
ବାରିପଦା – ବାରିପଦା ଘରୋଇ ବସଷ୍ଟାଣ୍ଡରୁ ସେପ୍ଟେମ୍ବର ୧୪ ଶନିବାର ପୂର୍ବାହ୍ନରେ ଟାଉନଥାନା ପୁଲିସ ପକ୍ଷରୁ ମୋଟ ୧୭.୮୨୨ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିବାର ପୁଲିସ ସୂତ୍ରରୁ ଜଣାପଡ଼ିଛି । ଉକ୍ତ ଗଞ୍ଜେଇ ଜବତ ହେବା ପରେ ବିଜେଡ଼ି ନେତା ତଥା ଜନୈକ ମନ୍ତ୍ରୀଙ୍କ ପାଖ ଲୋକ ଭାବେ ପରିଚିତ ପ୍ରଭାବଶାଳୀ ବସ ମାଲିକକୁ ସୁରକ୍ଷା ଦେବା ନିମନ୍ତେ ବାରିପଦା ଟାଉନଥାନାର ବିବାଦୀୟ ଆଇଆଇସି ଅଶୋକ କୁମାର ନାୟକଙ୍କ ପକ୍ଷରୁ ହାଇ ପ୍ରୋଫାଇଲ ଡ୍ରାମା ଆରମ୍ଭ ହୋଇଥିବା ବିଷୟକୁ ନେଇ ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଆଜି ପୂର୍ବାହ୍ନରେ ବାରିପଦାରୁ କୋଲକାତା ଯାଉଥିବା ଏକ ଘରୋଇ ବସ ଉପରେ ବାରିପଦା ଟାଉନଥାନା ପୁଲିସ ଚଢ଼ାଉ କରି ଦୁଇଟି ଗଞ୍ଜେଇ ପ୍ୟାକେଟକୁ ଜବତ କରିବା ସହ ଦୁଇ ଜଣ ବଙ୍ଗୀୟ ଯୁବକଙ୍କୁ ଗିରଫ କରି ଥାନାକୁ ନେଇଯାଇଥିବା ବିଷୟକୁ ନେଇ ସହରରେ ମୁଖ୍ୟ ଆଲୋଚନାର ବିଷୟ ପାଲଟିଯାଇଥିଲା । ତେଣୁ ପ୍ରକୃତ ଖବର ଜାଣିବା ନିମନ୍ତେ ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ବାରିପଦା ଟାଉନଥାନାରେ ପହଁଚି ଘଟଣାର ସତ୍ୟାସତ୍ୟ ଜାଣିବା ନିମନ୍ତେ ଆଇଆଇସି ଅଶୋକ କୁମାର ନାୟକଙ୍କୁ ଭେଟିଥିଲେ । ଏହି ସମୟରେ ପୋଲିସ ହାଜତ ଲକଆପ୍ ମଧ୍ୟରେ ଦୁଇ ଅଭିଯୁକ୍ତ ଥିବା ସହ ଥାନା ଭିତରେ ସେମାନଙ୍କ ନିକଟରୁ ଜବତ ହୋଇଥିବା ଦୁଇଟି ପ୍ୟାକେଟ ଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ଆଇଆଇସି ଶ୍ରୀନାୟକ ଥାନାରେ କିଛି କହିବେ ନାହିଁ ଏବଂ ଅଭିଯୁକ୍ତମାନଙ୍କ ଫଟୋ ଉଠାଇବାକୁ ଦେବେ ନାହିଁ ବୋଲି ରୋକ୍ଠୋକ୍ ମାନା କରିବା ସହ ଅଭିଯୁକ୍ତ ଦୁଇ ଜଣକୁ ଏବଂ ସେମାନଙ୍କ ନିକଟରୁ ଜବତ ସାମଗ୍ରୀକୁ ଘଟଣା ସ୍ଥଳକୁ ନିଆଯିବା ପରେ ସେଠାରେ କିପରି ସେମାନଙ୍କୁ ଧରାଗଲା ସେ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରାଯିବ ବୋଲି ଉତର ଦେଇଥିଲେ । ଏହାପରେ ମଧ୍ୟହ୍ନ ପ୍ରାୟ ଗୋଟାଏ ସମୟରେ ପୁଲିସ ଗାଡ଼ିରେ ସେମାନଙ୍କୁ ବସାଇ ଘରୋଇ ବସଷ୍ଟାଣ୍ଡକୁ ନେଇ ଯାଇଥିଲେ ଏବଂ ସେଠାରେ ପ୍ୟାକେଟ କଟାଯାଇ ତା ମଧ୍ୟରେ ଥିବା ଗଞ୍ଜେଇର ଓଜନ କରାଯାଇଥିଲା । ମାତ୍ର ଆଇଆଇସି ଶ୍ରୀନାୟକ ଘଟଣା ଉପରେ କୌଣସି ସୂଚନା ଦେଇ ପାରିବେ ନାହିଁ, ଏଡ଼ିସନାଲ ଏସପି କିମ୍ବା ଏସଡ଼ିପିଓ ପ୍ରମୁଖଙ୍କୁ ପଚାରିବାକୁ କହିଥିଲେ । ଏହାପରେ ଅପରାହ୍ନ ୫.