-
ତିନୋଟି ସ୍ଥାନରେ ୧୬୩ ବଳବତର, ପୋଲିସର ଫ୍ଲାଗମାର୍ଚ୍ଚ : ଆସନ୍ତା ୪୮ ଘଂଟା ପାଇଁ ଇଂଟରନେଟ୍ ସେବା ଉପରେ କଟକଣା : ଶାନ୍ତି ବଜାୟ ରଖିବାକୁ ଜିଲ୍ଲା ପ୍ରଶାସନର ଉଦ୍ୟମ
ଭଦ୍ରକ– ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ମୁଖ୍ୟ ଅଭିଯୁକ୍ତର ଗିରଫ ଦାବିରେ ୨୭ ତାରିଖରେ ଭଦ୍ରକ ପୁରୁଣାବଜାର ଥାନା ଅନ୍ତର୍ଗତ ନଙ୍ଗାମହଲା ଅଂଚଳର ସନ୍ଥିଆ ପୋଲ ନିକଟରେ ଏକ ସଂଖ୍ୟାଲଘୁ ଗୋଷ୍ଠିର ଶତାଧିକ ଲୋକ ପୋଲିସ ସହ ମୁହାଁମୁହିଁ ହେବା ଘଟଣା ପରେ ଜିଲ୍ଲାରେ ଶାନ୍ତି ବଜାୟ ରଖିବାକୁ ଉଦ୍ୟମ ଜାରି ରଖିଛି ପ୍ରଶାସନ । ଏହି କ୍ରମରେ ଶନିବାର ରାତିରେ ପୂର୍ବାଚଂଳ ଡିଆଇଜି ଡଃ. ସତ୍ୟଜିତ ନାୟକଙ୍କ ସହିତ ଭଦ୍ରକ ପୋଲିସ ଫ୍ଲାଗମାର୍ଚ୍ଚ କରିଛି । ଭଦ୍ରକ ଏସପି ବରୁଣ ଗୁଣ୍ଠୁପାଲି, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଓ ରାପିଡ୍ ଆକ୍ସନ ଫୋର୍ସ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଫ୍ଲାଗମାର୍ଚ୍ଚରେ ଯୋଗଦେଇଥିଲେ । ଜିଲ୍ଲାରେ ଏବେବି ତିନୋଟି ସ୍ଥାନରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୬୩ ଧାରା ଜାରି ରହିଛି । ସେହି ଅଂଚଳ ଗୁଡିକ ହେଲା ଭଦ୍ରକର ପୁରୁଣାବଜାର, ଧାମନଗର ବିଜ୍ଞାପିତ ଅଂଚଳ ଏବଂ ଧାମନଗରର ଦୋବଲ ଓ ଏହାର ଆଖପାଖ ଅଂଚଳ । ଆସନ୍ତା ୪୮ ଘଂଟା ପାଇଁ ଇଂଟରନେଟ୍ ସେବା ଉପରେ ମଧ୍ୟ କଟକଣା ଲାଗିଛି । ଭଦ୍ରକ ସହରର ପୁରୁଣା ବଜାର ଅଂଚଳରେ ୧୨ ପ୍ଲାଟୁନ୍ ପୋଲିସ ଫୋର୍ସ ସହିତ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ଧାମନଗର ଏବଂ ଦୋବଲରେ ମଧ୍ୟ ୬ ପ୍ଲାଟୁନ୍ ଫୋର୍ସ ସହିତ ଗୋଟିଏ କମ୍ପାନୀ ରାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ବିବାଦୀୟ ପୋଷ୍ଟ କରିଥିବା ଅଭିଯୁକ୍ତକୁ ପୋଲିସର ସ୍ଵତନ୍ତ୍ର ଟିମ୍ ଗିରଫ କରିଛି । ତେବେ ଅଶାନ୍ତି ସୃଷ୍ଟି କରିବା ସହ ପୋଲିସ ଉପରେ ଆକ୍ରମଣ ଏବଂ ମାଜିଷ୍ଟ୍ରେଟଙ୍କ ଗାଡି ଭାଙ୍ଗିବା ଘଟଣାକୁ ନେଇ ୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛନ୍ତି ଡିଆଇଜି ଶ୍ରୀ ନାୟକ ।
ପ୍ରକାଶ ଥାଉକି, ଶନିବାର ସଂନ୍ଧ୍ୟାରେ ଏନେଇ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ଭଦ୍ରକ ବିଧାୟକ ସୀତାଂଶୁଶେଖର ମହାପାତ୍ର, ଜିଲ୍ଲାପାଳ, ଏସପି ଉପସ୍ଥିତ ଥିଲେ ।