ପୁରୀ– ଶ୍ରାବଣର ତୃତୀୟ ସୋମବାରରେ ଆଜି ଜଳଲାଗି ପାଇଁ ଶ୍ରୀ ଲୋକନାଥ ପୀଠରେ ହଜାର ହଜାର ସଂଖ୍ୟାରେ କାଉଡ଼ିଆ ଭକ୍ତଙ୍କ ସମାଗମ ହୋଇଛି । ଜଳଲାଗି ପାଇଁ ଟିକେଟ୍ କରି କାଉଡ଼ିଆ ଭକ୍ତ ମାନେ ବ୍ୟାରିକେଡ୍ ରେ ଧାଡିରେ ଯାଇ ବାବା ଲୋକନାଥଙ୍କୁ ଜଳଲାଗି କରୁଛନ୍ତି ।
ଭୋରରୁ ଠାକୁରଙ୍କ ମଙ୍ଗଳଆଳତି ପରେ ମଇଲମ ଓ ଅବକାଶ ନୀତି ସମ୍ପନ୍ନ ହୋଇଥିଲା । ଏହାପରେ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ଦ୍ୱାର ଖୋଲିଛି । କାଉଡ଼ିଆ ଭକ୍ତ ମାନେ ଲମ୍ବା ଧାଡିରେ ଯାଇ ରୋଷଘର ପଛ ଦେଇ ମନ୍ଦିରରେ ପ୍ରବେଶ କରିବା ସହ ଜଳଲାଗି କରି ଫେରୁଛନ୍ତି । ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜଳଲାଗି ପରେ ନୀତି ପାଇଁ କିଛି ସମୟ ବନ୍ଦ ରହିବ । ନୀତି ସମାପ୍ତ ପରେ ଦର୍ଶନ ଓ ଜଳଲାଗି ପହୁଡ଼ ପର୍ଯ୍ୟନ୍ତ ଚାଲିବ । କାଉଡ଼ିଆ ଭକ୍ତ ମାନଙ୍କ ଶୃଙ୍ଖଳିତ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ସେବାୟତ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି ।