ରାଉରକେଲା– ରାଉରକେଲା ଇସ୍ପାତ କାରଖାନା ଅଧିନରେ ବିଭିନ୍ନ ଅଂଚଳରେ ଥିବା କମ୍ୟୁନିଟି ସେଂଟର, ସୋସିଆଲ ହୋମ୍, ଅଫିସର କ୍ଲବ ଆଦିରେ କାରଖାନା କର୍ମଚାରୀମାନଙ୍କର ପରିବାରର ସାମାଜିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହେବା ପାଇଁ ରହିଥିବା ବେଳେ ଏହା ଏବେ କିଛି ଗୁଣ୍ଡା ଶ୍ରେଣୀର ଠିକାଦାର ଓ ଅସାମାଜିକ ବ୍ୟକ୍ତିବିଶେଷଙ୍କ କବ୍ଚାକୁ ଚାଲିଯାଇଛି । ଏନେଇ ଆରଏସପି କର୍ତୃପକ୍ଷ ନିରବତା ଅବଲମ୍ବନ କରୁଥିବାରୁ କର୍ମଚାରୀ ଓ ସାଧାରଣ ବ୍ୟକ୍ତି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାଉରକେଲା ସାରନଗରୀ ସମେତ ସେକ୍ଟର ଅଂଚଳରେ ଏଭଳି ସମସ୍ୟା ଦିନକୁ ଦିନ ବଢି ଚାଲିଛି । ଅଂଚଳରେ ଥିବା ଏହି ସବୁ ଘର, ହଲ୍ ଓ ପଡିଆ ବର୍ତମାନ କିଛି ଟେଂଟ ହାଉସ ବାଲା କୌଶଳ କ୍ରମେ ଅଧିକାରୀ ମାନଙ୍କର ସହାୟତାରେ କବ୍ଜା କରି ରଖିଥିବାରୁ ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟ ଲାଗି କର୍ମଚାରୀ ଓ ଅଂଚଳ ବାସୀ ସମସ୍ୟାରେ ପଡିବା ସହ ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି। ଖବରରୁ ଜଣାପଡିଛି, ସାରନଗରୀ ଓ ସେକ୍ଟର ଅଂଚଳରେ ଅନେକ ସୋସିଆଲ ହୋମ୍, କମ୍ୟୁନିଟି ସେଂଟର ଓ କିଛି ଖୋଲା ପଡ଼ିଆ ରହିଛି, ଯେଉଁଥିରେ ଆରଏସପି କର୍ମଚାରୀ ଓ ରାଉରକେଲାର ଅନ୍ୟ ବାସିନ୍ଦା ମାନେ ନିଜର ବିବାହ, ବ୍ରତ ଆଦି ସାମାଜିକ କାର୍ଯ୍ୟ ତୁଲାଇଥାନ୍ତି । କିନ୍ତୁ, ଏହି ତଥାକଥିତ ଗୁଣ୍ଡା ଶ୍ରେଣୀର ଠିକାଦାର ଓ ଟେଂଟ ହାଉସ୍ ମାଲିକମାନେ ଚକ୍ରାନ୍ତ କରି ଏଗୁୁଡିକର ଭଡ଼ା ବୃଦ୍ଧି କରି ସେସବୁ ସ୍ଥାନରେ ନିଜର ଗୋଦାମ ଘର କରିବା ସହ ନିଜ ପୈତୃକ ସମ୍ପତି ଭଳି ତାହାକୁ ବ୍ୟବହାର କରୁଛନ୍ତି । ବିବାହ, ବ୍ରତ ସମୟରେ ଏମାନେ ବିଭିନ୍ନ ନାମରେ ସେଗୁଡିକୁ ଅଗ୍ରୀମ ବୁକ୍ କରି ରଖିଦେଉଥିବାରୁ ଲୋକେ ଆରଏସପିର ନିର୍ଦ୍ଧାରିତ ମୂଲ୍ୟରେ ପାଉନାହାଁନ୍ତି ଓ ଚଢ଼ା ମୂଲ୍ୟରେ ବୁକିଂ କରିବାକୁ ବାଧ୍ୟ ହେଉଛନ୍ତି । ଏ ସମସ୍ତ କାରନାମା ପଛରେ ରାଉରକେଲା ଇସ୍ପାତ କାରଖାନାର ସହର ସେବା ବିଭାଗର ବିଭାଗୀୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ମାନଙ୍କର ସମ୍ପୃକ୍ତି ଥିବା ଅଭିଯୋଗ ହେଉଛି । ଏଭଳି ସମସ୍ୟା ଆଜି ନୁହେଁ ଦୀର୍ଘବର୍ଷ ହେଲା ଲାଗି ରହିଛି । ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଏନେଇ ଖବର ପ୍ରକାଶ ପାଇବା ଓ ଏକାଧିକ ବାର ଲିଖିତ ଅଭିଯୋଗ ହୋଇଥିଲେ ସୁଦ୍ଧା ରାଉରକେଲା ଷ୍ଟିଲ୍ ପ୍ଲାଂଟ ର ଡାଇରେକ୍ଟର ଇନଚାର୍ଜ ନିଦାବିଷ୍ଣୁ ସାଜି ବସିଛନ୍ତି । ସହରର ରାସ୍ତାଘାଟ ସମସ୍ୟା, ନାଳନର୍ଦ୍ଦମା, ବିଦ୍ୟୁତ ସମସ୍ୟା, ଦୋକାନ ବଜାର ଆଦି ଅଂଚଳର ସମସ୍ୟା ଏସବୁକିଛି ଦେଖିବା ପାଇଁ ଏଠି ବିଭିନ୍ନ ଅଧିକାରୀ ମାନେ ଦାୟିତ୍ଵରେ ରହିଛନ୍ତି । ତେବେ ଏମାନେ ସଠିକ୍ ଭାବେ ଜନସାଧାରଣଙ୍କୁ ସେବା ଯୋଗାଇ ଦେଉଛନ୍ତି କି ନାହିଁ ତାକୁ ଦେଖିବା ପାଇଁ ଡାଇରେକ୍ଟର ଇନଚାର୍ଜ ଭାବେ ଅତନୁ ଭୌମିକ ଦୀର୍ଘ ବର୍ଷ ହେଲା ଅବସ୍ଥାପିତ ଅଛନ୍ତି । କିନ୍ତୁ, ସେ ଆରଏସପିର ଉତ୍ପାଦନ ଓ କିଛି ସ୍ଵତନ୍ତ୍ର କଥାକୁ ବାଦ୍ ଦେଲେ ଏସବୁଥିରେ ଆଦୌ ଧ୍ୟାନ ଦେଉନାହାଁନ୍ତି । ଯାହା ଫଳରେ ଆରଏସପିର ଏସବୁ ସମ୍ପତି ଜବରଦଖଲ ହେବା ସହ ଘର ଓ ଜାଗା ମଧ୍ୟ ଜବରଦଖଲ ହେବାରେ ଲାଗିଛି । ଦୁର୍ଗାପୂଜା ପୂର୍ବରୁ ରାସ୍ତାଘାଟର ଅବସ୍ଥା ଏପରି ଯେ, ଦୁଇ ଚକିଆ ଯାନ ବ୍ୟବହାରକାରୀ ମାନେ ଦୁର୍ଘଟଣାର ଶିକାର ହୋଇ ଶାରିରୀକ ଓ ଆର୍ଥିକ କ୍ଷତି ସହୁଛନ୍ତି ।
Related Stories
October 6, 2024
October 6, 2024