଡିଶା କଟକ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଂଟରେ ଓଡିଶାର ୪ଟି ଦଳ ସମେତ ରାଜ୍ୟ ବାହାରୁ ୪ଟି ଦଳ ଅଂଶଗ୍ରହଣ କରିଛନ୍ତି । ଆଜିର ସଂଘର୍ଷପୂର୍ଣ୍ଣ ମ୍ୟାଚରେ କଲିକତାର ଚାନ୍ଦନୀ କ୍ଲବକୁ ୨-୦ ଗୋଲରେ ହରାଇ ଓଡିଶା ପୋଲିସ ଟିମ୍ ବିଜୟ ଲାଭ କରି ଫାଇନାଲକୁ ଉନ୍ନିତ ହୋଇଅଛି ।
ଖେଳର ପ୍ରଥମାର୍ଦ୍ଧରେ କଲିକତା ଦଳ ୨ଟି ଗୋଲ କରିବାକୁ ସକ୍ଷମ ହୋଇ ଖେଳକୁ ଗୋଟିଏ ପଟକୁ ନେଇଯାଇଥିବା ବେଳେ ଦ୍ୱିତୀୟାର୍ଦ୍ଧରେ ଭୁବନେଶ୍ୱର ଦଳ ଗୋଟିଏ ଗୋଲ୍ ଦେଇ ଖେଳକୁ ରୋମାଂଚକର ସ୍ଥିତିକୁ ନେଇଯାଇଥିଲା । ପ୍ରଥମାର୍ଦ୍ଧରେ କଳିକତା ଦଳ ୨୬ ମିନିଟରେ ଜର୍ସି ନଂ ୯ ସୌରଭ ଗାଙ୍ଗୁଲୀ ପ୍ରଥମ ଗୋଲ୍ ଦେବା ପରେ ୪୦ ମିନିଟରେ ୧୫ ନଂ ଜର୍ସି ଇନ୍ଦ୍ରଜିତ ମଣ୍ଡଲ ଦ୍ୱିତୀୟ ଗୋଲ୍ ଦେଇଥିଲେ । ଖେଳର ଦ୍ୱିତୀୟାର୍ଦ୍ଧ ଆରମ୍ଭ ହେବା ମାତ୍ରେ ୪୨ ମିନିଟରେ ଭୁବନେଶ୍ୱରର ଜର୍ସି ନଂ ୯ ରାଜାକ ନାଗ କଲିକତା ବିପକ୍ଷରେ ଗୋଟିଏ ଗୋଲ ଦେଇଥିଲେ ।
ଆଜିର ମ୍ୟାଚକୁ ରେଫରି ଭାବେ ନିପ୍ରେନ ହଲଦାର, ଲାଇନମ୍ୟାନ ଭାବେ ଦିଲିପ ରାଉତ ଓ ସଲିଲ ବେହେରା ଏବଂ ଚତୁର୍ଥ ରେଫରୀ ଭାବେ ଅନିମେଶ ନିସ୍ୱାସ ଖେଳ ପରିଚାଳନା କରିଥିଲେ । ସର୍ବଭାରତୀୟ ଡିଏସ୍୍ କପ୍୍ ଫୁଟବଲ୍୍ ଟୁର୍ଣ୍ଣାମେଂଟର ଆଜିର ଖେଳକୁ ମୁଖ୍ୟ ଅତିଥି ଭାବେ କଂଟାମାଳ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା ଯୋଗଦେଇ ଉଦଘାଟନ କରିଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବୌଦ୍ଧ ଏସପି ଭି.ରଘୁନାଥ ରାଓ, ପିଡି ଡିଆରଡିଏ ସୂର୍ଯ୍ୟନାରାୟଣ ଦାସ, ସଭାପତି ଲମ୍ବୋଦର ପୁରୋହିତ ଏବଂ ଟୁର୍ଣ୍ଣାମେଂଟ ଚେୟାରମେନ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳୀ ସତ୍ୟପ୍ରକାଶ ଦାସ ମଂଚାସୀନ ଥିଲେ । ଆସନ୍ତା କାଲି ଫାଇନାଲ ଖେଳରେ ମଧ୍ୟପ୍ରଦେଶ ରତଲମର ସିଟି ଫୁଟବଲ କ୍ଲବ, କଟକର ଓଡିଶା ପୋଲିସ ଟିମ୍ କୁ ଭେଟିବ । ଏହି ମର୍ଯ୍ୟାଦାଜନକ ଟୁର୍ଣ୍ଣାମେଂଟର ବିଜେତା ଦଳକୁ ୫୦ ହଜାର ଟଙ୍କା ନଗଦ ସହ ଟ୍ରଫି ଓ ଉପ-ବିଜେତା ଦଳକୁ ୩୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି ଜିଲା ଫୁଟବଲ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।