ଜୟପୁର- ସ୍ଥାନୀୟ ଶ୍ରମିକ କର୍ମଚାରୀ ଭବନରେ ଭାରତ ବର୍ଷର ମହାନ୍ ମାନବବାଦୀ ସନ୍ଥ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ଯୁଧିଷ୍ଠିର ରାଉଳଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବିଶେଷ କରି ଆଜିର ଦିନଟିକୁ ଶ୍ରମିକ କର୍ମଚାରୀ ଖଟିଖିଆ ମେହନତି ମଣିଷ ମାନେ ପାଳନ କରିବାର ଆବଶ୍ୟକତା ଏବଂ ଆଜି ଦିନରେ ଯେଉଁ ଭଳି ଧର୍ମୀୟ ମୈ।ଳବାଦୀ ଚିନ୍ତା ଧାରା ବୃଦ୍ଧି ପାଉଥିବା ବେଳେ ସମ୍ବିଧାନ ଓ ଧର୍ମନିରପେକ୍ଷତାର ସୁରକ୍ଷା ପାଇଁ ବିବେକାନନ୍ଦଙ୍କ ଶିକ୍ଷା ଓ ଦର୍ଶନ ଉପରେ ଆଲୋଚନା ପର୍ଯ୍ୟବେସିତ ହୋଇଥିଲା । ଏ ସମ୍ବନ୍ଧରେ ଶ୍ରମିକ ନେତା ପ୍ରମୋଦ କୁମାର ମହାନ୍ତି ସୂଚନା ଦେବା ପରେ ବରିଷ୍ଠ ଶ୍ରମିକ ନେତା ସୁଭାଷ ଭଟ୍ଟାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦଙ୍କ ଜୀବନୀ ଓ ବିଶ୍ୱ ଦର୍ଶନ ଉପରେ ଆଲୋଚନା କରି କହିଥିଲେ ଯେ, ବିବେକାନନ୍ଦଙ୍କ ଆଦର୍ଶ ହେଉଛି ସମସ୍ତଙ୍କୁ ଭଲ ପାଇବା ଓ ସମସ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର, ବାସଗୃହ, ଶିକ୍ଷା, ସ୍ୱାସ୍ଥ୍ୟର ସୁବିଧା ଓ ଅଧିକାର ମିଳିବା । ଭୋକିଲା ପେଟରେ ଧର୍ମ ଚର୍ଚ୍ଚା ନିରର୍ଥକ । ନିଜ ଜୀବନର ଶ୍ରେଷ୍ଠତ୍ୱ ସେ ଆମେରିକାର ଚିକାଗୋ ସହରର ଧର୍ମ ସମ୍ମିଳନୀରେ ପ୍ରତିପାଦିତ କରିଥିଲେ । ସବୁ ଧର୍ମକୁ ମହାନ୍ ବୋଲି ଅଭିହିତ କରିଥିଲେ ଓ ସବୁ ଧର୍ମର ସାର ମର୍ମ ଗୋଟିଏ ମଣିଷ ପଣିଆ ବା ମାନବତାବାଦ । ବିଶ୍ୱ ଭାତୃତ୍ବ ଓ ବସୁଧୈବ କୁଟୁମ୍ବକମ୍ ର ବାସ୍ତବତା ଉପରେ ତାଙ୍କର ଓଜସ୍ୱନୀ ବକ୍ତୃତା ବିଶ୍ୱବାସୀଙ୍କୁ ସ୍ତମ୍ଭିଭୂତ କରିଥିଲା । ବାସ୍ତବ ଜୀବନରେ ମଧ୍ୟ ସେ ଜାତି ପ୍ରଥା, ଉଚ୍ଚ ନିଚ୍ଚ ଭେଦଭାବକୁ ଅସ୍ୱୀକାର କରୁଥିଲେ । ବ୍ରାହ୍ମଣ ସବୁଠୁଁ ଉଚ୍ଚ ଜାତିର ମାନ୍ୟତା ବା ପୁରୋହିତବାଦ ବା ମନୁବାଦୀ ଶାସନ ବ୍ୟବସ୍ଥାକୁ ସେ ସମାଲୋଚନା କରିଛନ୍ତି । ଆଜି ଯେତେବେଳେ ବେକାରୀ ବଢୁଛି, ଉଚିତ ଦରମା ବା ସର୍ବନିମ୍ନ ମଜୁରୀ ମିଳୁନି ତାର ଆବଶ୍ୟକତା କଥା ସେ କହିଛନ୍ତି । ସେ ଗର୍ବ ଅନୁଭବ କରନ୍ତି ଯେ ମୋ ଦେଶ ଭାରତ ବର୍ଷ ବିଶ୍ୱର ସବୁ ଧର୍ମକୁ ଆପଣେଇଛି । କାହାକୁ ଘୃଣା କରିନି । ବିବିଧତା ଭିତରେ ଏକତା ମଜବୁତ୍ ହୋଇଛି । ଏଣୁ ସଂକିର୍ଣ୍ଣତାରୁ ବାହାରକୁ ଆସି ଦେଶକୁ ରକ୍ଷା କରିବା ପାଇଁ ଶ୍ରମିକ ସଂଗଠନ ମାନେ ଶିକ୍ଷିତ ହେବା ସହ ସମାଜରେ ବିବେକାନନ୍ଦଙ୍କ ଆଦର୍ଶର ପ୍ରଚାର କରିବା ଉଚିତ୍ ।
ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ରାମକୃଷ୍ଣ ଦାସ, ଗୁରୁ ଖରା, ସୁଦର୍ଶନ ବିଷୋୟୀ, ନନ୍ଦ ହରିଜନ, ଗୁପ୍ତ ସଗରିଆ ଏବଂ ଅନ୍ୟ ମାନେ ଉଦବୋଧନ ଦେଇଥିଲେ ।