ଭୁବନେଶ୍ୱର– ରଥ ଯାତ୍ରା ମହୋତ୍ସବ ସମୟରେ ଟ୍ରେନ ମାନଙ୍କରେ ମାତ୍ରାଧିକ ଭିଡ଼ ଏବଂ ପୁରୀ ଷ୍ଟେସନ ଠାରେ ବିପୁଳ ଜନସମାବେଶକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ତୀର୍ଥଯାତି ଓ ଭକ୍ତ ମାନଙ୍କ ସୁରକ୍ଷା ଓ ନିରାପତା ପ୍ରତି ବିଶେଷ ଧ୍ୟାନ ଦେଇ ସୁବିଧାଜନକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରାଇବା ପାଇଁ ନିଜକୁ ପ୍ରସ୍ତୁତ ରଖିଛି । ଏହି ମହୋତ୍ସବ ସମୟରେ ଯାତ୍ରୀ ମାନଙ୍କ ଯାତାୟାତର ଯେପରି କୌଣସି ଅସୁବିଧା ନହୁଏ ସେଠି ପାଇଁ ପୂର୍ବତଟ ରେଳପଥ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରିଛି ଯାହା ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତା ପାଇଁ ସହାୟକ ହେବ ।
ତୀର୍ଥଯାତ୍ରୀ ଏବଂ ଯାତ୍ରୀମାନଙ୍କୁ ଫୁଟବୋର୍ଡ, ବଫର୍ କିମ୍ବା ଟ୍ରେନ୍ କମ୍ପାର୍ଟମେଂଟର ଛାତ ଉପରେ ଯାତ୍ରା କରିବା ଭଳି ବିପଦପୂର୍ଣ୍ଣ ଆଚରଣରୁ ନିବୃତ ରହିବାକୁ ଅନୁରୋଧ କରାଯାଇଛି । ଯାତ୍ରୀମାନଙ୍କ ସୁରକ୍ଷା ହେଉଛି ରେଳବାଇର ସର୍ବୋଚ୍ଚ ପ୍ରାଥମିକତା । ପୂର୍ବତଟ ରେଳପଥ ତୀର୍ଥଯାତ୍ରୀ ଏବଂ ଭକ୍ତ ମାନଙ୍କୁ ମଧ୍ୟ କୌଣସି ଜ୍ୱଳନ୍ତ ଜିନିଷ ନ ନେବାକୁ, ଅପରିଚିତ ବ୍ୟକ୍ତିଙ୍କ ଖାଦ୍ୟ କିମ୍ବା ପାନୀୟ ଗ୍ରହଣ ନକରିବା ଏବଂ ଅପ୍ରତ୍ୟାଶିତ ବ୍ୟାଗ କିମ୍ବା ସନ୍ଦେହଜନକ ଜିନିଷ ନଛୁଇଁବାକୁ ମଧ୍ୟ ପରାମର୍ଶ ଦେଇଛି ।
ଯାତ୍ରୀମାନଙ୍କୁ ସଚେତନ କରିବା ବ୍ୟତୀତ, ଭିଡ଼ ନିୟନ୍ତ୍ରଣ ପଦକ୍ଷେପ ଏବଂ ଅସାମାଜିକ କାର୍ଯ୍ୟକଳାପ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ରେଳ ସୁରକ୍ଷା ବଳ (ଆରପିଏଫ୍) କର୍ମଚାରୀଙ୍କୁ ନିୟୋଜନ କରି ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି । ନିରନ୍ତର ଯାତାୟାତ ଏବଂ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ସଜାଗ ରହିବା, ସମସ୍ତ ଯାତ୍ରୀ, ବିଶେଷକରି ତୀର୍ଥଯାତ୍ରୀ ଏବଂ ଭକ୍ତଙ୍କ ସୁରକ୍ଷା ତଥା ନିରାପତାକୁ ସୁନିଶ୍ଚିତ କରିବା ପାଇଁ ଆରପିଏଫ୍ କର୍ମଚାରୀ ଏବଂ ସୁରକ୍ଷା କର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ।
ରଥ ଯାତ୍ରା ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତଟ ରେଳପଥ ୩୧୫ ରୁ ଅଧିକ ସ୍ୱତନ୍ତ୍ର ଟ୍ରେନ ଓଡ଼ିଶାର ପ୍ରାୟ ସମସ୍ତ ଜିଲ୍ଲା ସହିତ ପଶ୍ଚିମବଙ୍ଗ, ଛତିଶଗଡ ଏବଂ ଆନ୍ଧ୍ରପ୍ରଦେଶର ବିଭିନ୍ନ ସ୍ଥାନରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ ଘୋଷଣା କରିଛି । ଏହି ଅତିରିକ୍ତ ଟ୍ରେନ ଗୁଡିକ ଗୁଣ୍ଡିଚା ଯାତ୍ରା, ସାନ୍ଧ୍ୟା ଦର୍ଶନ, ବାହୁଡା ଯାତ୍ରା, ସୁନାବେଶ ଏବଂ ଅଧରପଣା ଦିବସରେ ଯୋଗଦେଉଥିବା ତୀର୍ଥଯାତ୍ରୀଙ୍କ ଯାତ୍ରା ସୁବିଧା ପ୍ରତି ଧ୍ୟାନ ଦିଆଯାଇ ଚଳାଚଳ କରାଯାଉଛି । ଯାତ୍ରୀଙ୍କ ଯାତ୍ରା ସୁବିଧା ଅଭିଜ୍ଞତାକୁ ବୃଦ୍ଧି କରାଇବା ପାଇଁ ପୂର୍ବତଟ ରେଳପଥ ପ୍ରମୁଖ ସ୍ଥାନରେ ଅତିରିକ୍ତ ଟିକେଟ୍ କାଉଣ୍ଟର, ଅନୁସନ୍ଧାନ କାଉଣ୍ଟର ଏବଂ ସୂଚନା କେନ୍ଦ୍ର ଯୋଗାଇ ଦେଇଛି । ସମସ୍ତ ଯାତ୍ରୀଙ୍କ ପାଇଁ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବା ପାଇଁ କ୍ୟାଟରିଂ ସେବା, ପରିମଳ ସୁବିଧା, ଚିକିତ୍ସା ସହାୟତା ବୁଥ ଏବଂ ବର୍ଦ୍ଧିତ ସୁରକ୍ଷା ବ୍ୟବସ୍ଥା ସହିତ ସ୍ୱତନ୍ତ୍ର ସୁବିଧା ବ୍ୟବସ୍ଥା କରାଯାଇଛି ।