ବୈଠକର ଆଲୋଚନାରୁ ପ୍ରାପ୍ତ ତଥ୍ୟ ଅନୁସାରେ, ଗତ ୨୦୧୩ ରୁ ଚଳିତ ୨୦୧୯ ଅଗଷ୍ଟ ଶେଷ ସୁଦ୍ଧା ବିଭିନ୍ନ ପ୍ରକାର ଯୌନ ଶୋଷଣର ଶିକାର ହୋଇଥିବା ୨୦୬ ଜଣ ମହିଳାଙ୍କୁ ୮୫ ଲକ୍ଷ ୫୨ ହଜାର ଟଙ୍କାର କ୍ଷତିପୂରଣ ଦିଆଯାଇଛି । ଜିଲ୍ଲାର ବାଲିଗୁଡ଼ା ସ୍ଥିତ ଆଦିମ ଜାତି ଦେବ ସଂଘ ଏବଂ ଘୁ.ଉଦୟଗିରି ସ୍ଥିତ ସୁଭଦ୍ରା ମହତାବ ସେବା ସଦନରେ କାର୍ଯ୍ୟକାରୀ ହେଉଥିବା ସ୍ୱଧାର ଗୃହରେ ଯଥାକ୍ରମେ ୩୦ ଓ ୨୩ ଜଣ ଅନ୍ତେବାସିନୀ ରହୁଛନ୍ତି । ସେମାନଙ୍କ ମଧ୍ୟରୁ ବାଲିଗୁଡ଼ାରେ ୧୧ ଜଣ ଓ ଘୁ.ଉଦୟଗିରିରେ ୫ ଜଣ ୧୮ ବର୍ଷରୁ କମ୍ ବୟସ୍କ ଅଛନ୍ତି । ଏମାନଙ୍କ ଦୈନିକ ଜୀବନଯାପନ ଓ ସୁରକ୍ଷା ସମେତ ବୃତିଗତ ଦକ୍ଷତା ବିକାଶ ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ମାନନୀୟା ସଦସ୍ୟାଙ୍କୁ ଅବଗତ କରାଯାଇଥିଲା । ଦୀନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ ଯୋଜନା, ଓର୍ମାସ୍ ଏବଂ ସମନ୍ୱିତ ଜରିଆରେ ବାଲିଗୁଡ଼ା ଓ ଘୁ.ଉଦୟଗିରି ସ୍ଥିତ ସ୍ୱଧାର ଗୃହରୁ ଚଳିତ ବର୍ଷ ଯଥାକ୍ରମେ ୧୧ ଓ ୨୫ ଜଣ କର୍ମସଂସ୍ଥାନ ପାଇଥିବାରୁ ଆୟୋଗର ମାନନୀୟା ସଦସ୍ୟା ସନ୍ତୋଷ ବ୍ୟକ୍ତ କରିଥିଲେ । ପରିବାର, ସମାଜ, ସାର୍ବଜନୀନ ସ୍ଥାନ ଓ କାର୍ଯ୍ୟସ୍ଥଳୀରେ ଯୌନ ଉତ୍ପୀଡ଼ନର ଶୀକାର ହେଉଥିବା ମହିଳାମାନଙ୍କୁ ସର୍ବାଙ୍ଗୀନ ସୁରକ୍ଷା ଓ ସେବା ଯୋଗାଇ ଦେବା ପାଇଁ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେଉଥିବା ମହିଳା ଓ ଶିଶୁ ଡେସ୍କ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଖୋଲାଯାଇଥିବା ସଖୀ କେନ୍ଦ୍ରର ସମସ୍ତ ଦିଗ ଓ ଆନୁସଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ମାନନୀୟା ସଦସ୍ୟା ଶ୍ରୀମତୀ ଦେବୀ ବିସ୍ତୃତ ତଥ୍ୟ ପଚାରିଥିଲେ । ଅଦ୍ୟାବଧି ଜିଲ୍ଲାରେ ଗଠିତ ସର୍ବମୋଟ ୧୪ ହଜାର ୭୨୧ ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀରେ ୧ ଲକ୍ଷ ୬୬ ହଜାର ୧୫୫ ଜଣ ସଦସ୍ୟା ରହିଛନ୍ତ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ଅଂଶୀଦାର କରାଯାଇଛି । ଏତଦ୍ବ୍ୟତୀତ, ଜୀବନ ଜୀବିକାର ଉନ୍ନତି କଳ୍ପେ ସେମାନଙ୍କୁ ପାମ୍ପାରିକ କାର୍ଯ୍ୟ ପ୍ରଣାଳୀ ସହିତ ଛତୁଚାଷ, ମତ୍ସ୍ୟଚାଷ, ଛେଳି ଓ କୁକୁଡ଼ା ପାଳନ, ଖାଦ୍ୟ ପ୍ରକ୍ରୀୟାକରଣ, ଆଦି ବିଭିନ୍ନ ପ୍ରକାର