ନୂଆଦିଲ୍ଲୀ, ପ୍ରଖ୍ୟାତ ନୃତ୍ୟାଙ୍ଗନା ତଥା ପଦ୍ମ ବିଭୂଷଣରେ ସମ୍ମାନିତ ଡ.ଯାମିନୀ କୃଷ୍ଣମୂର୍ତିଙ୍କ ବିୟୋଗରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହିତ ବହୁ ନେତାମାନେ ଶୋକ ପ୍ରକାଶ କରିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଶୋକବାର୍ତାରେ କହିଛନ୍ତି ଯେ, ତାଙ୍କ ବିୟୋଗ ସଂପର୍କରେ ଶୁଣି ଦୁଃଖିତ । ସେ ଭାରତ ନାଟ୍ୟମ ଓ କୁଚିପୁଡିର ଅଗ୍ରଣୀ କଳାକାର ଥିଲେ । ତାଙ୍କ ବିୟୋଗ କଳା ଓ ସଂସ୍କୃତିର ଦୁନିଆ ପାଇଁ ଏକ ବଡ କ୍ଷତି ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଡ. ଯାମିନୀ କୃଷ୍ଣମୂର୍ତି ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଉତ୍କୃଷ୍ଟତା ଓ ସମର୍ପଣ ଅନେକ ପିଢିକୁ ପ୍ରେରିତ କରିଛି ଏବଂ ଆମର ସାଂସ୍କୃତିକ ପରିଦୃଶ୍ୟରେ ଏକ ଅଲିଭା ଛାପ ଛାଡିଛି । ସେ ଆମ ଐତିହ୍ୟକୁ ସମୃଦ୍ଧ କରିବା ପାଇଁ ବହୁତ କାମ କରିଛନ୍ତି ।