ଗଂଜାମ– ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ବାଜ ପ୍ରତିଷ୍ଠାନ ଠାରେ ବର୍ଷା ଦିନିଆ ରୋଗ ପାଣିକନ୍ଦା ନିରାକରଣ ସଚେତନତା ଓ ମାଗଣା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଭରଦ୍ବାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା. ନକୁଳ ସାହୁ ଉପସ୍ଥିତ ରହି କହିଲେ ବର୍ଷା ଦିନେ ଶିଶୁ, ଯୁବକମାନେ କାଦୁଅପାଣିରେ ଖେଳିଲେ, କୃଷକମାନେ ସାର ମିଶ୍ରିତ କାଦଜମିରେ କାମ କଲେ ପାଦ ଓ ଅଙ୍ଗୁଳି ସନ୍ଧି ସଂକ୍ରମିତ ହୋଇ କ୍ଷତ ଓ କୁଣ୍ଡିଆ ହୁଏ। ରାତ୍ରରେ ନିଦ ହୁଏନାହିଁ। ଶିଶୁ ଯୁବକ ମାନଙ୍କୁ ଏଥିରୁ ନିବାରଣ କରନ୍ତୁ। ବୟସ୍କମାନେ କାଦକୁ ଯିବା ପୂର୍ବରୁ ନିମ୍ବ କିମ୍ବା ଜଡାତେଲ ଲଗାଇ କାମକୁ ଯାଆନ୍ତୁ। କାମରୁ ଫେରିବା ପରେ ଗରମ ପାଣିରେ ଧୋଇ ଉକ୍ତ ତେଲ ଲଗାନ୍ତୁ। ଯଦି ସଙ୍କ୍ରମିତ ହୋଇ କ୍ଷତ ହୋଇଛି ହରଡ଼ା ଘୋରି ବା ନିମ୍ବ ବା କରଞ୍ଜ ପତ୍ର ବାଟି, ଅଳ୍ପ ଉଷ୍ଣ କରି ପାଦ ଓ ଆଙ୍ଗୁଳି ସନ୍ଧିରେ ଲଗାଇବାକୁ ପରମର୍ଶ ଦେଇଥିଲେ।
ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ,ସ୍ନାୟୁ ରୋଗ ଅମ୍ଳପିତ୍ତ, ସ୍ତ୍ରୀରୋଗଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଓ ଔଷଧ ବିତରଣ କରାଯାଇଥିଲା l ଶିବିରର ପରିଚାଳନାରେ ସହଯୋଗ କରିଥିଲେ ଡି. ଶ୍ରୀନିବାସ ରାଓ ଓ ପ୍ରତିଷ୍ଠାନର ସଭ୍ଯ ସଭ୍ୟା l ଏହି ଶିବିର ପ୍ରତି ସୋମବାରେ ଅନୁଷ୍ଠିତ ହୁଏ ଏହାର ସୁଯୋଗ ନେବାକୁ ଅନୁରୋଧ l