ବୃତିଗତ, ବ୍ୟବସାୟିକ ଓ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରାଯାଇ ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀର ବଜାର ବ୍ୟବସ୍ଥା ଉପଲବ୍ଧ କରାଯାଇଛି । ସେହିପରି, ଓଡ଼ିଶା ଜୀବିକା ମିଶନ୍ ଜରିଆରେ ମଧ୍ୟ ସେମାନଙ୍କ ଦକ୍ଷତା ବିକାଶ ଦିଗରେ ପ୍ରୟାସ କରାଯାଉଛି । ଜିଲ୍ଲାରେ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନା ସହିତ ସମକକ୍ଷ ରାଜ୍ୟ ସରକାରଙ୍କ ମମତା ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବିଷୟରେ ମାନନୀୟା ସଦସ୍ୟାଙ୍କୁ ଅବଗତ କରାଯିବା ସହିତ ଏହି ଯୋଜନା ସମ୍ପର୍କୀତ ସବିଶେଷ ତଥ୍ୟ ମଧ୍ୟ ବୈଠକରେ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାରେ ମହିଳା ଓ ବାଳିକାମାନଙ୍କ ପାଇଁ ସ୍ୱତନ୍ତ୍ର ଶିକ୍ଷା ଓ ଦକ୍ଷତା ବିକାଶ ଦିଗରେ ଉଚ୍ଚ ଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଅନୁସୂଚୀତ ଜାତି ଓ ଜନଜାତି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବାଳିକା ବିଦ୍ୟାଳୟ, କନ୍ୟାଶ୍ରମ, ଛାତ୍ରୀନିବାସ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ସମ୍ପର୍କୀତ ସବିଶେଷ ତଥ୍ୟ ଆୟୋଗର ମାନନୀୟା ସଦସ୍ୟା ଶ୍ରୀମତୀ ଚନ୍ଦ୍ରମୁଖୀ ଦେବୀଙ୍କୁ ଅବଗତ କରାଯାଇଥିଲା । ଏଥି ସହିତ, ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥାର କାରଣ ଓ ନିରାକରଣ, ମାନବ ଚାଲାଣକୁ ପ୍ରତିହତ କରିବା ଏବଂ ମହିଳା ଓ ଶିଶୁ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ଓ ନିରନ୍ତର ପ୍ରୟାସ କରାଯାଉଥିବା ବିଭିନ୍ନ ପଦକ୍ଷେପ ଓ ସଚେତନତା ମୂଳକ କାର୍ଯ୍ୟକ୍ରମ ସହିତ ଜିଲ୍ଲାରେ ବାଲ୍ୟ ବିବାହ ପ୍ରଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତିହତ କରିବା ପାଇଁ ଗ୍ରହଣ କରାଯାଇଥିବା ବହୁବିଧ ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଥିଲା । ସେହିପରି, ମାତୃଗର୍ଭରେ ଲିଙ୍ଗ ଚିହ୍ନଟ ଓ କନ୍ୟା ଭୃଣ ହତ୍ୟା, ଶିଶୁ ମଙ୍ଗଳ କମିଟିର ସଠିକ କାର୍ଯ୍ୟକାରୀତା, ଗ୍ରାମୀଣ ମହିଳା ଓ ଶିଶୁ କନ୍ୟାଙ୍କ ସମେତ ସ୍ୱଧାର ଗୃହ ଓ ଛାତ୍ରୀନିବାସରେ ରହୁଥିବା ଛାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଓ ପୌଷ୍ଟିକତା, ସ୍ୱତନ୍ତ୍ର ଦକ୍ଷତାର ଅଧିକାରିଣୀ ମହିଳା ଓ ମେଧାବୀ ଛାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମ, ମହିଳା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ଆଦି ସମ୍ପର୍କରେ ମଧ୍ୟ ମାନନୀୟା ସଦସ୍ୟା ପଚାରି ବୁଝିଥିଲେ । ଶେଷରେ, ମହିଳାମାନଙ୍କ ସାମଗ୍ରୀକ ବିକାଶ ଓ ସୁରକ୍ଷା ଏବଂ ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଆୟୋଗର ମାନନୀୟା ସଦସ୍ୟା ଶ୍ରୀମତୀ ଚନ୍ଦ୍ରମୁଖୀ ଦେବୀ ଜିଲ୍ଲା ପ୍ରଶାସନକୁ କେତେକ ସୁପରାମର୍ଶ ଦେବା ସହିତ ଆଗାମୀ ଅକ୍ଟୋବର ୨ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଗ୍ରାମ ସଭାରେ ସ୍ଥାନୀୟ ଅଞ୍ଝଳର ସ୍ୱତନ୍ତ୍ର ଦକ୍ଷତା ଥିବା ମହିଳାମାନଙ୍କ ନିମନ୍ତ୍ରଣ କରି ସେମାନଙ୍କୁ ରୋଲ୍ ମଡ଼େଲ୍ ଭାବେ ଉପସ୍ଥାପିତ କରିବା, ବାଲ୍ୟ ବିବାହକୁ ନିରୁତ୍ସାହିତ କରିବା ଦିଗରେ ପଞ୍ଝାୟତିରାଜ ପ୍ରତିଷ୍ଠାନର ସଦସ୍ୟସଦସ୍ୟାମାନଙ୍କୁ ପ୍ରତ୍ୟେକ ପଂଚାୟତ ସମିତି ବୈଠକରେ ଅନୁରୋଧ କରିବା, ପଂଚାୟତ କାର୍ଯ୍ୟଳୟର ବାହାର କାନ୍ଥରେ ଏବଂ ବିଦ୍ୟାଳୟ ମାନଙ୍କରେ ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ପାଇଁ ଆବଶ୍ୟକୀୟ ତଥ୍ୟ ସମ୍ବଳିତ ୱାଲ୍ ପେଣ୍ଟିଂ କରିବା ଓ ହୋର୍ଡ଼ିଂ ପ୍ରଦର୍ଶନ କରିବାକୁ ଏବଂ ପ୍ରତ୍ୟେକ କାର୍ଯ୍ୟକ୍ରମର ନିୟମିତ ପର୍ଯ୍ୟାଲୋଚନା କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଡା. ବୃନ୍ଦା ଡି., ଆରକ୍ଷୀ ଅଧୀକ୍ଷକ ଶ୍ରୀ ପ୍ରତୀକ ଗୀତା ସିଂ ଏବଂ ମହିଳାମାନଙ୍କ ସମସ୍ୟା ସମଧାନ ଦିଗରେ କାର୍ଯ୍ୟରତ ବିଭିନ୍ନ ବିଭାଗୀୟ ପଦାଧିକାରୀମାନେ ଆଲୋଚନା ପାଇଁ ଆବଶ୍ୟକ ତଥ୍ୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କାର୍ଯ୍ୟକ୍ରମ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ ବୈଠକରେ, ରାଜ୍ୟ ମହିଳା ଆୟୋଗର ବରିଷ୍ଠ କ୍ଷେତ୍ର ଅଧିକାରିଣୀ ଶ୍ରୀମତୀ ବିଜୟା ବେରୁଆଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ପଦାଧିକାରୀ, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ପର୍ଯ୍ୟବେକ୍ଷିକା, ସ୍ୱେଚ୍ଛାସବୀ ଅନୁଷ୍ଠାନର କର୍ମକର୍ତା ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।
Related Stories
November 23, 2024