
ନୂଆପଡା – ନୂଆପଡା ଜିଲ୍ଲା ଦଳିତ ଅଧିକାର ମଂଚ ପକ୍ଷରୁ ଆସନ୍ତା ୧୭ ତାରିଖ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବ । ଖଡିଆଳ ସହରର ଭୂମିହୀନ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରିବା ସମ୍ପର୍କରେ ଦାବୀ ଓ ବିଭାଗୀୟ ଅଧିକାରୀଙ୍କ ମିଥ୍ୟା ପ୍ରତିଶୃତି ବିରୋଧରେ ଆମରଣ ଅନଶନ କରିବାକୁ ନିଷ୍ପତି ନିଆଯାଇଥିବା ନେଇ ଜିଲ୍ଲା ଦଳିତ ଅଧିକାର ମଂଚର ସଭାପତି କମଳ ଚରଣ ତାଣ୍ଡି ସୂଚନା ଦେଇଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ଗତ ଜୁନ ମାସ ୨୩ ତାରିଖ ଦିନ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦର ବିଭିନ୍ନ ୱାର୍ଡରେ ରହୁଥିବା ଭୂମିହୀନ ଲୋକଙ୍କୁ ଜମି ପଟ୍ଟା ପ୍ରଦାନ ଦାବୀରେ ଦଳିତ ଅଧିକାର ମଂଚର ଉଦ୍ୟମରେ ଖଡିଆଳ ବିଜ୍ଞାପିତ ଅଂଚଳ ପରିଷଦ ଘେରାଉ କରି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ କିଶୋର କୁମାର ସାହୁ ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ସମସ୍ତ ଭୂମିହୀନଙ୍କୁ ଜମିପଟ୍ଟା ପ୍ରଦାନ ବ୍ୟବସ୍ଥା କରିବେ ବୋଲି ପ୍ରତିଶୃତି ଦେଇଥିଲେ । କିନ୍ତୁ ସମୟ ଅତିବାହିତ ପରେ ମଧ୍ୟ ଜଣେ ମଧ୍ୟ ହିତାଧିକାରୀଙ୍କୁ ଜମିପଟ୍ଟା ଯୋଗାଇ ଦିଆଯାଇନାହିଁ । ଫଳରେ ଜମିପଟ୍ଟା ପ୍ରଦାନରେ ଅବହେଳା ଏବଂ ମିଥ୍ୟା ପ୍ରତିଶୃତିକୁ ମଂଚ ବିରୋଧ କରି ଆସନ୍ତା ୧୭ ତାରିଖ ଦିନ ଆମରଣ ଅନଶନ କରିବ । ଏନେଇ ମଂଚ ପକ୍ଷରୁ ଉଚ୍ଚ ଅଧିକାରୀ ମାନଙ୍କୁ ଅମରଣ ଅନଶନ କରିବା ନିଷ୍ପତି ନିଆଯାଇଥିବା ନେଇ ଲିଖିତ ଅଭିଯୋଗ ଦେଇଥିବା ଜଣାପଡିଛି ।