୪୫ ମିନିଟରେ ପ୍ରେସ ଓ ପୁଲିସ ଏମବିଜେ ଗ୍ରୁପରେ ପଡ଼ୋଶୀ ପଶ୍ଚିମବଙ୍ଗ ରାଜ୍ୟ ନଦିଆ ଜିଲ୍ଲା ହୁଗୁଲବାଡ଼ିଆ ଥାନା ଅନ୍ତର୍ଗତ କୁମାରୀ ଗ୍ରାମର କାନାଇ ମଣ୍ଡଲଙ୍କ ପୁଅ ରଞ୍ଜିତ୍ ମଣ୍ଡଲ(୩୭)ଙ୍କ ନିକଟରୁ ୯ କେଜି ଗଞ୍ଜେଇ, ନଗଦ ୯୮୫ ଟଙ୍କା , ଗୋଟାଏ ମୋବାଇଲ ଏବଂ ଉକ୍ତ ଥାନା ପୋଡ଼ାଘାଟିମୋର ଗ୍ରାମର ନନି ସର୍ଦ୍ଦାରଙ୍କ ପୁଅ ବାବୁଲ ସର୍ଦ୍ଦାର(୪୮)ଙ୍କ ନିକଟରୁ ୮ କେଜି ଗଞ୍ଜେଇ, ୬୩୦ ଟଙ୍କା, ଗୋଟାଏ ମୋବାଲ ଜବତ କରାଯାଇଛି । ଏଥି ନିମନ୍ତେ ଆଇଆଇସିଙ୍କୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଛି । ସୋସିଆଲ ମିଡ଼ିଆରେ ଗଜେଇ ନେଉଥିବା ବେଳେ ଜଣେ ବସ କର୍ମଚାରୀ ସହ ଦୁଇ ଆସାମୀ ପୁଲିସ ହାବୁଡ଼ରେ ପଡ଼ିଲେ ବୋଲି ଖବର ଭାଇରାଲ ହୋଇଥିବା ବେଳେ ଟାଉନଥାନା ଅଧିକାରୀ ତାଙ୍କ ପୋଷ୍ଟରେ ଏବିଷୟରେ କିଛି ସୂଚନା ଦେଇନାହାନ୍ତି । କାରଣ ବସରୁ ଜବତ କରାଯାଇଥିବାର ଦର୍ଶାଇଥିଲେ ବସ ଓ ଷ୍ଟାଫକୁ ଅଟକ ରଖିବାକୁ ପଡ଼ିଥାନ୍ତା । ବସଟି ଜନୈକ ପ୍ରଭାବଶାଳୀ ନେତାଙ୍କ ହୋଇଥିବା କାରଣରୁ ଆଇଆଇସି ଆଇନ ଅନୁସାରେ ପଦକ୍ଷେପ ନେବାକୁ ପଛଘୁଂଚା ମାରିଲେ ଏବଂ ବାରିପଦା ଟାଉନଥାନା ପୁଲିସର ଏହି ପ୍ରକାରର କାର୍ଯ୍ୟକଳାପ ପୂର୍ବରୁ କେବେ ଦେଖିବାକୁ ମିଳିନଥିଲା ବୋଲି ଜନସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡ଼ିଛି । ସେହି ପରି ଗଞ୍ଜେଇ ଜବତ ମାମଲାରେ ପୁଲିସର ନିରପେକ୍ଷତା ଉପରକୁ ମଧ୍ୟ ଜନସାଧାରଣ ଅଙ୍ଗୁଳି ଉଠାଇଛନ୍ତି । ସେହିପରି ପୁଲିସ ଗାଡ଼ିରେ ପଛ ସିଟରେ ଅଭିଯୁକ୍ତ ଦୁଇ ଜଣ ବସିଥିବା ବେଳେ ସେମାନଙ୍କ ନିକଟରେ ପୁଲିସର ଏକ ଅତ୍ୟାଧୁନିକ ରାଇଫଲ ରହିଥିଲା । ଯଦି ଅଭିଯୁକ୍ତ ଦୁଇ ଜଣ ଆତଙ୍କବାଦୀ ଅଥବା ନକ୍ସଲ ହୋଇଥିଲେ କଥା ସରିଯାଇଥାନ୍ତା । ପୁଲିସର ଏହା ଖାମଖିଆଲି ମନୋଭାବ ନା ଅଭିଯୁକ୍ତ ସହିତ ଭିତିରି ସଲାସୁତୁରା ତାହାକୁ ନେଇ ପ୍ରଶ୍ନ ମଧ୍ୟ ଉଠିଛି ।