ସତନା– ମଧ୍ୟପ୍ରଦେଶର ମୈହର ଜିଲ୍ଲାରେ ଶନିବାର ବିଳମ୍ବିତ ରାତିରେ ଭୟାବହ ସଡକ ଦୁର୍ଘଟଣା ହୋଇଛି । ନାଦନ ଦେହାତ ଥାନା ଅନ୍ତର୍ଗତ ଜାତୀୟ ରାଜପଥ 30ରେ ଏକ ଦ୍ରୁତଗତିରେ ଥିବା ବସ ଭାରସାମ୍ୟ ହରାଇ ରାସ୍ତା କଡରେ ଠିଆ ହୋଇଥିବା ଏକ ହାଇୱା ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ବସରେ ଥିବା 9ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସେହିପରି 24ଜଣ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ ଆଭା ଟ୍ରାଭେଲ୍ସର ସ୍ଲିପର କୋଚ ବସ ପ୍ରାଗରାଜରୁ ରିଭା ଦେଇ ନାଗପୁର ଯାଉଥିଲା । ରାତି ପ୍ରାୟ 11ଟା ବେଳେ ନାଦନ ଥାନାରୁ କିଛି ଦୂରରେ ଥିବା ଚୌରାସିଆ ଢାବା ନିକଟରେ ଭାରସାମ୍ୟ ହରାଇ ହାଇୱା ସହ ଧକ୍କା ହୋଇଥିଲା । ବସରେ 45ଜଣ ଯାତ୍ରୀ ଥିଲେ । ସୂଚନା ପାଇବା ପରୋ ପୋଲିସ ଘଟଣାସ୍ଥଳରେ ପହଂଚି ଥିଲା । ଜେସିବି ସହାୟତା ମଧ୍ୟ ନିଆଯାଇଥିଲା । ଗ୍ୟାସ କଟରରେ ବସର ଗେଟ ଖୋଲି ଉଦ୍ଧାର କରାଯାଇଥିଲା ।