ଭୁବନେଶ୍ଵର– ରାଜ୍ୟରେ ମୌସୁମୀ ସକ୍ରିୟ ରହିଛି । ଯାହାକୁ ଦୃ୍ଷ୍ଟିରେ ରଖି ଆଗାମି ୨୪ ଘଂଟା ପାଇଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ପ୍ରବଳରୁ ଅତି ପ୍ରବଳ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୩ ଜିଲ୍ଲା କେନ୍ଦୁଝର, ମୟୂରଭଞ୍ଜ ଏବଂ ବାଲେଶ୍ଵରକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୫ ଜିଲ୍ଲା ଅନୁଗୁଳ, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦ୍ରାପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ ଏବଂ ବର୍ଷା ସାଙ୍ଗକୁ ବଜ୍ରପାତ ନେଇ ୧୩ ଜିଲ୍ଲା ନବରଙ୍ଗପୁର, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼ ଏବଂ ସୁନ୍ଦରଗଡ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ବଜ୍ରପାତ ସାଙ୍ଗକୁ କୋହଲା ପବନ ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ମାଲକାନଗିରି, କୋରାପୁଟ, ପୁରୀ, କଟକ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ୩ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ୫ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ସେହିପରି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ୧୩ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।
ସେହିପରି ଆସନ୍ତାକାଲି ଅର୍ଥାତ୍ ୧୫ ତାରିଖ ପାଇଁ ଭୀଷଣରୁ ଅତିଭୀଷଣ ବର୍ଷା ନେଇ ୩ ଜିଲ୍ଲା ସମ୍ବଲପୁର, ଝାରସୁଗୁଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣ ବର୍ଷା ନେଇ ୬ ଜିଲ୍ଲା ବରଗଡ଼, ସୋନପୁର, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଏବଂ ମୟୂରଭଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୧୬ ତାରିଖ ଭୀଷଣ ବର୍ଷା ନେଇ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।